ସୁସ୍ଥ ବ୍ୟକ୍ତିଙ୍କ ଅନୁଭୂତି କରୋନାକୁ ଡରନା , କରୋନାକୁ ହରାଇଲେ ୯୫ ବର୍ଷୀୟ ବୃଦ୍ଧ

ସୋରଡ଼ା/ ଭୁବନେଶ୍ବର : କରୋନାକୁ ମାତ ଦେଇଛନ୍ତି ଗଞ୍ଜାମ ଜିଲାର ଜଣେ ୯୫ ବର୍ଷୀୟ ବୃଦ୍ଧ। ଟାଟା କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସେ ଘରକୁ ଫେରିଛନ୍ତି। ଦୃଢ ମନୋବଳ ଓ ଠିକଣା ସମୟରେ ଚିକିତ୍ସା ସେବା ପାଇଲେ ଜଣେ କରୋନାକୁ ମାତ ଦେଇପାରିବ ବୋଲି କହିଛନ୍ତି ସୋରଡା ବ୍ଲକା ଚାକୁଣ୍ଡା ଗ୍ରାମର ୯୫ ବର୍ଷୀୟ ବୃଦ୍ଧ ଉଦୟନାଥ ବିଷୋୟୀ।
ସୂଚନା ମୁତାବକ ସୋରଡା ବ୍ଲକ ସରାବାଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚାକୁଣ୍ଡା ଗ୍ରାମନିବାସୀ ଉଦୟ ନାଥ ବିଷୋୟୀ ଚଳିତ ମାସ ପ୍ରଥମାର୍ଦ୍ଧରେ ଥଣ୍ଡା ଓ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗତ ୬ ତାରିଖରେ ତାଙ୍କର ସ୍ୱାବ୍‍ ପରୀକ୍ଷା ନିମନ୍ତେ ପଠାଯାଇଥିଲା। ୯ ତାରିଖରେ ରିପୋର୍ଟରେ ପଜିଟିଭ୍‍ ଆସିବା ପରେ ତାଙ୍କୁ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍‍ ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ସେ ୧୦ ଦିନ ଚିକିତ୍ସିତ ହେବା ପରେ ରବିବାର ଅପରାହ୍ନରେ ସୁସ୍ଥ ହୋଇ ନିଜ ଗ୍ରାମକୁ ଫେରିଛନ୍ତି। ସମୟାନୁବର୍ତ୍ତିତା ଓ ଦୃଢ ମନୋବଳ ଥିଲେ ରୋଗରୁ ମୁକ୍ତି ପାଇପାରିବ ବୋଲି କହିଛନ୍ତି ଉଦୟନାଥ । ସେ ବର୍ତ୍ତମାନ ସମ୍ପୁର୍ଣ୍ଣ ସୁସ୍ଥ ଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ସୁସ୍ଥ ହୋଇ ଘରକୁ ଫେରିବା ପରେ ଉଦୟନାଥଙ୍କୁ ସ୍ଥାନୀୟ ପ୍ରଶାସନ ଓ ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି। ତିନି ପୁଅ, ଦୁଇ ଝିଅ ଏବଂ ସ୍ତ୍ରୀକୁ ନେଇ ତାଙ୍କର ସଂସାର। ଝିଅମାନେ ବାହା ହୋଇସାରିଥିବା ବେଳେ ପୁଅମାନେ ମଧ୍ୟ ପରିଣତ ବୟସରେ ପହଞ୍ଚି ସାରିଲେଣି।
ରାଜ୍ୟରେ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟ ହାର ମଧ୍ୟ ଖୁବ୍‍ ଭଲ ଅଛି। କିଛିଦିନ ତଳେ କନ୍ଧମାଳ ଜିଲା ରାଇକିଆ ବ୍ଳକ୍‍ ଇନ୍ଦ୍ରଗଡ଼ର ୮୧ ବର୍ଷୀୟ ବୃଦ୍ଧ ଗୋପୀନାଥ ଡାକୁଆ ଭୁବନେଶ୍ୱରର ଏକ କୋଭିଡ୍‍ କେୟାର୍‍ ସେଣ୍ଟରରୁ ସୁସ୍ଥ ହୋଇ ଫେରିଥିଲେ। ପରେ ପରେ କେନ୍ଦ୍ରାପଡ଼ା ଅଞ୍ଚଳର ସୁରେନ୍ଦ୍ର ପତି ନାମରେ ଆଉ ଜଣେ ୮୫ ବର୍ଷୀୟ ବୃଦ୍ଧ କରୋନା କେୟାର୍‍ ସେଣ୍ଟରରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ।
ସୁସ୍ଥ ବ୍ୟକ୍ତିଙ୍କ ଅନୁଭୂତି କରୋନାକୁ ଡରନା
ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ମହାମାରୀ ସ୍ଥିତି ବେଶ୍ ଭଲ ଅଛି। ଏଠି ମୃତ୍ୟୁହାର ଅପେକ୍ଷାକୃତ କମ୍ ଥିବା ବେଳେ ପଜିଟିଭ୍ ବାହାରୁ ଥିବା ଅନେକ ବ୍ୟକ୍ତିଙ୍କ ଠାରେ ଲକ୍ଷଣ ଦେବାକୁ ମିଳୁନାହିଁ। କିନ୍ତୁ କରୋନାକୁ ନେଇ କୋକୁଆ ଭୟ ରହିଛି। ସଂକ୍ରମିତ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ଘରୁ ଶବ ଉଠି ପାରୁ ନ ଥିବା ବେଳେ ଆଉ କେଉଁଠି ସ୍ବାସ୍ଥ୍ୟକର୍ମୀଙ୍କୁ ପାଖ ପୂରାଇ ଦେଉ ନାହାନ୍ତି। କିଛି ସ୍ଥାନରେ ସାମାଜିକ ବାସନ୍ଦ ଭଳି ଦୃଶ୍ୟ ଦେଖାଯାଉଛି। କିନ୍ତୁ କରୋନାକୁ ପରାସ୍ତ କରି ଘରକୁ ଫେରିଥିବା ଲୋକ ଭିନ୍ନ ମତ ରଖିଛନ୍ତି। କରୋନାକୁ ଭୟ ନୁହେଁ; ବରଂ ନିଜକୁ ପ୍ରସ୍ତୁତ ରଖିବା ଆବଶ୍ୟକ ବୋଲି ମତ ଦେଇଛନ୍ତି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସୁସ୍ଥ ବ୍ୟକ୍ତିଙ୍କ ଏହି ଭିଡିଓ ମହାମାରୀ ଭୟକୁ ଅନେକାଂଶରେ କମାଇବାରେ
ସହାୟକ ହେବ ବୋଲି ତଥ୍ୟାଭିଜ୍ଞ ମହଲରେ ମତପ୍ରକାଶ ପାଇଛି।

