ଆଜିଠାରୁ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ
ଫେରିବ ଅନ୍ତର୍ଜାତୀୟ କ୍ରିକେଟ, ବିଶ୍ବବ୍ୟାପୀ କ୍ରିକେଟପ୍ରେମୀଙ୍କ ନଜର

ସାଉଥମ୍ପଟନ : କରୋନା ମହାମାରୀ ପାଇଁ ୩ ମାସରୁ ଉର୍ଦ୍ଧ୍ବ ସମୟ ଧରି ଅଟକି ଯାଇଥିବା ଅନ୍ତର୍ଜାତୀୟ କ୍ରିକେଟ ପୁଣି ଫେରିବ। ଚଳଚଞ୍ଚଳ ହେବ ଷ୍ଟାଡ଼ିୟମ। କ୍ରିକେଟର ଜନ୍ମଦାତା ଇଂଲଣ୍ଡ ଓ ଅଶୀ ଦଶକର ଦୁର୍ଦ୍ଦର୍ଷ ଦଳ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ବୁଧବାରଠାରୁ ସାଉଥ୍ମ୍ପଟନର ରୋଜବାୱଲରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଆଇସିସିର ନିୟମ ଅନୁଯାୟୀ ମ୍ୟାଚ ଜୈବ୍ୟ ପରିବେଶ ମଧ୍ୟରେ ଖେଳାଯିବ। ଦୀର୍ଘଦିନ ହେବ କ୍ରିକେଟ ଠପ୍ ହୋଇଯାଇଥିବାରୁ ସାଉଥମ୍ପଟନ ଉପରେ କ୍ରିକେଟପ୍ରେମୀଙ୍କ ନଜର ରହିବ। କରୋନା ମହାମାରୀ ମଧ୍ୟେର କ୍ରିକେଟ ଫେରିବାକୁ ଥିବାବେଳେ କ୍ରିକେଟପ୍ରେମୀମାନଙ୍କୁ ମଧ୍ୟ ଖୁସି ଆଣି ଦେଇଛି। ଟେଷ୍ଟ ସିରିଜ୍ ଖେଳିବା ନେଇ ୱେଷ୍ଟଇଣ୍ଡିଜ୍ ଦଳ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଇଂଲଣ୍ଡରେ ପହଞ୍ଚିବା ସହିତ ଖେଳାଳିମାନେ ଦୁଇଦୁଇ ଥର କରୋନା ପରୀକ୍ଷାର ସମ୍ମୁଖୀନ ହୋଇଥିଲେ। କରୋନା ମହାମାରୀ ମଧ୍ୟରେ ଟେଷ୍ଟ ସିରିଜ୍ ଆୟୋଜନ ହେଉଥିବାରୁ ଏହାକୁ ସ୍ମରଣ କରିବା ନେଇ ଦୁଇ ଦଳ ଚୂଡାନ୍ତ ରଣନୀତି ପ୍ରସ୍ତୁତ କରିଛନ୍ତି। ଘରୋଇ ଇଂଲଣ୍ଡର ନିୟମିତ ଅଧିନାୟକ ଜୋ ରୁଟ୍ଙ୍କ ଅନୁପସ୍ଥିତିରେ ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ଓ ୱେଷ୍ଟଇଣ୍ଡିଜ୍ ଦଳର ଜାସନ ହୋଲଡର ନେତୃତ୍ବ ନେଉଛନ୍ତି। ଉଭୟ ଦଳ ପାଇଁ ସିରିଜ୍ ଗୁରୁତ୍ବବହନ କରୁଥିବାବେଳେ ପ୍ରଥମ ମ୍ୟାଚ ଉପରେ ବିଶ୍ବ କ୍ରିକେଟର ନଜର ରହିଛି। ଗତବର୍ଷ ଜୋ ରୁଟ୍ଙ୍କ ନେତୃତ୍ବାଧିନ ଇଂଲଣ୍ଡ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତ କରି ସିରିଜ୍ ୨-୧ରେ ବିଜୟୀ ହୋଇଥିଲା। ଇଂଲଣ୍ଡ ପ୍ରଦର୍ଶନକୁ ବଜାୟ ରଖିବା ନେଇ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ରେକର୍ଡକୁ ଦେଖିଲେ ୱେଷ୍ଟଇଣ୍ଡିଜ୍ ପଲା ଭାରି ରହିଛି। ଘରୋଇ ମାଟିରେ ଇଂଲଣ୍ଡକୁ ୱେଷ୍ଟଇଣ୍ଡିଜ୍ ଚଳିତ ସିରିଜ୍ରେ କଡ୍ଡା ଟକ୍କର ଦେବ ବୋଲି ପଣ୍ଡିତମାନେ ପୂର୍ବାନୁମାନ କରିଛନ୍ତି।
କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇସିସିର ନୂଆ ନିର୍ଦେଶନାମା ଅନୁଯାୟୀ,ଖାଲି ଷ୍ଟାଡ଼ିୟମେର ମ୍ୟାଚ ଖେଳାଯିବ। ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ ଓ କାରିବିୟନ କ୍ରିକେଟ ବୋର୍ଡର ନିଷ୍ପତ୍ତି କ୍ରମେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଏହାକୁ ସ୍ବୀକୃତି ଦେଇଛି। ଖେଳାଳି ଓ ଦର୍ଶକମାନଙ୍କ ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ବ ଦିଆଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି।
ମ୍ୟାଚରେ ଆଇସିସିର ନୂଆ ନିୟମ ଅନୁଯାୟୀ କରୋନା ଗାଇଡ୍ଲାଇନ୍କୁ ମାନିବାକୁ ଉଭୟ ଦଳର ଖେଳାଳି ବାଧ୍ୟ। ସାମାଜିକ ଦୂରତ୍ବ ସହ ମାସ୍କ ବ୍ୟବହାର କରିବା ଖେଳାଳିମାନଙ୍କ ପାଇଁ ନୂଆ ଆହ୍ବାନ ହେବ। ଏହାଛଡ଼ା ବଲରେ ପାଟିର ଲାଳ ନଲଗାଇବା ଉପରେ କଟକଣା ଲାଗୁ କରାଯାଇଛି। ଆଇସିସିର ଏଭଳି ନିୟମ ବୋଲରମାନଙ୍କ ପାଇଁ ନୂଆ ଆହ୍ବାନ ହେବ। କାରଣ ବୋଲରମାନେ ବଲକୁ ସୁଇଂ କରିବା ନେଇ ବଲରେ ପାଟିର ଲାଳକୁ ବ୍ୟବହାର କରିଥାନ୍ତି। ଏବେ ଏଥିରୁ ବଞ୍ଚିତ ହେବେ।
କ୍ରିକେଟର ଜନ୍ମଦାତା ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଖେଳିବା ନେଇ ୱେଷ୍ଟଇଣ୍ଡିଜ୍ ଦଳ ୧୯୨୮ରେ ପ୍ରଥମ ଥର ପାଇଁ ଇଂଲଣ୍ଡ ଗସ୍ତ କରିଥିଲା। ୱିକେଟକିପର ତଥା ଅଧିନାୟକ ରବର୍ଟ କାରି ନୁନେସଙ୍କ ନେତୃତ୍ବରେ ଇଂଲଣ୍ଡ ମାଟିେର ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ ଖେଳିଥିଲା। ଏ. ପ୍ରେସି ଚାପ୍ମ୍ୟାନଙ୍କ ନେତୃତ୍ବାଧୀନ ଇଂଲଣ୍ଡ ଦଳ ୩-୦ରେ ସିରିଜ୍କୁ ବିଜୟ ହାସଲ କରିଥିଲା। ଏଥିମଧ୍ୟରେ ୱେଷ୍ଟଇଣ୍ଡିଜ୍ ଦଳ ୨୧ଥର ଇଂଲଣ୍ଡ ସହିତ ଘରୋଇ ପଡ଼ିଆରେ ଟେଷ୍ଟ ସିରିଜ୍ ଖେଳିଥିବାବେଳେ ୮ଥର ସିରିଜ୍ ବିଜୟ ହାସଲ କରିଛି।
