ଶ୍ରୋତାଙ୍କ ମନମୋହିଲା ‘ବରଗୀତ୍ ଓ ଅଭଙ୍ଗ ରଙ୍ଗ’ ସଙ୍ଗିତ

ଉଦ୍‌ଯାପିତ ହେଲା ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ‘ସମର୍ପଣ’

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଭୁବନେଶ୍ୱର ମ୍ୟୁଜିକ ସର୍କଲ ପକ୍ଷରୁ ତିନିଦିନ ବ୍ୟାପୀ ଚାଲିଥିବା ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ ୯ମ ବାର୍ଷିକ ଉତ୍ସବ ‘ସମର୍ପଣ’ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ଆସାମୀ ଆଧ୍ୟାତ୍ମିକ ଲୋକ ସଙ୍ଗୀତ ସହିତ ଅଭଙ୍ଗ ରଙ୍ଗ ପରିବେଷିତ ହୋଇଥିଲା, ଯାହା ଶ୍ରୋତାଙ୍କୁ ମନୋରଞ୍ଜନ ଯୋଗାଇବାରେ ସହାୟକ ହୋଇଥିଲା।

ପ୍ରଥମେ ମଞ୍ଚକୁ ପ୍ରବେଶ କରିଥିଲେ ସଙ୍ଗୀତା ଚାମୁହୁ। ସେ ପରିବେଷଣ କରିଥିଲେ ବରଗୀତ୍‍ ଏବଂ ଆସାମର ଭକ୍ତି ସଙ୍ଗୀତ। ବରଗୀତ୍‍ ସଙ୍ଗୀତ ମାଧବଦେବଙ୍କ ଦ୍ୱାରା ରଚିତ ଯାହା ବିଭିନ୍ନ ମଠ ମାନଙ୍କରେ ପ୍ରାର୍ଥନା ସେବା ଆରମ୍ଭ ପାଇଁ ଗାନ କରାଯାଏ। ସଙ୍ଗୀତାଙ୍କ ପ୍ରଥମ ଉପସ୍ଥାପନା ଥିଲା ରାଗ ଶ୍ୟାମ କଲ୍ୟାଣ। ଏହାପରେ ସେ ରାଗ ଗୌରୀ ସହିତ ଆସାମର ଲୋକପ୍ରିୟ ଭକ୍ତି ସଙ୍ଗୀତ, ଭଜନ ଏବଂ ଲୋକ ସଙ୍ଗୀତ ପରିବେଷଣ କରିଥିଲେ। ସଙ୍ଗୀତା ସହ ବଂଶୀ ବାଦନରେ ଶ୍ରୀନିବାସ ଶତପଥି, ଗିଟାରରେ ଭବତୋଶ ମହାନ୍ତି, ତବଲାରେ ତାପଶ ପଲ୍‍, ଢୋଲକରେ ରବି ନାରାୟଣ ବାରିକ ଏବଂ ପରକ୍ୟୁସନରେ ପ୍ରମୋଦ କୁମାର ସାହୁ ଯୋଗ ଦେଇଥିଲେ।

ଏହାପରେ ମଞ୍ଚକୁ ଆସିଥିଲେ ପଣ୍ଡିତ ସଞ୍ଜିବ ଅଭୟଙ୍କର। ସେ ପରିବେଷଣ କରିଥିଲେ  ଅଭଙ୍ଗ ରଙ୍ଗ।  ଅଭଙ୍ଗ ଭଗବାନ ଭିଟ୍ଟଲାଙ୍କ ପାଖରେ ଗାନ କରାଯାଇଥାଏ । ଆକ୍ଷରିକ ଭାବରେ ଏହାର ଅର୍ଥ ହେଉଛି ଏକ ନିଖୁଣ ଏବଂ ନିରବଚ୍ଛିନ୍ନ କବିତା ପରିବେଷଣ । ପଣ୍ଡିତ ଅଭୟଙ୍କର ଜଣେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଏବଂ ଭକ୍ତି ସଙ୍ଗୀତ କ୍ଷେତ୍ରରେ ଆନ୍ତର୍ଜାତୀୟ ସ୍ତରର ସୁପରିଚିତ କଳାକାର । ତାଙ୍କୁ ଗାୟନରେ ଅର୍ପୁଭ ଦ୍ରାବିଡ଼, ତବଲାରେ ଅଜିଙ୍କ୍ୟା ଯୋଶୀ ଏବଂ ହାରମୋନିୟମରେ ଅଭିନାୟ ରଭାଣ୍ଡେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ଯାହାକୁ ଶେଷ ପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ଉପସ୍ଥିତ ରହି ତାଙ୍କର ଏହି ସଙ୍ଗୀତକୁ ମନଭରି ଉପଭୋଗ କରୁଥିଲେ।

ଉଦ୍‌ଯାପନୀ ସନ୍ଧ୍ୟାରେ ଅତିଥି ଭାବେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ ଆହ୍ଲାବାଦ ବେଞ୍ଚର ସଦସ୍ୟ ଗୋକୁଳଚନ୍ଦ୍ର ପତି; ବିଶିଷ୍ଟ ତବଲା ବାଦକ ଉମେଶ ଚନ୍ଦ୍ର କର; ଭୁବନେଶ୍ୱର ମ୍ୟୁଜିକ୍ସ ର୍କଲର ସଭାପତି ଅରବିନ୍ଦ ବେହେରା ଏବଂ ଭୁବନେଶ୍ୱର ମ୍ୟୁଜିକ୍ ସର୍କଲର ସାଧାରଣ ସମ୍ପାଦକ କ୍ଷୀରୋଦ କୁମାର ପଟ୍ଟନାୟକ। ସଙ୍ଗୀତା ଗୋସାଇଁ ଓ ଆଦ୍ୟାଶା ଦାସ  କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

Comments are closed.