ପାନ୍ଥନିବାସ ଘରୋଇକରଣ ପ୍ରସଙ୍ଗ : କୋର୍ଟଙ୍କ ଦ୍ବାରସ୍ଥ ହେଲା କର୍ମଚାରୀ ସଂଘ

ଭୁବନେଶ୍ବର : ପର୍ଯ୍ୟଟନ ବିଭାଗ ଲାଭଦାୟୀ ପାଞ୍ଚଟି ପାନ୍ଥନିବାସକୁ ଘରୋଇକରଣ କରିବା ପ୍ରସଙ୍ଗରେ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ ଶେଷରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସଂଘର କାର୍ଯ୍ୟକାରୀ ସଭାପତି ବେଣୁଧର ପାତ୍ର ଦେୱାନୀ ସିଭିଲ ଜଜ୍‌ ସିନିୟର ଡିଭିଜନ ଭୁବନେଶ୍ବରଙ୍କ ଦ୍ବାରସ୍ଥ ହୋଇଥିବା କହିଛନ୍ତି। ପାନ୍ଥନିବାସ ଲାଭଦାୟୀ ସଂସ୍ଥା ଭାବେ ନିଜକୁ ସାବ୍ୟସ୍ତ କରି ରୌପ୍ୟ ଉଦ୍ୟୋଗର ତାଲିକାଭୁକ୍ତ ହୋଇପାରିଛି। ସରକାର ପାନ୍ଥନିବାସର ଉନ୍ନତି ନିମନ୍ତେ ଉଦ୍ୟମ କରିବା ପରିବର୍ତ୍ତେ ଏହାକୁ ଘରୋଇକରଣ କରିବା ଜିଦ୍‌ରେ ଅଟଳ। ଏହା ଉପରେ ନିର୍ଭର କରୁଥିବା ୧ହଜାର କର୍ମଚାରୀ କ୍ଷତିଗ୍ରସ୍ତ ହେବେ ବୋଲି ସେ କହିଛନ୍ତି।

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଆୟର ଏକ ଉତ୍ସ କହିଲେ ପାନ୍ଥନିବାସକୁ ବୁଝାଏ। କରୋନା ସମୟରେ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ବନ୍ଦ ପଡ଼ିଥିବା ୨୧ଟି ପାନ୍ଥନିବାସ ତା’ର ଉଲ୍ଲେଖନୀୟ ସଫଳତା ହାସଲ କରିଛି। କରୋନା ଯୋଦ୍ଧାଙ୍କୁ ଦୈନିକ ଖାଦ୍ୟ, ପାନୀୟ, ରହିବା ସୁବିଧା ସୁଯୋଗ ଯୋଗାଇବାରେ ପାନ୍ଥନିବାସ ସକ୍ଷମ ହୋଇପାରିଥିଲା। ଏଥିପାଇଁ ପର୍ଯ୍ୟଟନ ଉନ୍ନୟନ ନିଗମ( ଓଟିଡିସି) ପାନ୍ଥନିବାସର ଭୂମିକାକୁ ନେଇ ପ୍ରଶଂସିତ ହୋଇଥିବା ବେଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ପାନ୍ଥନିବାସକୁ ଘରୋଇକରଣ କରିବା ଉଦ୍ୟମ ଅତ୍ୟନ୍ତ ନିନ୍ଦନୀୟ। ସଂଘ ଅଭିଯୋଗରେ ଦର୍ଶାଇଛି କି, ଗତ ତିନି ବର୍ଷରେ ବାଲେଶ୍ୱର, ଭଦ୍ରକ, ଗୋପାଳପୁର, ତତ୍ପପାଣି ଏବଂ ଧଉଳି ପାନ୍ଥିକା ଲାଭାଂଶରେ ଚାଲୁଥିବାବେଳେ ସରକାର ଏହାକୁ ୩୦ବର୍ଷ ପର୍ଯ୍ୟନ୍ତ ଲିଜ୍‌ରେ ଦେବାକୁ ଚାହୁଁଛନ୍ତି। ଏଥିପାଇଁ ସଂଘ ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ, ପର୍ଯ୍ୟଟନ ସଚିବ, ନିର୍ଦେଶକ, ଓଟିଡିସି ଅଧ୍ୟକ୍ଷାଙ୍କୁ ଏ ବାବଦରେ ପୁନର୍ବିଚାର କରିବାକୁ ବାରମ୍ବାର ଅନୁରୋଧ କରାଯାଇଥିଲେ ହେଁ ପାନ୍ଥନିବାସର ମେରୁଦଣ୍ଡ ସାଜିଥିବା କର୍ମଚାରୀଙ୍କ ସ୍ବାର୍ଥକୁ ଉପେକ୍ଷା କରାଯାଉଛି। ତେଣୁ ସେ ବାଧ୍ୟ ହୋଇ ଆଇନର ଆଶ୍ରୟ ନେଇଛନ୍ତି।

