୨୦୧ ଅଧ୍ୟାପକ ନିଯୁକ୍ତି ଜାଲିଆତି ପ୍ରସଙ୍ଗ; ମୁଖ୍ୟସଚିବ, ଗଣଶିକ୍ଷା ସଚିବଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧ଜଣ ଫୁଲ ଟାଇମ୍ ରିସୋର୍ସ ପର୍ସନ(ଏଫଟିଆରପି)ଙ୍କୁ ବିନା ଓପିଏସସି ଓ ଓଆରଭି ଆକ୍ଟର ଅନୁପାଳନ ନ କରାଯାଇ ନିଯୁକ୍ତି ଦିଆଯିବା ପ୍ରସଙ୍ଗ ଏବେ ରୋଚକ ମୋଡରେ ପହଞ୍ଚିଛି। ଗୋଟିଏ ପଟେ ମାମଲାରେ ବ୍ୟାପକ ଅନିୟମିତତା ହେବା ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଥିବାରୁ କିଛି ଅଧିକାରୀ ଜାଣିଶୁଣି ସମୟ ଗଡାଇ ଚାଲିଛନ୍ତି। ବିଭାଗ ପକ୍ଷରୁ ବାରମ୍ବାର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶନାମା ଜାରି ହେଉଥିଲେ ହେଁ ଫାଇଲ ପ୍ରକ୍ରିୟା ଆଗଉନାହିଁ। ବିଭାଗରେ କିଛି କର୍ମଚାରୀଙ୍କ ପାରିବା ପଣିଆ ଏତେ ଯେ ହାଇକୋର୍ଟଙ୍କ ନିର୍ଦେଶନାମା ମଧ୍ୟ ଠିକଣା ସମୟରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଫଳରେ ଏବେ ରାଜ୍ୟ ମୁଖ୍ୟସଚିବ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଅଦାଲତ ଅବମାନନା ଭଳି ମାମଲାରେ ଛନ୍ଦି ହେବାକୁ ପଡ଼ିଛି। ମାମଲାରେ ଗଣଶିକ୍ଷା ବିଭାଗ ଦିନ ଗଡାଉଥିବାରୁ ଏବଂ ହାଇକୋର୍ଟଙ୍କ ନିର୍ଦେଶନାମା ପାଳନ ହୋଇ ନ ଥିବାରୁ ସେପ୍ଟେମ୍ବର ୨୯ରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି। ୨୦୧୬ରେ ୨୦୧ଜଣ ଏଫଟିଆରପିଙ୍କୁ ବେଆଇନ ଭାବେ ସିଧାସଳଖ ଅଧ୍ୟାପକ ଭଳି ପଦରେ ନିଯୁକ୍ତି ଦିଆଗଲା। ସେଥିରେ କେତେକ ଅଧ୍ୟାପକଙ୍କଠାରେ ନିର୍ଦିଷ୍ଟ ଯୋଗ୍ୟତା ନଥିଲେ ହେଁ ତାଙ୍କୁ ବୈଷୟିକ ଅଧ୍ୟାପକ ଭାବେ ନିଯୁକ୍ତି ଦିଆଗଲା। କେତେକ ଷ୍ଟାଫ୍ ସାର୍ଟିଫିକେଟ ବାହାର ବିଶ୍ୱବିଦ୍ୟାଳୟରୁ କିଣି ମଧ୍ୟ ଅଧ୍ୟାପକ ପଦରେ ନିଯୁକ୍ତି ହେଲେ। ଏନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କ ନିକଟରେ ଅଭିଯୋଗ ହେବା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ତଦନ୍ତ କରାଯାଇଥିଲା। ତତ୍କାଳୀନ ତଦନ୍ତ ଅଧିକାରୀ ତଥା ଏସସିଇଆରଟି ନିର୍ଦେଶକ ପ୍ରତାପଇନ୍ଦ୍ର ଦାଶ ଘଟଣାରେ ବହୁ ଅନିୟମିିତତା ଥିବାରୁ ସରକାରଙ୍କୁ କ୍ରାଇମବ୍ରାଞ୍ଚକୁ ଦେବାକୁ ସୁପାରିସ କରିଥିଲେ।

ଏହାବାଦ୍ ୭୫ଜଣ ଅଧ୍ୟାପକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ସୁପାରିସ କରିଥିଲେ। କେବଳ ଶ୍ରୀ ଦାଶ ନୁହନ୍ତି ତାଙ୍କ ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ଆଉ ୨ଟି ପର୍ଯ୍ୟାୟରେ ତଦନ୍ତ ହେବା ସହିତ ବିଭାଗୀୟ ମନ୍ତ୍ରୀଙ୍କ ଅନୁମୋଦନ ପରେ ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଶେଷ ହୋଇଛି। ତତ୍କାଳୀନ ଗଣଶିକ୍ଷା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ତୁରନ୍ତ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ। ହେଲେ ୧ବର୍ଷ ବିତି ଯାଇଥିଲେ ବି କାର୍ଯ୍ୟାନୁଷ୍ଠାନ ନହେବାରୁ ଏଥିରେ ଆର୍ଥିକ ପ୍ରସଙ୍ଗ ରହିଥିବାରୁ ମାମଲା ହାଇକୋର୍ଟରେ ଉଠିଥିଲା। ହାଇକୋର୍ଟର ବିଚାରପତି ବିଶ୍ୱନାଥ ରଥ ଉକ୍ତ ଘଟଣାର ଗୁରୁତ୍ୱକୁ ନେଇ ୪୫ଦିନ ମଧ୍ୟରେ ଠିକଣା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଗଷ୍ଟ ୨୮ରେ ମୁଖ୍ୟସଚିବ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବଙ୍କୁ ନିର୍ଦେଶ ଦେଇଥିଲେ। ହେଲେ ଏହି ସମୟ ମଧ୍ୟରେ ସରକାର କୌଣସି ପଦକ୍ଷେପ ନେଇ ନଥିବାରୁ ମାମଲା ଏବେ ପୁଣିଥରେ ହାଇକୋର୍ଟରେ ପହଞ୍ଚିଛି।

Comments are closed.