ଉତ୍କଟ ହେଲା ପାନୀୟ ଜଳ ସଂକଟ, ସମାଧାନ ଦାବିରେ ଟିଟିଲାଗଡ଼ ବନ୍ଦ ଡାକରା

ଟିଟିଲାଗଡ଼ : ଟିଟିଲାଗଡ ପୌରାଞ୍ଚଳରେ ଚଳିତ ଗ୍ରୀଷ୍ମ ଋତୁର ପ୍ରାରମ୍ଭରୁ ହିଁ ପାନୀୟ ଜଳ ସଂକଟ ଉତ୍କଟ ହୋଇଛି। ସହରବାସୀ ପାନୀୟ ଜଳ ଯୋଗାଣରେ ପ୍ରଶାସନର ଖାମଖିଆଲି ନୀତିକୁ ପ୍ରତିବାଦ କରିବା ସହ ଆଜି ସଫଳ ବନ୍ଦ ପାଳନ ଦେଖିବାକୁ ମିଳିଛି। ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ନେଇ ସହରରେ ସମସ୍ତ ଦୋକାନ ବଜାର ସ୍ୱତଃ ବନ୍ଦ ରହିଥିବା ଦେଖାଯାଇଥିଲା।
ବିଜେପି ନେତା କର୍ମୀ ବିକ୍ଷୋଭ କରି ସହରର ସମସ୍ତ ବ୍ୟାଙ୍କ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟଗୁଡିକୁ ବନ୍ଦ କରିଦେଇଥିବା ଦେଖାଯାଇଥିଲା। ତେବେ ପ୍ରବଳ ଗ୍ରୀଷ୍ମ ତାତି ନେଇ ଯାତ୍ରୀ ସେବା ତଥା ଜରୁରୀକାଳିନ ସେବାକୁ ବନ୍ଦରୁ ବାଦ ଦିଆଯାଇଥିଲା। ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ପରିଷଦ ସଦସ୍ୟ ନରସିଂ ସିଂଙ୍କ ନେତୃତ୍ୱରେ ଏନେଇ ଆଜି ସକାଳୁ ଶତାଧିକ ଦଳୀୟ କର୍ମି ବାଇକ ଶୋଭାଯାତ୍ରାରେ ବାହାରି ଥିଲେ। ବଲାଙ୍ଗିର ସାଂସଦଙ୍କ ନଗର ପ୍ରତିନିଧି ମୁକେଶ ଜୈନ, ଜିଲା ଉପସଭାପତି ରାକେଶ ମିଶ୍ର, ସାଧାରଣ ସମ୍ପାଦକ ଅମିତ ସିଂ ନିନା, ଜିଲା ପରିଷଦ ସଭ୍ୟ ଦିଲିପ ଖର୍ସେଲ, ଜିଲା ସମ୍ପାଦକ ଅଶୋକ ମିଶ୍ର, ଜିଲା ଯୁବ ଉପସଭାପତି ପବିତ୍ର ସାହୁ, ଟିଟିଲାଗଡ ନଗର ଶାଖା ଉପସଭାପତି ଲିଙ୍ଗରାଜ ନାୟକ, ରାଜେଶ ଅଗ୍ରୱାଲ, ବରିଷ୍ଠ ନେତା ସୁଧିର ଘଡେଇ, ନିମାଇଁ ଚରଣ ବେହେରା, ବିପିନ ଠାକୁର, ରାଜୁ ରାଓ, ଭବାନି ପ୍ରସାଦ ଷଡଙ୍ଗୀ, ଧୁବଲେ ପୋଢ, ମହେଶ୍ୱର ଘିବେଲା, ସନତ ସାହୁ, ଶମ୍ଭୁ ପ୍ରସାଦ ପାଢୀ, ବିଶ୍ୱଜିତ ଦାସ, ବିନୟ ନାଗ, ଅମିତ ସାହୁ, ନରେନ୍ଦ୍ର ସାହୁ, ମିଥୁନ ବେହେରା, ଆକାଶ ବାଗ, ଶ୍ରୀପତି ଭୋଇ ପ୍ରମୁଖ ବହୁ ନେତା କର୍ମି ବନ୍ଦରେ ସାମିଲ ହୋଇଥିଲେ। ବିଜେପି ନେତାକର୍ମି ସହରରେ ଶୋଭାଯାତ୍ରା ସମୟରେ ବିଭିନ୍ନ ୱାର୍ଡରେ ମହିଳାମାନେ ଖାଲି ଗରିଆ, ବାଲଟି ଧରି ରାସ୍ତାକୁ ଓହ୍ଲାଇ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ। ପରେ ସ୍ଥାନୀୟ ପୌର କାର୍ଯ୍ୟାଳୟ ପରିସରରେ ବିଜେପି ନେତା ଉପଜିଲାପାଳ ସୋମେଶ ଉପାଧ୍ୟାୟଙ୍କୁ ସାକ୍ଷାତ ସହ ପାନୀୟ ଜଳ ସମସ୍ୟାର ତୁରନ୍ତ ନିରାକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ। ପାନୀୟ ଜଳ ସମସ୍ୟାର ତୁରନ୍ତ ନିରାକରଣ ପାଇଁ ପ୍ରଶାସନ କୌଣସି ପଦକ୍ଷପ ଗ୍ରହଣ ନକଲେ ଆଗାମୀ ଦିନରେ ଦଳ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ ବୋଲି ଏନେଇ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।