ଅନ୍ୟପକ୍ଷରେ ଓଟିଡିସି ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ଅଧିକ କ୍ରିୟାଶୀଳ, ଲୋକାଭିମୁଖୀ କରିବା ଲାଗି ନିଜସ୍ୱ ସାମର୍ଥ୍ୟରେ ପାନ୍ଥନିବାସର ଖାଦ୍ୟକୁ ଜମାଟୋ, ସ୍ୱିଗି ଭଳି ଅନଲାଇନ ମାଧ୍ୟମରେ ଯୋଗାଇବା, ଓଡ଼ିଶା ପର୍ଯ୍ୟଟନର ଅଧିକ ପ୍ରସାର ପାଇଁ ପାନ୍ଥନିବାସକୁ ଆଧୁନିକୀକରଣ କରିବା, କରୋନା ସମୟରେ ଲୋକଙ୍କ ମଧ୍ୟରେ ଓଡ଼ିଆ ଖାଦ୍ୟର ପ୍ରସାର ପ୍ରଚାର ପାଇଁ ‘ଆମ ଘର ଆମ ହାଣ୍ଡିଶାଳ’ କାର୍ଯ୍ୟକ୍ରମ ଆୟୋଜନ ଏବଂ ରଜୋତ୍ସବରେ ‘ପିଠା-ଅନ୍-ହ୍ୱିଲ’ ଜରିଆରେ ପିଠା ଯୋଗାଇବା ଭଳି ବହୁ କାର୍ଯ୍ୟକ୍ରମ ଓଟିଡିସି ପାନ୍ଥନିବାସ ମାଧ୍ୟମରେ ଲୋକଙ୍କ ଆସ୍ଥାଭାଜନ ହୋଇପାରିଛି।

ସଂଘର ସଭାପତି ଶିବାନନ୍ଦ ରାୟ କହିଛନ୍ତି, ୨୦୧୭-୧୮ ଏବଂ ୨୦୧୮-୧୯ରେ ପାନ୍ଥନିବାସ ତା’ର ଲାଭାଂଶରୁ ସରକାରଙ୍କୁ ୨କୋଟି ଟଙ୍କା ଦେଇସାରିଛି। ଏହାସତ୍ତ୍ବେ କରୋନା ମହାମାରୀ ସମୟରେ ପାନ୍ଥନିବାସକୁ ବିପର୍ଯ୍ୟୟରୁ ମୁକୁଳାଇବା ପରିବର୍ତ୍ତେ ଘରୋଇ ସଂସ୍ଥାକୁ ଟେକି ଦେବା କେତେ ଯୁକ୍ତିଯୁକ୍ତ ବୋଲି ସଂଘ ପ୍ରଶ୍ନ କରିଛି। କେବଳ ୫ଟି ନୁହେଁ ଏହାରି ଭିତରେ ଆଉ କିଛି ପାନ୍ଥନିବାସକୁ ଲିଜ୍‌ରେ ଦେବାକୁ ସରକାର ଚକ୍ରାନ୍ତ ଚଳାଇଛନ୍ତି। ପର୍ଯ୍ୟଟନ ବିଭାଗର ପାନ୍ଥନିବାସ ଏକ ଲାଭଦାୟୀ ସଂସ୍ଥା। ବିଭାଗ ହୋଟେଲ ସଂସ୍ଥା କରିବାକୁ ଚାହୁଁଛନ୍ତି ଯଦି ତେବେ ସରକାର ଅନ୍ୟ ସ୍ଥାନରେ ସେମାନଙ୍କୁ ଜାଗା ଦେଇ ପାରିବେ। ତାହା ନକରି ପାନ୍ଥନିବାସକୁ ଘରୋଇକରଣ କରିବା ଉଚିତ ନୁହେଁ।

Comments are closed.