ବହୁ ପ୍ରତୀକ୍ଷିତ ୱେଷ୍ଟଇଣ୍ଡିଜ୍ ଓ ଇଂଲଣ୍ଡ ମଧ୍ୟରେ ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍ ଉପରେ ସାରା ବିଶ୍ବ ନଜର ରଖିଛି। ଅନ୍ୟପକ୍ଷରେ ଦୁଇ ଦେଶ ଯେଉଁଭଳି ଭାବେ କରୋନା ମହାମାରୀ ମଧ୍ୟରେ କ୍ରିକେଟ ଖେଳିବା ନେଇ ଆଗେଇ ଆସିଛନ୍ତି ତାହା କ୍ରିକେଟ ମହଲରେ ବେଶ ପ୍ରଶଂସିତ ହୋଇଛି। ବେନ୍ ଷ୍ଟୋକ୍ସ ଓ ଜାସନ୍ ହୋଲଡରଙ୍କ ପାଇଁ ଉକ୍ତ ସିରିଜ୍ ଗୁରୁତ୍ବ ବହନ କରୁଛି। କାରଣ ବିଶ୍ବ କ୍ରିକେଟ ୩ ମାସ ଧରି ବନ୍ଦ ରହିଥିବାବେଳେ ପୁନର୍ବାର ଫେରୁଛି। ଯାହାକୁ ଦେଖିବା ନେଇ କ୍ରିକେଟପ୍ରେମୀମାନେ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି। ୱେଷ୍ଟଇଣ୍ଡିଜ୍ର ବୋଲିଂ ବିଭାଗ ଭଲ ରହିଛି। ସିରିଜରେ ପେସ୍ ବୋଲରଙ୍କ ପ୍ରଭାବ ରହିବ। ସ୍ପିନରମାନେ କୌଣସି ପ୍ରଭାବ ପକାଇବାରେ ସକ୍ଷମ ହେବେ ନାହିଁ ବୋଲି ଆଶା କରାଯାଉଛି। କେମାର ରୋଚ୍ ଜଣେ ଚତୁର ଫାଷ୍ଟ ବୋଲର। ଇଂଲଣ୍ଡର ପରିବେଶ ଫାଷ୍ଟ ବୋଲରମାନଙ୍କୁ ସୁହାଇବାବେଳେ ରୋଚ୍ ମଧ୍ୟ ଘରୋଇ ଦଳ ପାଇଁ ଘାତକ ସାଜିପାରନ୍ତି । ଦଳରେ ଏକାଧିକ ଅଲ୍ରାଉଣ୍ଡର ରହିଛନ୍ତି। ଯାହା ଦଳ ପାଇଁ ବେଶ ସହାୟକ ହେବ ବୋଲି ପୂର୍ବତନ ସ୍ପିନର ମଣ୍ଟି ପାନେସର କହିଛନ୍ତି।
ଇଂଲଣ୍ଡ ଦଳ : ବେନ୍ ଷ୍ଟୋକ୍ସ (ଅଧିନାୟକ ), ଜେମ୍ସ ଆଣ୍ଡରସନ, ଜେଫ୍ରା ଆର୍ଚର, ଡୋମିନିକ୍ ବେସ୍, ଷ୍ଟିୱାର୍ଟ ବ୍ରଡ୍, ରୋରି ବର୍ନସ, ଜୋସ୍ ବଟ୍ଲର(ୱିକେଟକିପର), ଜ୍ରାକ୍ କ୍ରାଉଲି, ଜୋ ଡେନ୍ଲି,ଓଲି ପୋପ୍, ଡମ୍ ସିବଲି, କ୍ରିସ୍ ୱକ୍ସ, ମାର୍କ ଉଡ୍।
ୱେଷ୍ଟଇଣ୍ଡିଜ୍ ଦଳ : ଜାସନ ହୋଲଡର (ଅଧିନାୟକ), ଜେରମାନି ବ୍ଲାକଉଡ୍, ନୁକୁହାମ ବୋନର, କ୍ରେଗ୍ ବାର୍ଥୱେଟ୍, ସାମରେସ୍ ବ୍ରୁକ୍ସ, ଜନ୍ କ୍ୟାମ୍ବେଲ, ରୋଷ୍ଟନ୍ ଚେଜ୍, ରାହାକିମ୍ କର୍ଣ୍ଣୱାଲ,ସେନ୍ ଡାରୱିଚ୍, ସାନନ୍ ଗ୍ରାବିଏଲ, କେମାର ହୋଲଡର,ସାହି ହୋପ୍, ଆଲଜାରି ଜୋଶେଫ, ରେମନ୍ ରିଫର, କେମାର ରୋଚ୍।