ଦୁଇଦିନ ପୂର୍ବେ କେନ୍ଦ୍ରାପଡ଼ା ଜିଲାର ଜଣେ ୮୫ ବର୍ଷୀୟ କର୍କଟ ରୋଗୀ ଓ ତାଙ୍କର ୭୮ ବର୍ଷୀୟ ପତ୍ନୀ ସୁସ୍ଥ ହୋଇ ଘରକୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଦୁହିଁଙ୍କୁ ଶୁଭେଚ୍ଛା ଜଣାଇବା ସହ ଏଭଳି ଏକ ସଙ୍କଟଜନକ ସ୍ଥିତିରେ ଅନ୍ୟମାନଙ୍କୁ ସୁସ୍ଥ ସବଳ ରହିବା ପାଇଁ ପ୍ରେରଣାଦାୟକ ବୋଲି କହିଥିଲେ। ଗତକାଲି ସୁସ୍ଥ ହୋଇଥିବା ଜଣେ ୮୦ ବର୍ଷୀୟ ପୁରୁଷ କହିଛନ୍ତି, କୋଭିଡ୍‌କୁ ନେଇ ଆଦୌ ଭୟଭୀତ ହେବା ଉଚିତ ନୁହେଁ। ଡାକ୍ତରଖାନାରେ ଉତ୍ତମ ଚିକିତ୍ସା ସହିତ ଅନ୍ୟ ବ୍ୟବସ୍ଥା ବହୁତ ଭଲ ରହିଛି। କରୋନାକୁ ହରାଇ ଥିବା ଯାଜପୁର ତହସିଲଦାର ସୁଶାନ୍ତ କୁମାର ପତି କହିଛନ୍ତି, ସାମାନ୍ୟ ଥଣ୍ଡା ଲକ୍ଷଣ ଦେଖାଦେବାରୁ ଜୁନ୍ ୨୪ ତାରିଖରେ ମୁଁ ସ୍ବାବ୍ ପରୀକ୍ଷା କରାଇଥିଲି। ୨୮ ତାରିଖରେ ରିପୋର୍ଟ ପଜିଟିଭ୍ ଆସିବା ପରେ ବହୁତ ବ୍ୟସ୍ତ ଓ ବିବ୍ରତ ଲାଗିଥିଲା। ସେହି ରାତିରେ ଡୁବୁରୀ ସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ପହଞ୍ଚିବା ପରେ ଚିକିତ୍ସା ଆରମ୍ଭ ହୋଇଥିଲା। ୧୦ ଦିନର ଚିକିତ୍ସା ଭିତରେ ରୋଗକୁ ନେଇ ଥିବା ମୋ ଭୟ ଦୂର ହୋଇଥିଲା। ତେଣୁ କରୋନାକୁ ନେଇ ଅଯଥାରେ ଆତଙ୍କିତ ହେବା ଅନୁଚିତ ବୋଲି ସେ କହିଛନ୍ତି। ଏବେ ରାଜ୍ୟରେ ସଂକ୍ରମିତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଢେର୍‌ ଅଧିକ ରହିଛି। ଏଯାଏଁ ୧୮୧୧୦ ସଂକ୍ରମିତଙ୍କ ମଧ୍ୟରୁ ୧୨୯୧୦ ରୋଗୀ ସୁସ୍ଥ ହେଲେଣି।

 

 

Comments are closed.