କୋଣାର୍କ ସୂର୍ୟ୍ୟମନ୍ଦିର ତ୍ରୟୋଦଶ ଶତାବ୍ଦୀର ନୁହେଁ: ଗବେଷକ

କୋଣାର୍କ: ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ୟ୍ୟମନ୍ଦିର ତ୍ରୟୋଦଶ ଶତାବ୍ଦୀରେ ନିର୍ମାଣ ହୋଇ ନାହିଁ ବୋଲି ସ୍ଥାନୀୟ ଗବେଷକ ସଞ୍ଜୟକୁମାର ବରାଳ ଯୁକ୍ତି ବାଢ଼ିଛନ୍ତି। ଭୁବନେଶ୍ୱରରେ ସାହିତ୍ୟ ପତ୍ରିକା ପକ୍ଷରୁ ସଦ୍ୟ ପ୍ରକାଶିତ ଇଂରାଜୀ ପୁସ୍ତକ ‘ଦ ହିଷ୍ଟ୍ରି ଅଫ୍‍ କୋଣାର୍କ’ରେ ସେ ଅନେକ ତଥ୍ୟ ଉପସ୍ଥାପନା କରିଛନ୍ତି। ୧୩ଶ ଶତାବ୍ଦୀରେ ସମଗ୍ର ଉତ୍ତରଭାରତ ମୁସଲମାନ ଶାସକଙ୍କ ଘନ ଘନ ଆକ୍ରମଣରେ ଥରହର ହେଉଥିବା ବେଳେ ଓଡ଼ିଶାର ପଡ଼ୋଶୀ ରାଜ୍ୟ ସବୁ କବଳିତ ହୋଇସାରିଥିଲା। ସେହି ସମୟରେ ରାଜ୍ୟର ଅଖଣ୍ଡତା ଓ ସୁରକ୍ଷା ହିଁ ପ୍ରସଙ୍ଗ ଥିଲା। ପ୍ରଥମ ନରସିଂହ ଦେବଙ୍କ ସମଗ୍ର ଶାସନକାଳ କେବଳ ଯୁଦ୍ଧ ପ୍ରସ୍ତୁତି ଯୁଦ୍ଧ କରିବାରେ ହିଁ ବିତିଯାଇଥିଲା। ଏହାଛଡ଼ା ସେ ପୁରୁଣା ରାଇବଣିଆ ଦୁର୍ଗର ପୁନରୁଦ୍ଧାର ଓ ସମ୍ପ୍ରସାରଣ କରିବା ସହ ଚତୁଃପାର୍ଶ୍ବ ଅଞ୍ଚଳରେ ବେସାମରିକ ଲୋକଙ୍କୁ ନେଇ ଶକ୍ତିଶାଳୀ ସୁରକ୍ଷାବଳୟ ମଧ୍ୟ ତିଆରି କରିଥିଲେ। ଘରଦ୍ୱାର ଦେଶରେ ଶତ୍ରୁ ଆକ୍ରମଣ କରିବାକୁ ଠିଆ ହେଉଥିବା ସମୟରେ କୋଣାର୍କ ପରି ଏକ ବିଶାଳ ମନ୍ଦିର ଆଦୌ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

