ବିଜୟ ଯୁଗର ଅବସାନ

ଭୁବନେଶ୍ୱର/ଚନ୍ଦ୍ରଶେଖରପୁର : ‘ମୁଁ ଭଲ ହୋଇଯାଏ, ପୁଣି ନାଟକ କରିବା। ମଞ୍ଚ କମ୍ପାଇବା। ଦର୍ଶକଙ୍କ ହୃଦୟ ଜିଣିବା।’ ଏ ଥିଲା କେଇ ଦିନ ପୂର୍ବରୁ ହସ୍ପିଟାଲରୁ ଫେରି ଘରେ ଅବସ୍ଥାନ ସମୟରେ ପରିଚିତ ଅଭିନେତା ବିଜୟ ମହାନ୍ତିଙ୍କ ଅନ୍ତରର କଥା। ସେଦିନ ଦୁଇ ନାଟ୍ୟ ନିର୍ଦେଶକଙ୍କୁ ସେ ଦେଇଥିବା କଥା କଥାରେ ରହିଗଲା। ଶେଷରେ ସମସ୍ତଙ୍କୁ ପର କରି ଆଖିରେ ଲୁହ ଦେଇ ଚାଲିଗଲେ ଓଡ଼ିଆ ଚଳଚ୍ଚିତ୍ର, ମଞ୍ଚ ଜଗତର ପ୍ରିୟ କଳାକାର, ଦରଦୀ ମଣିଷ ବିଜୟ ମହାନ୍ତି। ଯାହାଙ୍କ ବିୟୋଗ ରାଜ୍ୟବାସୀଙ୍କୁ ଶୋକାଭିଭୂତ କରିବା ସହ କଳା ଜଗତରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି।

ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କର ଏଠାରେ ଏକ ଘରୋଇ ହସ୍ପିଟାଲରେ ସୋମବାର ରାତି ୯.୧୦ରେ ପରଲୋକ ଘଟିଛି। ତାଙ୍କୁ ୭୦ବର୍ଷ ହୋଇଥିଲା। କିଛି ଦିନ ପୂର୍ବରୁ ସେ ହାଇଦରାବାଦରୁ ଫେରି ଏହି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ସେ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଥିଲେ। ସେଠାରେ ଅବସ୍ଥାନ କରୁଥିବାବେଳେ ହଠାତ୍‌ ତାଙ୍କ ପଲ୍‌ସ କମିଯିବାରୁ ତାଙ୍କୁ ଆଜି ରାତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁଯାୟୀ, ଗତ ମେ ୨୭ ତାରିଖରେ ଶ୍ରୀ ମହାନ୍ତିଙ୍କୁ ହାଇଦରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡିସ୍‌ଚାର୍ଜ ଦିନ ତାଙ୍କର ହୃଦ୍‌ଘାତ ହେବା ସହ ଚିକିତ୍ସା ଜାରି ରହିଥିଲା। ଏହି ଅବସରରେ ସେ ଓଡ଼ିଶା ଆସିବା ନିମନ୍ତେ ଇଚ୍ଛା ପ୍ରକଟ କରିବାରୁ ତାଙ୍କୁ ଭୁବନେଶ୍ବର ସାଂସଦଙ୍କ ଉଦ୍ୟମ କ୍ରମେ ଗତ ମାସ ଏଠାକୁ ଅଣାଯାଇଥିଲା। ଏଠାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବାବେଳେ ସାଥୀ କଳାକାର, ଶୁଭେଚ୍ଛୁ ଓ ପ୍ରଶଂସକ ଆଶୁ ଆରୋଗ୍ୟ କାମନା କରି ଆସୁଥିଲେ। ଜନ୍ମମାଟି ପାଣ୍ଡିରିରେ ଗ୍ରାମବାସୀ ପୂଜାର୍ଚ୍ଚନା ମଧ୍ୟ କରିଥିଲେ। ହେଲେ ଶେଷରେ ସମସ୍ତଙ୍କୁ ପର କରି ବାହୁଡ଼ିଗଲେ ଏହି ଅନୁଭବୀ କଳାକାର, ଯୁବ ପ୍ରତିଭାଙ୍କ ପ୍ରେରଣାର ଉତ୍ସ, କଳାର କିମ୍ବଦନ୍ତୀ ପୁରୁଷ।

