ସ୍ବସ୍ତିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

କଟକ: ଜାତୀୟ ସାଇକେଲ ଚାଳନା ଚମ୍ପିଆନସିପ୍‌ରେ ନୂତନ ରେକର୍ଡ ସୃଷ୍ଟି କରିଥିବା ଓଡ଼ିଶାର ସ୍ବସ୍ତି ସିଂହଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ବୁଧବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବସ୍ତିଙ୍କୁ ୨ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ସ୍ବସ୍ତିଙ୍କ ଏହି ସଫଳତା ଲାଗି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହିତ ଆଗକୁ ଭଲ ପ୍ରଦର୍ଶନ କରିବା ନେଇ ଶୁଭକାମନା କରିଥିଲେ। ସାଇକେଲିଂ କ୍ରୀଡ଼ାରେ ତୁମର ସଫଳତା ଆଗାମୀ ପିଢିର ମହିଳା କ୍ରୀଡ଼ାବିତ୍‌ମାନଙ୍କୁ ପ୍ରେରଣା ଯୋଗାଇବା ସହିତ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ।


ଅନ୍ୟପକ୍ଷରେ ସମ୍ବର୍ଦ୍ଧନା ଓ ଆର୍ଥିକ ପୁରସ୍କାର ପାଇଁ ସ୍ବସ୍ତି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ସ୍ପସ୍ତି ଗୁଆହାଟୀରେ ଆୟୋଜିତ ୨୦୨୦ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ। ନିକଟରେ ମହାରାଷ୍ଟ୍ରର ପୁଣେରେ ଆୟୋଜିତ ୨୫ତମ ଜାତୀୟ ରୋଡ୍‌ ସାଇକେଲିଂ ଚମ୍ପିଆନସିପ୍‌ର ବ୍ୟକ୍ତିଗତ ୩୦୦୦ ମିଟର ପର୍ସ୍ୟୁଟ୍‌ରେ ୪:୦୫:୫୪୭ ସେକେଣ୍ଡରେ ଅତିକ୍ରମ କରି ଜାତୀୟ ରେକର୍ଡ ସହ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ଏହାଛଡ଼ା ହାଇଦରାବାଦ୍‌ରେ ଆୟୋଜିତ ୭୨ତମ ଜାତୀୟ ଟ୍ରାକ୍‌ ସାଇକେଲିଂ ଚମ୍ପିଆନସିପ୍‌ରେ ୧୦ କିଲୋମିଟର ଓ ୨୦ କିଲୋମିଟରରେ ରୌପ୍ୟ ପଦକ ହାସଲ କରିଥିଲେ। ସୂଚନାଯୋଗ୍ୟ; ସ୍ବସ୍ତି ବର୍ତ୍ତମାନ ଦିଲ୍ଲୀର ଜାତୀୟ ସାଇକେଲିଂ ଏକାଡ଼େମୀରେ ପ୍ରଶିକ୍ଷଣ ନେଉଛନ୍ତି।

Comments are closed.