ତତ୍କାଳୀନ ସାମାଜିକ, ଆର୍ଥିକ ଓ ରାଜନୈତିକ ଅବସ୍ଥା ପ୍ରକାଣ୍ଡ ନବଶ୍ଚୁମ୍ବି ମନ୍ଦିର ନିର୍ମାଣ କରିବା ପାଇଁ ଅନୁକୂଳ ନଥିଲା। ଗୋଟିଏ ରାଜ୍ୟ କ୍ରମାଗତ ଭାବେ ୧୧୦୦, ୧୨୦୦ ଓ ୧୩୦୦ ଶତାବ୍ଦୀରେ ଯଥାକ୍ରମେ ସୂର୍ୟ୍ୟମନ୍ଦିର ପରି ତିନିଗୋଟି ବଡ଼ମନ୍ଦିର ନିର୍ମାଣ କରିବା ସମ୍ଭବ ନୁହେଁ ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ସୂର୍ୟ୍ୟମନ୍ଦିର ନିର୍ମାଣ ନେଇ ମାଦଳା ପାଞ୍ଜିରେ ଥିବା ବର୍ଣ୍ଣନା ଆଦୌ ଗ୍ରହଣୀୟ ନୁହେଁ। କାରଣ ଏହା ପ୍ରକୃତ ପାଞ୍ଜିର ଅବିକଳ ନକଲ ନୁହେଁ ବୋଲି ସେ ମତ ଦେଇଛନ୍ତି। ସୂର୍ୟ୍ୟ ମନ୍ଦିରର ନିର୍ମାଣ କାଳ ନେଇ ଆବୁଲ ଫାଜଲଙ୍କ ଆଇନ୍‌-ଇ- ଆକବରୀ ପୁସ୍ତକରେ ଥିବା ବର୍ଣ୍ଣନା ସତ୍ୟ ଏବଂ ଐତିହାସିକମାନେ ଏହାକୁ ବିଶେଷ ଗୁରୁତ୍ୱ ଦେଇ ବିଚାର କରି ନାହାନ୍ତି ବୋଲି ଶ୍ରୀ ବରାଳ କହିଛନ୍ତି। ଉକ୍ତ ଗ୍ରନ୍ଥରେ ଏହି ମନ୍ଦିର ନବମ ଶତାବ୍ଦୀର ଓ ୮୫୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ନିର୍ମିତ ହୋଇଥିବା ନେଇ ଉକ୍ତିକୁ ସମର୍ଥନ କରିଛନ୍ତି। ସେହି ସମୟରେ ସର୍ବସାରଗ୍ରାହୀ ତନ୍ତ୍ରଯାନ ବୌଦ୍ଧ ଧର୍ମାବଲମ୍ବୀ ରାଜାମାନେ ଏହି ମନ୍ଦିର ନିର୍ମାଣ କରିଥିଲେ ବୋଲି ସେ କହିଛନ୍ତି। ପୁନଶ୍ଚ କୋଣାର୍କ ମନ୍ଦିର ମଧ୍ୟରେ ଥିବା ମାୟାଦେବୀ ମନ୍ଦିର ଗୌତମ ବୁଦ୍ଧଙ୍କ ମାତା ମାୟାଦେବୀଙ୍କୁ ସମର୍ପିତ ନଥିଲା।

ଏହି ମନ୍ଦିର ବେଦାନ୍ତ ଓ ବ୍ରହ୍ମସୂତ୍ରର ତତ୍ତ୍ୱ ଅନୁଯାୟୀ ତିଆରି କରାଯାଇଥିବା ସେ ମତ ରଖିଛନ୍ତି। ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ନିର୍ଦିଷ୍ଟକୋଣରେ ମା’ବିମଳା ଓ ମା’ ଲକ୍ଷ୍ମୀଙ୍କ ମନ୍ଦିର ନିର୍ମାଣ ପଛରେ ଗଭୀର ବେଦାନ୍ତ ତତ୍ତ୍ୱ ରହିଥିବା ସେ ନିଜ ପୁସ୍ତକରେ ଦର୍ଶାଇଛନ୍ତି। କୋଣାର୍କ ମନ୍ଦିର ତିନିପାର୍ଶ୍ବରେ ଥିବା ସୂର୍ୟ୍ୟମୂର୍ତ୍ତି, ଆଣ୍ଠୁଉଚା, ଜୋତପିନ୍ଧା, ଗ୍ରୀକ୍‍, ଗାର, ରୋମନୀୟ ପ୍ରଭାବ ବୋଲି ଦୀର୍ଘ ଦିନରୁ ରହିଥିବା ମତବାଦକୁ ଖଣ୍ଡନ କରିବା ସହ ଏହା ସମ୍ପୂର୍ଣ୍ଣ ଭାରତୀୟ ବୋଲି ଶ୍ରୀ ବରାଳ ଶାସ୍ତ୍ରୀୟ ପ୍ରମାଣ ପ୍ରଦାନ କରିଛନ୍ତି। ଆମ ଇତିହାସର ପୁନଃ ନିରୀକ୍ଷକ ଓ ସଂଶୋଧନ ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

Comments are closed.