ଗ୍ରୀନ୍ ଟ୍ରିବୁନାଲ୍ ଏବଂ ସରକାରୀ ନିର୍ଦ୍ଦେଶନାମାକୁ ଫୁ…. ପ୍ରଶାସନ ନୀରବ ଦ୍ରଷ୍ଟା

ରେଙ୍ଗାଲି : ଗ୍ରୀନ୍ ଟ୍ରିବୁନାଲ୍ ର ନିର୍ଦ୍ଦେଶ ଏବଂ ସରକାରୀ ନିୟମକୁ ଖାତିର ନକରି ରେଙ୍ଗାଲି ତହସିଲ ଅଞ୍ଚଳରେ ଯିଏ ଯେଉଁଠି ପାରିଲା ଇଟାଭାଟି ସ୍ଥାପନ କରି ବ୍ୟବସାୟିକ ଭିତ୍ତିରେ ଇଟା ପ୍ରସ୍ତୁତ କରୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଅଙ୍କୁଶ ଲଗାଉ ନ ଥିବା ଅଭିଯୋଗ ହୋଇଛି । ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍ ମାଟି ତିଆରି ଇଟା ଭାଟିକୁ ସମ୍ପୂର୍ଣ ନିଷେଧ ବୋଲି ନିର୍ଦ୍ଦେଶ ଦେବା ପରେ  ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବିଜ୍ଞପ୍ତି ସଂଖ୍ୟା ଇଏନ୍‌ଭି/୧/୧୯/୨୦୧୪(ପିଟି) ୧୩୭୫/ଏଫ୍ଓଇ ତା.୧/୧/୨୦୧୬ ମାଧ୍ୟମରେ ରାଜ୍ୟରେ ମାଟି ତିଆରି ଇଟା ଭାଟି ଉପରେ ନିଷେଧାଦେଶ ଜାରି କରାଯାଇଛି। କେବଳ ଫ୍ଲାଇ ଆସ୍ ରେ ଇଟା ନିର୍ମାଣକୁ ବୈଧ ବୋଲି ଟ୍ରିବନାଲ୍ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥା ସରକାର ଘୋଷଣା କରାଯାଇଛି। ଇଟା ର ଚାହିଦା ମେଣ୍ଟାଇବା ପାଇଁ ଫ୍ଲାଇ ଆସ୍ ରେବ ଇଟା ନିର୍ମାଣକୁ ସରକାର ପ୍ରୋତ୍ସାହନ ଦେବାକୁ ସବୁଜ ସଙ୍କେତ ଦେଇଛନ୍ତି। ଏହା ପୂର୍ବରୁ  ଜନବସତିରୁ ୧ କିମି ଏବଂ  ସର୍ବସାଧାରଣ ଯାତାୟାତ କରୁଥିବା ରାସ୍ତାର ୫ଶହ ମିଟର ମଧ୍ୟରେ ଇଟାଭାଟି ସ୍ଥାପନ ଉପରେ ସରକାର କଟକଣା ଜାରି କରିବା ସହିତ କେବଳ ସ୍ଥାୟୀ ଚିମିନି ଥିବା ଇଟାଭାଟି  ସ୍ଥାପନ  ପାଇଁ ଆଇନ  କରିଥିଲେ।  କିନ୍ତୁ ରେଙ୍ଗାଲି ଅଞ୍ଚଳରେ ଏହି ସବୁ ଆଇନ କାନୁନ୍ ଏବଂ ଗ୍ରୀନ  ଟ୍ରିବୁନାଲ୍  ତଥା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଦେଶନାମା କୁ ଆଖିଠାର ମାରି ଛତୁ ଫୁଟିଲା ଭଳି ଜନବସତି ପାଖରେ ବଙ୍ଗଳା ଇଟାଭାଟି ଏବଂ ଅସ୍ଥାୟୀ ଚିମିନି ଥିବା ଇଟାଭାଟି ସ୍ଥାପନ କରି ବେପାର ଚାଲିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାର ଦୃଷ୍ଟି ଗୋଚର ହେଉନାହିଁ। ଜିଲ୍ଳା ସ୍ତରରେ ଅଧିକାରୀ ଏବଂ  ରାଜସ୍ୱ ବିଭାଗର କର୍ମଚାରୀଙ୍କ ସହିତ ସଲାସୁତୁରା କରି ବେଧଡକରେ ଏଭଳି ଇଟାଭାଟି କାରବାର ଚାଳିଛି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି। ରୟାଲ୍ଟି ଏବଂ ଜୋରିମାନା ଆଦୟ କ୍ଷେତ୍ରରେ ମଧ୍ୟ ବ୍ୟାପକ ଚଞ୍ଚକତା କରି ଲକ୍ଷ ଲକ୍ଷ ସଂଖ୍ୟାରେ ଇଟାପ୍ରସ୍ତୁତ କରୁଥିବା ବେପାରି ମାନଙ୍କ ଠାରୁ ସେହି ଅନୁପାତ ରେ ରୟାଲଟି ଅଦାୟ କରା ଯାଉନାହିଁ।  