ନିର୍ମାଣାଧିନ ଆଇଜର କ୍ୟାମ୍ପସ ପରିସରେ ଅଘଟଣ, ତିନିମହଲା କୋଠାରୁ ପଡି ଶ୍ରମିକ ମୃତ୍ୟୁ

ନିୟୋଜିତ ଠିକାସସ୍ଥା ପକ୍ଷରୁ ୧୦ ଲକ୍ଷ ଟଙ୍କାର ସହାୟତ ପ୍ରଦାନ ନିମନ୍ତେ ପ୍ରତିଶୃତି

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଲଉଁଡିଗା ଠାରେ ନିର୍ମାଣ ହେଉଥିବା ଆଇଜର କ୍ୟାମ୍ପସ ପରିସରରେ ଜଣେ ଠିକା ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ନିର୍ମାଣଧିନ ତୃତୀୟ ମହଲା କୋଠାରୁ ପଡି ଗୁରୁତର ଅବସ୍ଥାରେ ମେଡିକାଲରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତକ ଜଣଙ୍କ କେଲୁଆପଲ୍ଲୀ ଗ୍ରାମର ଉଦୟନାଥ  ନାୟକ(୨୯) । ଉଦୟନାଥ ଗତ ୧୦ ମାସ ହେଲା ଆଇଜର ନିର୍ମାଣ ହେଉଥିବା କ୍ୟାମ୍ପସ ପରିସରରେ ଦିଲ୍ଲୀସ୍ଥିତ ଏନ୍ କେ ଜି ଠିକାସସ୍ଥା ଅଧିନରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଉଦୟନାଥ ଏକ ତୃତୀୟମହଲା କୋଠାରେ ଚଢି କାର୍ଯ୍ୟ କରୁଥିବା ସମୟରେ ଠିକାସସ୍ଥା ପକ୍ଷରୁ ନିରପତ୍ତା ବ୍ୟବସ୍ଥା ନଥିବାରୁ ଉଦୟନାଥ ତୃତୀୟ ମହଲାରୁ ଖସି ଗୁରୁତର ହୋଇଥିଲେ।ଘଟଣା ପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ‌ କର୍ମଚାରୀମାନେ ତୁରନ୍ତ ଏକ ଗାଡି ଯୋଗେ କେଲୁଆପଲ୍ଲୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥବା ସହ ପରିବାର ବର୍ଗଙ୍କୁ ଖବର ଦେଇଥିଲେ। ଉଦୟନାଥଙ୍କ ପରିବାର ସଦସ୍ୟ କେଲୁଆପଲ୍ଲୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହନ୍ଚିବା ସମୟରେ ଉଦୟନାଥ ମେଡିକାଲ ଖଟରେ ଅଚେତ ଅବସ୍ଥାରେ ପଡିରହିଥିବା ବେଳେ କେବଳ ମୁଣ୍ଡରେ ଏକ ବ୍ୟାଣ୍ଡେଜ ବନ୍ଧା ଯାଇଥିବା ଦେଖିବାକୁ ପାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ପରିବାର ବର୍ଗଙ୍କ ପକ୍ଷରୁ ବ୍ରହ୍ମପୁର‌ ବଡ ମେଡିକାଲ କୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ଉଦୟନାଥଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ନେଇ ଉଦୟନାଥଙ୍କ ଦାଦା ବିମଳ କୁମାର ନାୟକ ଆଜି ସକାଳେ ଗୋଳନ୍ଥରା ଥାନାରେ‌ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପକ୍ଷରୁ ଏହା ନେଇ ୯/୨୧ ରେ ଏକ ଅପମୃତ୍ୟୁ ମାମଲା ଋଜୁ କରିବା ସହ ବ୍ରହ୍ମପୁର