କେନ୍ଦ୍ରାପଡ଼ା ଜିଲା ପାଣ୍ଡିରି ଗାଁରେ ୧୯୫୦ରେ ବିଜୟଙ୍କ ଜନ୍ମ। ବାପା ଆଦିକନ୍ଦ ମହାନ୍ତି ଓ ମା’ ଶାନ୍ତିଲତା ମହାନ୍ତି। ଶୈଶବ କଳାଭୂମି ବାରିପଦାରେ ବିତିଥିଲା। ସେଠାରେ ଏମ୍‌କେସି ହାଇସ୍କୁଲରେ ପଢ଼ିବାବେଳେ ସେ ମଞ୍ଚ ନାଟକରେ ସାମିଲ ହୋଇଥିଲେ। ବି.ଏ ପାସ୍‌ ପରେ ସେ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମାରେ ଯୋଗ ଦେଇଥିଲେ। ବିଶିଷ୍ଟ ଅଭିନେତା ନାଶିରୁଦ୍ଦିନ ଶାହା, ରାଜ ବବର, ଓମ୍‌ପୁରୀ ପ୍ରମୁଖ ତାଙ୍କ ସହପାଠୀ ଥିଲେ। ୧୯୭୫ ପର୍ୟ୍ୟନ୍ତ ସେ ଦିଲ୍ଲୀରେ ଅବସ୍ଥାନ କରିବା ସହ ଥିଏଟର କରି ଆସୁଥିଲେ। ଓଡ଼ିଶା ଫେରିବା ପରେ ସେ ମଞ୍ଚ ନାଟକରେ ନିର୍ଦେଶନା ଦେଲେ। ୧୯୭୭ରେ ଓଡ଼ିଆ ଚଳଚ୍ଚିତ୍ର ‘ଚିଲିକା ତୀରେ’ରୁ ସେ ଅଭିନୟ ଆରମ୍ଭ କରିଥିଲେ। ଏହି ଚିତ୍ର ଜାତୀୟ ପୁରସ୍କାର ପ୍ରାପ୍ତ ହୋଇଥିଲା। ପ୍ରାରମ୍ଭିକ ସମୟରେ ତାଙ୍କୁ ଖଳ ଚରିତ୍ରରେ ଅଭିନୟ ନିମନ୍ତେ ସୁଯୋଗ ମିଳିଥିଲା। ନାଗଫାଶ, ସମୟ ବଡ଼ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ, ଚକା ଆଖି ସବୁ ଦେଖୁଛି ପରି ଏକାଧିକ ଚିତ୍ରରେ ସେ ପ୍ରଭାବଶାଳୀ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ଆରତି, ମମତା ମାଗେ ମୂଲ, ଏଇ ଆମ ସଂସାର, ଆମ ଘର ଆମ ସଂସାର, କି ହେବ ଶୁଆ ପୋଷିଲେ, ଭୀଷ୍ମ ପ୍ରତିଜ୍ଞା, ଭାଇ ହେଲା ଭଗାରୀ, ସୁନା ପଞ୍ଜୁରି, ଲକ୍ଷ୍ମଣରେଖା, ରାକ୍ଷୀ ଭିଜିଗଲା ଆଖି ଲୁହରେ, ଆଇ ଲଭ୍‌ ମାଇଁ ଇଣ୍ଡିଆ ପ୍ରଭୃତି ୧୮୦ରୁ ଅଧିକ ଚିତ୍ରରେ ସେ ଅଭିନୟ କରିଥିଲେ। ସେ ମଧ୍ୟ ଓଡ଼ିଆ ଚଳଚ୍ଚିତ୍ର ‘ଭୁଲି ହୁଏନା’ରେ ନିର୍ଦେଶନା ଦେଇଥିଲେ।


ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ନାଟକ ବିଭାଗରେ ସେ ୧୯୭୭ରେ ଯୋଗ ଦେଇଥିବାବେଳେ ଜଣେ ପ୍ରଫେସର ଭାବେ ସେଠାରୁ ଅବସରଗ୍ରହଣ କରିଥିଲେ। ସେ ମଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ବ ତୁଲାଇଥିଲେ। ତାଙ୍କ ଉଦ୍ୟମରେ ବାରିପଦାରେ ଯୁଗେଚ୍ଛା ନାମରେ ଏକ ନାଟ୍ୟଦଳ ଗଢ଼ି ଉଠିଥିଲା। ଯେଉଁ ଅନୁଷ୍ଠାନ ଏକାଧିକ ସଫଳ ନାଟକ ଦର୍ଶକଙ୍କୁ ଭେଟି ଦେଇଥିଲା। ସେ ଦୂରଦର୍ଶନର – ଆଶାର ଆଲୋକ, ଶ୍ରୀଜଗନ୍ନାଥ, ସୁଭଦ୍ରା, ସାରା ଆକାଶ, ସମୟ ଚକ, ସକାଳର ଅପେକ୍ଷାରେ, ନଦେଖିଲା ଲୋକ ଦେଖ, ମହାଯଜ୍ଞ, ବିଧାତାର ଖେଳ ପ୍ରଭୃତି ଧାରାବାହିକରେ ଅଭିନୟ କରିଥିଲେ।

୨୦୧୪ ଫେବୃଆରୀ ୨୭ରେ ବିଜୟ କଂଗ୍ରେସରେ ଯୋଗ ଦେଇଥିଲେ। ସେ ଭୁବନେଶ୍ବର ଲୋକସଭା ଆସନରୁ ସାଂସଦଭାବେ ଲଢ଼ି ପରାଜିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ରାଜନୀତିରୁ ନିଜକୁ ଦୂରେଇ ନେଇ ଅଭିନୟରେ ମନୋନିବେଶ କରିଥିଲେ। ଯାତ୍ରା ନିର୍ଦେଶନା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଥିଲା।
ଅଭିନେତ୍ରୀ ତନ୍ଦ୍ରା ରାୟଙ୍କୁ ସେ ବିବାହ କରିଥିଲେ। ତାଙ୍କ ସହ ବିଜୟ ଏକାଧିକ ଚିତ୍ରରେ ଅଭିନୟ କରିବା ସହ ସଫଳ ଯୋଡ଼ି ଭାବେ ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ଏକମାତ୍ର କନ୍ୟା ଯସ୍ମିନ ଅଛି।

ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସେ ୨୦୧୪ରେ ଜୟଦେବ ସମ୍ମାନ ପ୍ରାପ୍ତ ହୋଇଥିଲେ। ସେ ମଧ୍ୟ ୬ରୁ ଅଧିକ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, କଳା ସଂସ୍କୃତି କ୍ଷେତ୍ରକୁ ଅନନ୍ୟ ଅବଦାନ ନିମନ୍ତେ ଜାତୀୟ ପୁରସ୍କାର, ଓଡ଼ିଶା ସିନେ କ୍ରିଟିକ୍‌ ସମ୍ମାନ ପ୍ରଭୃତି ପ୍ରାପ୍ତ ହୋଇଥିଲେ। ବିଜୟଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ବିଜୟଙ୍କ ପରଲୋକ ଖବର ପାଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଧାୟକ ସୁଶାନ୍ତ ରାଉତ, ସିନେ କଳାକାର ସଂଘର ସମ୍ପାଦକ ଶ୍ରୀତମ ଦାସ, ଅଭିନେତା ଅଜିତ ଦାସ, ଅଖିଳ ପଟ୍ଟନାୟକ, ରାଇମୋହନ ପରିଡ଼ା, ଉଷସୀ ମିଶ୍ର, ବିଦୁସ୍ମିତା, ବର୍ଷା ଆଲାମ୍‌, ବିଜୁ ବଡ଼ଜେନା ପ୍ରମୁଖ ବହୁ କଳାକାର ହସ୍ପିଟାଲରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।

Comments
Loading...