ହାତଗୁଞ୍ଜା ନେଇ କମ୍ ଇଟା ପ୍ରସ୍ତୁତ ହେଉଛି ବୋଲି ଦର୍ଶାଇ କମ୍ ରୟାଲ୍ଟି ଆଦାୟ ହେଥିବାର ଅଭିଯୋଗ ହେଉଛି । ଯାହାକି ତଦନ୍ତ ସାପେକ୍ଷ ଅଟେ। ଠିକ୍ ସେହିପରି ମାଟିରେ ଇଟା ତିଆରିକୁ ନିଷେଧ କରାଯାଇ ଥିବା ସତ୍ତେ୍ୱ ବିନା ଅନୁମତିରେ ଚାଲିଥିବା ଇଟା ଭାଟିରୁ ଧର୍ମ କୁ ଆଖିଠାର ମାରିଲା ଭଲି ଜୋରିମାନା ଅସୁଲ କରି ସିଂହଭାଗ ଅର୍ଥ ବାଟମାରଣା ହେଉଥିବାର ଚର୍ଚ୍ଚା ହେଉଛି। ଏହାଦ୍ୱାରା ଅସାଧୁ କର୍ମଚାରୀମାନେ ହାତଚିକ୍କଣ କରି ନିଜ ପକେଟ ଗରମ କରୁଥିବା ବେଳେ ସରାକାରଙ୍କ ରାଜସ୍ୱହାନି ହେଉଛି। ଇଟାଭାଟି ପାଇଁ ରହିଥିବା ସରକାରୀ ଆଇନ ଠିକ୍ ଭାବରେ କାର୍ଯ୍ୟକାରି ହେଉ ନଥିବାରୁ କେତେକ ସ୍ଥାନରେ ବନବିଭାଗ ଅଧିନରେ ଥିବା ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ, ପତ୍ରାଜଙ୍ଗଲ ଥିବା ଜମିରେ ଗଛ ଏବଂ କ୍ରମବର୍ଦ୍ଦିଷ୍ନୁ ବୁଦା ଜଙ୍ଗଲ କାଟି ବେଆଇନ୍ ଇଟାଭାଟି ବେଧଡକରେ ଚାଲିଥିବାର ନଜିର ଦେଖିବାକୁ ମିଳୁଛି। ରୟିତି ଜମିରେ ଗଛ ଟିଏ ଥିଲେ କାଟିବାକୁ ଅନୁମତି ଦରକାର ପଡୁଥିବା ବେଳେ ବଡ ବଡ ଗଛ ଏବଂ ବୁଦା କାଟି ଅବାଧରେ ଇଟାଭାଟି ସ୍ଥାପନ କଲେ  ବି ରାଜସ୍ୱ ଏବଂ ବନ ବିଭାଗ ନୀରବ ରହିବା ଚରମ ବିଡମ୍ବନାର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏହାଦ୍ୱରା ବ୍ୟାପକ ଜଙ୍ଗଲ କ୍ଷୟ ହୋଇ ପରିବେଶ ସନ୍ତୁଳନ ବିପର୍ଯ୍ୟସ୍ତ ହେବା ସହିତ ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଉଛି। ଏହା ବ୍ୟତିତ ରେଙ୍ଗାଲି ଅଞ୍ଚଳର ଜନସାଧାରଣଙ୍କ ଜୀବନ ରେଖା ରୂପେ ବିବେଚିତ ହେଉଥିବା ଭେଡେନ ନଦୀ ତଟବର୍ତ୍ତୀ ଅଞ୍ଚଳ ମଧ୍ୟ ଅବିଚାରିତ ଭାବରେ ଇଟାଭାଟି ସ୍ଥାପନ ହୋଇଥିବାର ଦେଖିବାକୁ ମିଳୁଛି। ଯାହାକି ନଦର ଅସ୍ତିତ୍ୱ ପ୍ରତି ବିପଦ ବୋଲି ପରିବେଶବିତ୍ ମହଲରେ ଆଶଙ୍କା ପ୍ରକାଶ ପାଉଛି। ବେଆଇନ୍ ଇଟାଭାଟି ଯୋଗୁଁ ବ୍ୟାପକ ଜଙ୍ଗଲ କ୍ଷୟ, ମୃତ୍ତିକାକ୍ଷୟ, ପରିବେଶ ପ୍ରଦୂଷଣ ଏବଂ ଉତ୍ତାପ ବୃଦ୍ଧି ଭଳି ଭୟଙ୍କର ସମସ୍ୟା ଦେଖାଦେଇ ପରିବେଶ ସନ୍ତୁଳନ ବିପର୍ଯ୍ୟସ୍ତ ହେଉଥିଲେ ମଧ୍ୟ ଅସାଧୁ କର୍ମଚାରୀ ଏବଂ ବେପାରିଙ୍କ ଲାଭ ଓ ଲୋଭ ଆଗରେ ଏଭଳି ଗୁରତର ସମସ୍ୟା ମୂଲ୍ୟହୀନ ହେଲା ଭଲି ମନେ ହେଉଛି। ଖାଳି ସେତିକି ନୁହେଁ ଅନେକ ଇଟାଭାଟିରେ ଶ୍ରମ ଆଇନର ଖୋଳା ଉଲଙ୍ଘନ କରାଯାଇ ଶିଶୁଶ୍ରମିକ ନିୟୋଜିତ ହେଉଥିବା ବେଳେ ଲେବର୍ ମାଇଗ୍ରେସନ୍ ଆକ୍ଟକୁ ଆଖି ଠାର୍ ମାରି ଜିଲ୍ଲା ବାହାରୁ ଏପରକି ରାଜ୍ୟ ବାହାରୁ ଶ୍ରମିକ ଆଣି ଇଟାଭାଟିରେ ନିୟୋଜିତ କରାଯାଉଥିଲେ ମଧ୍ୟ ଶ୍ରମ ବିଭାଗର ଏଥିପ୍ରତି ନିଘା ନାହିଁ। ଏହାଦ୍ୱାରା ଏହି ଶ୍ରମିକ ମାନଙ୍କର ସାମାଜିକ ନିରାପତ୍ତା କେତେ ଦୂର ସୁରକ୍ଷିତ ରହୁଛି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ହେଉଛି।

Comments
Loading...