ଡାକ୍ତରଙ୍କ ବଦାନ୍ୟତା, ୧୭ ବର୍ଷର ବାଳକକୁ ଦେଲେ ନୂଆ ଜୀବନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦରମହକୁମା ରେ ବାସକରୁଥିବା ଜଣେ ଗରିବ ଅସହାୟ ଦିନ ମଜୁରିଆର ୧୭ ବର୍ଷର ଗୁରୁତର ରୋଗାକ୍ରାନ୍ତ ପୁଅକୁ ମରଣ ମୁହଁରୁ ବଞ୍ଚାଇ ମାନବିକତା ଦେଖାଇଲେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଏସ ଏସ ପଟ୍ଟନାୟକ। ପାପଡାହାଣ୍ଡି ସଦରମହକୁମା ଶିବ ମନ୍ଦିର ପଛପଟେ ଥିବା ନୂଆ ସାହିରେ ବାସ କରୁଥିବା ପଦଲାମ ପାଇକ ପେସାରେ ଜଣେ ଦିନ ମଜୁରିଆ। ପରିବାର କହିଲେ ସ୍ତ୍ରୀ ଏବଂ ଗୋଟିଏ ବୋଲି ପୁଅ ସୁଶାନ୍ତ ପାଇକ ବୟସ ୧୭। ପଦଲାମ ଦିନରେ କୁଲି କାମ କରି ଯାହା ଦୁଇ ପଇସା ଆଣିଲେ ଘର ଚାଲେ, ଜଣଙ୍କ ରୋଜଗାରରେ ଘର ଚଳିବା କଷ୍ଟକର ହୋଇ ପଢୁଥିଲା, ତେଣୁ ସୁଶାନ୍ତ ମଧ୍ୟ ସ୍ଥାନୀୟ ଏକ ଜଳଖିଆ ଦୋକାନରେ କାମ କରି ଦୁଇ ପଇସା ଘରକୁ ଦେଇ ଘର ଚଳାଇବାରେ ସହଯୋଗ କରୁଥିଲା।

ଏକ ବର୍ଷ ପୂର୍ବେ ସୁଶାନ୍ତ ଅସୁସ୍ଥ ଅନୁଭବ କରିଥିଲା ଏବଂ ଖାଇବା ପିଇବା ମଧ୍ୟ ଆସ୍ତେ ଆସ୍ତେ ବନ୍ଦ କରିଦେଇ ଥିଲା। ପରିବାର ଲୋକେ ସୁଶାନ୍ତକୁ ନବରଙ୍ଗପୁର ଖ୍ରୀଷ୍ଟିଆନ ମେଡିକାଲରେ ନେଇ ସେଠାରେ ପ୍ରାୟ ୧୫ ଦିନ ଚିକିତ୍ସା କରିବା ପରେ ଘରକୁ ଆଣିଥିଲେ କିନ୍ତୁ ପୁଣି କିଛିଦିନ ରହିବା ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ସ୍ଥିର ନ ଆସିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ସେଠାରେ ସୁଶାନ୍ତର କିଡ଼ନୀ ଖରାପ ଥିବା ଦର୍ଶାଇ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ନେବାପାଇଁ ଡାକ୍ତର ପରାମର୍ଶ ଦେବାପରେ ଅର୍ଥ ଅଭାବରୁ ସୁଶାନ୍ତକୁ ଆଣି ଘରେ ପକେଇ ରଖିଥିଲେ। ପରବର୍ତୀ ସମୟରେ ସୁଶାନ୍ତର ଶରୀର ଫୁଲିଯାଇ ଦେହରେ ପାଣି ଭର୍ତି ହୋଇ ଗୁରୁତର ହୋଇ ଖଟରେ ପକାଇ ରଖିଲେ ଓ ଅର୍ଥ ଅଭାବରୁ ବାହାରକୁ ଚିକିତ୍ସା ପାଇଁ ଅସମର୍ଥ ହେବା ଯୋଗୁଁ ଦେଶୀ ଔଷଧ ଖୁଆଇ ଘରେ ପକାଇ ରଖିବା ପରେ ସୁଶାନ୍ତ ଗୁରୁତର ହୋଇପଡିବା ଯୋଗୁଁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଶାନ୍ତି ସ୍ୱରୂପ ପଟ୍ଟନାୟକଙ୍କୁ ଦେଖାଇବା ପରେ ସେ ପ୍ରାଥମିକ ଚିକିତ୍ସା କରି ଉନ୍ନତ ଚିକିତ୍ସା ପାଇଁ ନିଜେ ତାଙ୍କ ତତ୍ୱାବଧାନରେ ବିଶାଖାପାଟଣା ପଠାଇ ସେଠାରେ ଏକ ଘରୋଇ ମେଡିକାଲରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ଚିକିତ୍ସା କରାଇବା ସହ ନିଜ ହାତରୁ କିଛି ଖର୍ଚ୍ଚ ଦେଇ ସେଠାର ଡାକ୍ତରଙ୍କ ସହ ଯୋଗାଯୋଗ କରି ସମ୍ପୂର୍ଣ ସୁସ୍ଥ ହେବାପରେ ଆଜି ସୁଶାନ୍ତ ଘରକୁ ଫେରିଛି।

Comments are closed.