୩ଦିନ ବଢ଼ିଲା ପ୍ରଥମ ଡୋଜ ଟିକାକରଣ ଅବଧି

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ୟ୍ୟାୟ ବୁଧବାର ସୁଦ୍ଧା ଶେଷ ହୋଇଥାନ୍ତା। ହେଲେ ଏପର୍ୟ୍ୟନ୍ତ ସରକାରଙ୍କ ଲକ୍ଷ୍ୟଧାର୍ୟ୍ୟ ପୂରଣ ହୋଇନାହିଁ। ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ଼ ଯୋଦ୍ଧାଙ୍କୁ ମିଶାଇ ଟିକାକରଣ ହାର ରେକର୍ଡ ପରିମାଣ ଛୁଇଁଥିଲେ ହେଁ , ଏପର୍ୟ୍ୟନ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ହାର ୮୦ପ୍ରତିଶତରେ ରହିଛି। ଏହି ହାରକୁ ଶତପ୍ରତିଶତ କରିବା ଲାଗି ସ୍ୱାସ୍ଥ୍ୟବିଭାଗ ଗୁରୁତ୍ୱ ଦେଇଛି। ଏନେଇ ଆଜି ସ୍ୱାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲାପାଳ ଓ ମହାନଗର କମିସନରଙ୍କୁ ଏକ ନିର୍ଦେଶନାମା ଜାରି କରିଛନ୍ତି।

ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ କୋଭିଡ଼ ଟିକାକରଣ ଏକ ଜରୁରୀ କାର୍ୟ୍ୟ। ଏଥିରେ ଅବହେଳା ଆଦୌ ବରଦାସ୍ତ କରାଯିବ ନାହିଁ। ଜିଲାସ୍ତରରୁ ଯେଉଁ ଟାର୍ଗେଟ ଆସିଥିଲା ତାହା ଅଦ୍ୟାବଧି ପୂରଣ ହୋଇନାହିଁ। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ପ୍ରଥମଡୋଜ ଟିକାକରଣ କାର୍ୟ୍ୟକୁ ଆଉ ୩ଦିନ ବୃଦ୍ଧି କରାଯାଇଛି। ଏହି କାର୍ୟ୍ୟକ୍ରମ ଆସନ୍ତା ୧୩ ପର୍ୟ୍ୟନ୍ତ ଚାଲିବ। ୧୫ରୁ ଦ୍ୱିତୀୟ ଡୋଜ ଟିକାକରଣ କରାଯିବ। ଏଥିପାଇଁ ମାଇକ୍ରୋ ପ୍ଲାନ ପ୍ରସ୍ତୁତ କରି ସରକାରଙ୍କୁ ଅବଗତ କରାଇବାକୁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟରେ ୧୯ହଜାର ୩୬୯ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ଼ ଯୋଦ୍ଧା ଟିକା ନେଇଛନ୍ତି।

ଏଥିରେ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ୪ହଜାର ୨୬୧ ରହିଥିବାବେଳେ ସମ୍ମୁଖ କୋଭିଡ଼ ଯୋଦ୍ଧା ୧୫ହଜାର ୧୦୮ ରହିଛନ୍ତି। ଆଜିର ଟିକାଦାନ ହାର ମଧ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ୮୬.୯ ପ୍ରତିଶତ ଏବଂ କୋଭିଡ଼ ଯୋଦ୍ଧାଙ୍କ ହାର ୭୮.୨ ପ୍ରତିଶତ ରହିଛି। ବୁଧବାର ସୁଦ୍ଧା ରାଜ୍ୟରେ ୩ଲକ୍ଷ ୬୧ହଜାର ୬୨୩ ଜଣଙ୍କୁ ଟିକା ଦିଆଯାଇଛି। ଏଥିରେ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ୨ଲକ୍ଷ ୭୩ହଜାର ୬୪୭ ରହିଥିବାବେଳେ କୋଭିଡ଼ ଯୋଦ୍ଧାଙ୍କ ସଂଖ୍ୟା ୮୭ହଜାର ୯୭୬ ରହିଛି। ଭୁବନେଶ୍ୱରରେ ଆଜି ୧୪ଟି କେନ୍ଦ୍ରରେ ୨୪୦୦ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ଼ ଯୋଦ୍ଧାଙ୍କୁ ଟିକାଦେବାକୁ ଲକ୍ଷ୍ୟ ଥିବାବେଳେ ୨୫୪୦ଜଣ ନେଇଛନ୍ତି। ରାଜ୍ୟରେ ୮୦ପ୍ରତିଶତ ହୋଇଥିବାବେଳେ ରାଜଧାନୀରେ ୧୦୫.୮ ପ୍ରତିଶତ ହୋଇଛି। ଆଜି ୧୨୦ଟି କେନ୍ଦ୍ରରେ ୧୪ହଜାର ୨୨୭ କୋଭିଡ଼ ଯୋଦ୍ଧାଙ୍କୁ ଟିକାକରଣ କରିବା ପାଇଁ ବିଭାଗ ଲକ୍ଷ୍ୟ ରଖିଛି।

Comments are closed.