ନୂଆରୂପରେ ଦୃଶ୍ୟମାନ ହେବ ରାଜାଶାସନର ଶେଷ ସନ୍ତକ

ନବୀକରଣ ପାଇଁ ୯୦ଲକ୍ଷ ଟଙ୍କା ମଞ୍ଜୁର

ଆଠଗଡ : ଆଠଗଡବାସୀଙ୍କର ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ଖୁସିର ଖବର ହେଲା ଆଠଗଡ ଗଡଜାତରେ ରାଜାଶାସନର ଶେଷ ସନ୍ତକ ତଥା ପୁରୁଣା ରାଜନଅରର ପ୍ରବେଶ ଦ୍ୱାର (ଖିଲଣ) ଓ ତା ସଂଲଗ୍ନ ଦୁଇମହଲା ଅଟ୍ଟାଳିକାର ପୁନରୁଦ୍ଧାର ହେବ। ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବଙ୍କ ମନ୍ଦିର ନିକଟରେ ପୁରୁଣା ରାଜବାଟୀର ପ୍ରବେଶ ଦ୍ୱାର ଓ ତତ୍ସଂଲଗ୍ନ ଦୁଇ ପାର୍ଶର ଦୁଇ ମହଲା ବିଶିଷ୍ଟ ଅଟ୍ଟାଳିକାଟି ଏବେ ଜରାଜିର୍ଣ୍ଣ ଏବଂ ବିପଦସଂକୁଳ ଅବସ୍ଥାରେ ଏକ ଭୂତ କୋଠି ପରି ଦଣ୍ଡାୟମାନ ହୋଇଛି। ଏହି ଅଟ୍ଟାଳିକାଟିରେ ରାଜାଶାସନ ପରେ ୬୦ଦଶକରୁ ୨୦୦୯ପର୍ଯ୍ୟନ୍ତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବିଚାର ବିଭାଗୀୟ ଅଦାଲତ ଚାଲୁଥିଲା। ଶେଷ ସରକାରୀ କାର୍ଯ୍ୟାଳୟ ଭାବେ ୨୦୦୯ମସିହା ପର୍ଯ୍ୟନ୍ତ ଉକ୍ତ କୋଠାରେ କାର୍ଯ୍ୟକରୁଥିବା ତହସିଲ କାର୍ଯ୍ୟାଳୟଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସନ୍ନିକଟ ନୂତନ ଗୃହକୁ ସ୍ଥାନାନ୍ତରିତ ହୋଇଥିଲା। ପୂର୍ବରୁ ଉକ୍ତ ଅଟ୍ଟାଳିକାରେ ସବରେଜିଷ୍ଟାର, ଉପକୋଷାଗାର, ସବଜଜ୍, ଅତିରିକ୍ତ ଜିଲ୍ଲାଜଜ୍ ଅଦାଲତ ଓ ତହସିଲ କାର୍ଯ୍ୟାଳୟ ଚାଲୁଥିଲା। ରାଜାଶାସନ ବେଳେ ଉକ୍ତ ପ୍ରବେଶ ଦ୍ୱାରରେ ସୁରକ୍ଷା କର୍ମୀ ଜଗିରହୁଥିବାବେଳେ ତା ସଂଲଗ୍ନ ୨ମହଲା ଅଟ୍ଟାଳିକାରେ ରାଜାଙ୍କର ଅଦାଲତ ଓ ନାଜରଖାନା ଚାଲିଥିଲା। ଉକ୍ତ ପ୍ରବେଶ ପଥର ଦୁଇ ପାର୍ଶରେ ଦୁଇଟି ସିଂହର ମୂର୍ତ୍ତି ରହିଥିବାବେଳେ ଦୁଇପାର୍ଶରେ ୨ଟି ତୋପ ରହିଥିଲା, ଯାହାକି ଏବେ ଦେଖିବାକୁ ମିଳୁନାହିଁ। ଏହି ଅଟ୍ଟାଳିକାଟି ଏକ ଐତିହ୍ୟ ସଂପନ୍ନ ପୁରୁଣା କିର୍ତ୍ତୀରାଜି ହୋଇଥିବାରୁ ଏହାର ପୁର୍ନରୁଦ୍ଧାର କରାଯିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଥିଲା। ଆଠଗଡ ବାସୀଙ୍କ ଦାବିକୁ ସମ୍ମାନ ଜଣାଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜାଶାସନର ଏହି ଐତିହ୍ୟ ସଂପନ୍ନ ସନ୍ତକଟିର ପୁନରୁଦ୍ଧାର କରିବା ଲାଗି ଆବଶ୍ୟକୀୟ ଅନୁଦାନ ଯୋଗାଇଦେବା ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଉଦ୍ଦ୍ୟମ ଫଳରେ ରାଜାଶାସନର ଏହି ଶେଷ ସନ୍ତକ ବା ପୁରୁଣା ତହସିଲ କାର୍ଯ୍ୟାଳୟର ନବୀକରଣ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ୯୦ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବା ଜଣାପଡିଛି। ଏହି ବାବଦରେ ରାଜସ୍ୱ ବିଭାଗ ପକ୍ଷରୁ ଗତ ମାର୍ଚ୍ଚ ୩ତାରିଖରେ ତାଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୭୩୭୮ ଜରିଆରେ ୯୦ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବା ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଆସନ୍ତା ୧୫ଦିନ ମଧ୍ୟରେ ଏହାର ଟେଣ୍ଡର ପ୍ରକ୍ରିୟା ଶେଷ କରିବା ଏବଂ ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟ ଟେଣ୍ଡର ପରେ ୬ମାସ ମଧ୍ୟରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସ୍ଥାନୀୟ ପୂର୍ତ୍ତ ବିଭାଗ ସୁତ୍ରରୁ ଜଣାପଡିଛି। ଏହି ଅଟ୍ଟାଳିକାଟିର ନବୀକରଣ ପରେ ସେଠାରେ ଯେଉଁସବୁ ସରକାରୀ କାର୍ଯ୍ୟାଳୟ ଭଡାଘରେ ଚାଲିଛି ସେଗୁଡିକୁ ସେଠାକୁ ସ୍ଥାନାନ୍ତରିତ କରାଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ପ୍ରକାଶ କରିଛନ୍ତି।

Comments are closed.