ଦୁଇ ସପ୍ତାହ ମଧ୍ୟରେ ବଜାରକୁ କରୋନା ଟୀକା ଛାଡ଼ିବ ରୁଷ

ମସ୍କୋ: ଆସନ୍ତା ୨ ସପ୍ତାହ ମଧ୍ୟରେ ରୁଷ ବଜାରରେ ମିଳିବ କରୋନା ଟୀକା । ରୁଷ ସ୍ବାସ୍ଥ୍ୟମନ୍ତ୍ରୀ ମିକାଇଲ୍ ମୁରାସ୍କୋ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ପ୍ରଥମ ପର୍ଯ୍ୟୟ ଟୀକା ବଜାରରେ ୨ ସପ୍ତାହ ମଧ୍ୟରେ ଉଲବ୍ଧ ହେବ ଏବଂ ଯେଉଁମାନେ ଚାହିଁବେ ତାହାକୁ ନେଇ ପାରିବେ । ରୁଷ ନାଗରିକଙ୍କୁ ଏ କ୍ଷେତ୍ରରେ ପ୍ରାଥମିକତା ଦିଆଯିବ ଏବଂ ଏହାପରେ ବିଦେଶକୁ ରପ୍ତାନୀ ନିମନ୍ତେ ଚିନ୍ତା କରାଯିବ । ଅନ୍ୟପକ୍ଷରେ ରୁଷର ପ୍ରାୟ ୨୦% ଡ଼ାକ୍ତରଙ୍କ ମତ ଅନୁସାରେ ଲୋକଙ୍କ ମଧ୍ୟରେ କରୋନା ସହନକ୍ଷମତା ବୃଦ୍ଧି ହୋଇ ସାରିଛି ଓ ସେମାନଙ୍କ ଶରୀରରେ ସ୍ବତଃ କରୋନା ପ୍ରତିରୋଧୀ ଶକ୍ତି ସୃଷ୍ଟି ହୋଇଛି । ତେଣୁ ସେମାନଙ୍କର ଟୀକା ନେବାର ଆବଶ୍ୟକତା ନାହିଁ । ତଥାପି ଯେଉଁମାନେ ଚାହିଁବେ ଏହି ଟୀକା ନେଇ ପାରିବେ ବୋଲି ଏହି ଡ଼ାକ୍ତର ଗୋଷ୍ଠୀଙ୍କ ପକ୍ଷରୁ କୁହାଯାଇଛି ।

ରୁଷ ସ୍ବାସ୍ଥ୍ୟମନ୍ତ୍ରୀ ମିଖାଇଲ୍ କହିଛନ୍ତି ଯେ ଏହି ଟୀକା କୋଭଡ଼-୧୯ ବିରୋଧରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇ ପାରିବ ଏବଂ ଅନ୍ୟ ଦେଶକୁ ମଧ୍ୟ ଏହାକୁ ଆମେ ପଠାଇବୁ । କିନ୍ତୁ ଘରୋଇ ଆବଶ୍ୟକତା ଭରଣା କରାଯିବା ପରେ ଏ ନେଇ ବିଚାର କରାଯିବ । ଏହି ଅବସରରେ କିଛି ୟୁରୋପୀୟ ଦେଶ ପକ୍ଷରୁ ରୁଷ ପ୍ରସ୍ତୁତ ଟୀକାର ଗୁଣବତ୍ତାକୁ ନେଇ ଉଠାଯାଇଥିବା ପ୍ରଶ୍ନକୁ ନିରାଧାର ବୋଲି କହିଛନ୍ତି ମିଖାଇଲ୍ । ସେ କହିଛନ୍ତି ଯେ ଆମର ବିଦେଶୀ ବନ୍ଧୁ ରାଷ୍ଟ୍ରମାନେ କରୋନା ଟୀକା ବିକଶିତ କରିବାରେ ଆମକୁ ପ୍ରତିଦ୍ବନ୍ଦ୍ବୀ ବୋଲି ମନେ କରୁଛନ୍ତି, ଯେଉଁଥିପାଇଁ ସେମାନଙ୍କ ମନରେ ଏପରି ଭାବନା ଆସୁଛି । ଏପରି ବିଚାର ଅତ୍ୟନ୍ତ ଆଧାରହୀନ ଓ ଏହି ଟୀକାର ବିକାଶ ସବୁ ଦିଗକୁ ଦୃଷ୍ଟିରେ ରଖି କରାଯାଇଛି ।

ରୁଷ ପ୍ରସ୍ତୁତ କରୋନା ଟୀକା ‘ସ୍ଫୁଟନିକ୍ ବି’ ଗୈମଲିଆ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍ ଓ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ମିଳିତ ଭାବରେ ବିକଶିତ କରାଯାଇଛି । ରୁଷର ପ୍ରଥମ ଉପଗ୍ରହ ସ୍ଫୁଟନିକର ଲୋକପ୍ରିୟତା ଆଧାରରେ ଏହି ଟୀକାର ନାମ ସ୍ପୁଟନିକ୍ ବି ବୋଲି ରଖାଯାଇଥିବା ସୂଚନା ମିଳିଛି ।

Comments are closed.