ରବିଧାନରେ ଏବେ ବ୍ଲାଷ୍ଟ ଓ କାଣ୍ଡବିନ୍ଧା ପୋକର ପ୍ରଭାବ

କଲମପୁର : କଳାହାଣ୍ଡି ଜିଲା ଧର୍ମଗଡ ଉପଖଣ୍ଡ ଅଂଚଳରେ ଜାରି ରହିଛି ରବି ଧାନ ଚାଷ। ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ୱେ ଚାଷୀ ଏବେ ଚାଷ କାର୍ଯ୍ୟ କରୁଥିବା ବେଳେ ଦାଉ ସାଧୁଛି ରୋଗ ପୋକର ପ୍ରଭାବ। ୪୦ ପ୍ରତିଶତ ଚାଷୀ ଗତ ୧୫ ଦିନ ମଧ୍ୟରେ ରୁଆ କାର୍ଯ୍ୟ ଶେଷ କରିଥିବା ବେଳେ ମାସକ ଆଗରୁ ୬୦ ପ୍ରତିଶତ ଚାଷୀ ସେମାନଙ୍କ ରୁଆ କାର୍ଯ୍ୟ ଶେଷ କରି ସାରିଛନ୍ତି। ଚାଷୀ ମାନେ ଦ୍ୱିତୀୟ ତୃତୀୟ ପର୍ଯ୍ୟାୟ ସାର ପ୍ରୟୋଗ କରୁଥିବା ବେଳେ ଏବେ ବ୍ଲାଷ୍ଟ, ପତ୍ରମମୋଡା ଓ ମୂଳସଢା ରୋଗ ସହିତ କାଣ୍ଡ ବିନ୍ଧା ପୋକର ପ୍ରଭାବ ଦେଖା ଦେଇଛି। କଲମପୁର ଅଂଚଳରେ ଚାଷୀଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ ଚାଷ କରାଯାଉଥିବାରୁ ଅନେକ ନାମୀ ବେନାମୀ କୀଟନାଶକ କମ୍ପାନୀଙ୍କ ପ୍ରଭାବ ଦେଖା ଦେଉଛି। ଏହାସହ ଏହି ଅଂଚଳରେ ଆନ୍ଧ୍ର ପ୍ରଦେଶୀ ଚାଷୀଙ୍କ ପ୍ରଭାବ ଥିବାରୁ ଚାଷୀ ଆବଶ୍ୟକ ଠାରୁ ଅଧିକ ଖତ ସାର ପ୍ରୟୋଗ କରିବାକୁ ବାଧ୍ୟ ହେଉଛନ୍ତି। ଏଭଳି ସ୍ଥିତିରେ କୃଷି ବିଭାଗ ମଧ୍ୟ ନିରବ ଦର୍ଶକ। ସରକାରଙ୍କ ଦ୍ୱାରା ନିୟୋଜିତ କୃଷି କର୍ମଚାରୀ କୌଣସି କୃଷି କ୍ଷେତ୍ର ପରିଦର୍ଶନ କରୁନଥିବାରୁ ଚାଷୀ ଚାଷ ସମ୍ବନ୍ଧୀୟ ସରକାରୀ ଯୋଜନା ସମ୍ବନ୍ଧରେ ଅଜ୍ଞ ରହୁଛନ୍ତି। ନିଜ ଚାଷର ସମସ୍ୟା ଓ ସମାଧାନ ପାଉନଥିବାରୁ କୀୟନାଶକ ଦୋକନୀଙ୍କ ଭରସା କରୁଛନ୍ତି। ଅନ୍ୟପଟେ ଏହି ଅଂଚଳରେ ସରକାର ଯୋଗାଉଥିବା ରିହାତି କେବଳ ହାତ ଗଣତି ମୁଷ୍ଟିମେୟ ଚାଷୀ ପାଉଥିବା ବେଳେ ବହୁ ଛୋଟ ଓ ମଧ୍ୟମ ବର୍ଗର ଚାଷୀ ବଂଚିତ ହେଉଛନ୍ତି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନେଲେ ଆଗାମୀ ଦିନରେ ଅଂଚଳର ଚାଷୀ ଉପକୃତ ହେଇ ପାରିବେ। ଏହାସହ ଅଧିକ ଖର୍ଚ୍ଚାନ୍ତରୁ ମକୁଳି ପାରିବେ।

Comments are closed.