କତ୍ତାର ରାଷ୍ଟ୍ରମୁଖ୍ୟ ଆସିବେ ଭାରତ, ମୋଦୀଙ୍କ ନିମନ୍ତ୍ରଣ ଗ୍ରହଣ କଲେ ହମାଦ ଅଲ୍‍ ଥାନି

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‍ ଜୟଶଙ୍କର ଦୁଇଦିନିଆ କତ୍ତାର ଗସ୍ତ ଅବସରରେ ସେଠାକାର ସରକାରଙ୍କ ବରିଷ୍ଠ ନେତାମାନଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛି ଡକ୍ଟର ଜୟଶଙ୍କର ଏହି ଦୁଇଦିନିଆ ଗସ୍ତ ଶେଷ କରିଛନ୍ତି। ସେ ତାଙ୍କ ଗସ୍ତ କାଳରେ କତ୍ତାର ରାଷ୍ଟ୍ର ମୁଖ୍ୟ ସେଖ୍‍ ତମିମ ବିନ୍‍ ହମାଦ ଅଲ୍‍ ଥାନିଙ୍କ ସହ ସାକ୍ଷାତ୍‍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତ ଗସ୍ତ ସମ୍ପର୍କିତ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ କତ୍ତାରର ଆମିର୍‍ ଏହି ନିମନ୍ତ୍ରଣ ସ୍ୱୀକାର କରିବା ସହ ଖୁବ୍‍ଶୀଘ୍ର ଭାରତ ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି। ଶ୍ରୀ ଜୟଶଙ୍କର କରୋନା ମହାମାରୀ ସମୟରେ ସେଠାରେ ରହୁଥିବା ଭାରତୀୟମାନଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ପାଇଁ କତ୍ତାର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କତ୍ତାର ମୁଖ୍ୟଙ୍କ ସହ ଟେଲିଫୋନ୍‍ ବାର୍ତ୍ତାଳାପକୁ ସ୍ମରଣ କରି ଶ୍ରୀ ଜୟଶଙ୍କର ପୁଞ୍ଜି ବିନିଯୋଗ ଏବଂ ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଲାଗି ଟାସ୍କ ଫୋର୍ସ ଗଠନ ନିମନ୍ତେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଉଭୟ ଦେଶ ଖୁବ୍‍ଶୀଘ୍ର ଟାସ୍କ ଫୋର୍ସ ଗଠନ କରିବା ନେଇ ସମ୍ମତି ପ୍ରକାଶ କରିଛନ୍ତି। ଡକ୍ଟର ଜୟଶଙ୍କର ଏବଂ ସେଠାକାର ବରିଷ୍ଠ ନେତୃବୃନ୍ଦ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ସୁରକ୍ଷା ସହଯୋଗ ଦୃଢ଼କରିବା ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ସମ୍ମତି ପ୍ରକାଶ ପାଇଛି।

Comments are closed.