ବଡ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ।। କିନ୍ତୁ ଉକ୍ତ ଘଟଣା ପରେ ଉଦୟନାଥଙ୍କ ପରିବାର ସମେତ କେଲୁଆପଲ୍ଲୀ ରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା। ଆଇଜର କ୍ୟାମ୍ପସ ନିମନ୍ତେ ଠିକା ନେଇଥିବା ଏନ୍ ଜି କେ ସସ୍ଥା ପକ୍ଷରୁ କାମ କରୁଥିବା ଶ୍ରମିକ ମାନଙ୍କ ସୁରକ୍ଷା ନିମନ୍ତେ ପର୍ଯ୍ୟପ୍ତ ବ୍ୟବସ୍ଥା କରାଯାଉନଥିବା ସହ ଦୈନିକ ଅଧିକ ଘଣ୍ଟା ଖଟାଉଥିବା ଏବଂ ରାତ୍ର ସମୟରେ ମଧ୍ୟ ଅସୁରକ୍ଷିତ ଅବସ୍ଥାରେ ଶ୍ରମିକ ମାନଙ୍କ ଦ୍ବାରା କାମ କରାଯାଉଥିବା ଅଭିଯୋଗ ହେଉଛି। ଯଦ୍ବାରା ଉଦୟନାଥ ର ଅକାରଣରେ ସୁରକ୍ଷା ବ୍ୟବସ୍ଥାରେ ଢିଲା ରହିଥିବାରୁ ତୃତୀୟ ମହଲାରୁ ପଡି ମୃତ୍ୟୁ ଘଟିଲା ବୋଲି ଦାଦା ବିମଳ ଅଭିଯୋଗ କରିଛନ୍ତି। ଏଣୁ ଠିକା ସସ୍ଥା ପକ୍ଷରୁ ମୃତକ ଉଦୟନାଥଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି ଉଠାଇଥିଲେ। ଏ଼ହା ନେଇ ମୃତକଙ୍କ ପରିବାର ବର୍ଗ ଓ ଗ୍ରାମବାସୀଙ୍କ ପଚ୍ଛରୁ ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ଦାସଙ୍କୁ ଠାରେ ଫେରାଦ ହୋଇଥିଲେ। ଜିଲ୍ଲାପରିଷଦ ପ୍ରତିନିଧି ନରେନ୍ଦ୍ର ଦଳାଇ ଓ ପ୍ରକାଶ ସାମନ୍ତ ପ୍ରମୁଖ ଠିକାସସ୍ଥା ମୁଖ୍ୟଙ୍କ ସହ ଏହା ନେଇ ଆଲୋଚନା କରିବା ସହ ପରିବାର ର ଭରଣପୋଷଣ ନିମନ୍ତେ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ ସହ ଜୀବନବିମା ରାଶି ନମିଳିବା ଯାଏଁ ମୃତକ ଉଦୟନାଥଙ୍କ ସ୍ତ୍ରୀଙ୍କୁ ମାସିକ ୧୦ ହଜାର ଟଙ୍କା ସହାୟତା ପ୍ରଦାନ ନିମନ୍ତେ ଦାବି ଉପସ୍ଥାପନ କରିଥିଲେ। ପ୍ରଥମ ଦଫାରେ ଆଜି ସନ୍ଧ୍ୟାରେ ଠିକାସସ୍ଥା ଏନ୍ କେ ଜି ପକ୍ଷରୁ ପରିବାରକୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଆସନ୍ତା ଏକ ସପ୍ତାହ ମଧ୍ୟରେ‌ବଳକା ସହାୟତା ରାଶି ପ୍ରଦାନ‌କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିବା ଜଣାପଡିଛି। ଏଣୁ ଆଇଜର ନିର୍ମାଣଧିନ ଅଞ୍ଚଳରେ ଶ୍ରମିକଙ୍କ ସୁରକ୍ଷା ନିମନ୍ତେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ରହିଥିବା ନିର୍ଦେ୍ଦଶାବଳୀ ଅନୁସାରେ ଶ୍ରମିକଙ୍କୁ ସୁରକ୍ଷା ମଧ୍ୟରେ କାମ କରାଇବାକୁ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।

Comments are closed.