ରୋଗୀ ସଂର୍ପକୀୟଙ୍କ ଠାରୁ ଲାଞ୍ଚ ନେଇ ଧରା ପଡିଲେ ଡାକ୍ତର

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ବିପିନ ବିହାରୀ ସାହୁ ସୋମବାର ଜଣେ ରୋଗୀଙ୍କ ସଂର୍ପକୀୟଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନା ଅନୁଯାୟୀ, ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ବ୍ରାହ୍ମଣୀପାଲି ଗ୍ରାମର ବସନ୍ତ ପ୍ରଧାନ(୬୦) ନାମକ ଜଣେ ରୋଗୀ ଗତ ୨୪ ଫେବ୍ରୁୟାରୀରେ ହାଇଡ୍ରୋସିଲ୍‍ ଅପରେସନ୍‍ ପାଇଁ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ହାଇଡ୍ରୋସିଲ୍‍ ଅପରେସନ୍‍ କରିବା ପାଇଁ ଡାକ୍ତରଖାନା ଅଧୀକ୍ଷକ ତଥା ସର୍ଜରୀ ବିଶେଷଜ୍ଞ ଡା.ବିପିନ ବିହାରୀ ସାହୁଙ୍କୁ ଯୋଗାଯୋଗ କରିଥିଲେ। ତେବେ ଡ. ସାହୁ ଅପରେସନ ପରେ ୭ ହଜାର ଟଙ୍କା ନେବା ପାଇଁ ଦାବି କରିଥିବା ବେଳେ ରୋଗୀଙ୍କ ଭଣଜା ରେଢ଼ାଖୋଲ ଏଲଏଆଇସି କଲୋନୀର ସୋମ୍ୟରଂଜନ ପ୍ରଧାନ ୫ହଜାର ୫ ଶହ ଟଙ୍କା ଦେବୁ ବୋଲି କହିଥିଲେ। ବସନ୍ତଙ୍କ ଭଣଜା ସୋମ୍ୟ ଡାକ୍ତରଙ୍କ ଅର୍ଥ ଦାବିକୁ ସହଜରେ ଗ୍ରହଣ କରିପାରି ନଥିଲେ। ବିଚଳିତ ସୋମ୍ୟ ଏସଂକ୍ରାନ୍ତରେ ସମ୍ବଲପୁର ଭିଜିଲାନ୍ସ ବିଭାଗ ସହିତ ଯୋଗାଯୋଗ କରିଥିଲେ। ଏନେଇ ଭିଜିଲାନ୍ସ ବିଭାଗ ଦ୍ୱାରା ଗଠିତ ଟିମ୍‍ ର ଦାୟିତ୍ୱ ନେଲେ ଡିଏସପି ପରମେଶ୍ୱର କିସାନ। ଭିଜିଲାନ୍ସ ବିଭାଗ ସୋମବାର ଡ. ସାହଙ୍କୁ ଲାଞ୍ଚ ଦେବା ବେଳେ ସାଧା ପୋଷାକରେ ଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ। ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନା କେସ ନଂ ୧୦/୨୦୨୧ ରେ ୭(ପିସି) ସଂଶୋଧିତ ୨୦୧୮ ଧାରା ଅନୁସାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡିଏସପି ଶ୍ରୀ କିସାନ ସୂଚନା ଦେଇଛନ୍ତି।

Comments are closed.