ନେତାଜୀ ଓଡ଼ିଶାର ନୁହଁନ୍ତି ବୋଲି ପ୍ରମାଣତି କରିବାକୁ ଚେଷ୍ଟା କରୁଛି କେନ୍ଦ୍ର – କଂଗ୍ରେସ

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳନ ନିମନ୍ତେ କେନ୍ଦ୍ର ସରକାରଙ୍କ ଘୋଷିତ ୮୫ ଜଣିଆ ଜାତୀୟ କମିଟି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଲକ୍ଷ୍ୟରେ ରାଜନୈତିକ ଉଦ୍ଦେଶ୍ୟରେ ଗଠନ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଅନ୍ୟ ପକ୍ଷରେ ନେତାଜୀ ଓଡ଼ିଶାର ନୁହଁନ୍ତି ବୋଲି ପ୍ରମାଣତି କରିବାକୁ ଚେଷ୍ଟା କରିଛି ବିଜେପି ଏବଂ କେନ୍ଦ୍ର ସରକାର ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି। ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ୮୫ଜଣିଆ କମିଟିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଓଡ଼ିଶାରୁ ମାତ୍ର ୩ଜଣ ସଦସ୍ୟ ଅଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ନେତାଜୀ ଓଡ଼ିଶା ମାଟିରେ କଟକ ସହରରେ ଜନ୍ମ ଗ୍ରହଣ କରିଥିଲେ। ସେଥିଯୋଗୁଁ କମିଟିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଟକ ସାଂସଦ ଭର୍ତୁହରି ମହତାବ ସ୍ୱାଭାବିକ ଭାବେ ସ୍ଥାନ ପାଇବେ। କମିଟିର ସମନ୍ୱୟକାରୀ ଭୂମିକା ତୁଲାଉ ଥିବା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ରଙ୍କୁ ମଧ୍ୟ କମିଟିରେ ନିଆଯାଇଛି। ତେବେ ଏହି କମିଟିରେ ୮୫ ଜଣ ଥିବା ବେଳେ ଓଡିଶାରୁ ମାତ୍ର ୩ ଜଣ କଣ ପାଇଁ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଅଭିଯୋଗ କରିଛନ୍ତି, ଓଡ଼ିଶାର ଦୁଇଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଓ ଗିରିଧାରୀ ଗମାଙ୍ଗ ଏବେ ସକ୍ରୀୟ ଥିବାବେଳେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ କମିଟିରେ ନିଆଯାଇଥିବା ସ୍ଥଳେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ସଦସ୍ୟ ଭାବେ ନିଆଗଲା ନାହିଁ। ଏହା ବ୍ୟତୀତ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଦଶଜଣ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଥାନ ମିଳିଛି। ସେଥିରେ ପଶ୍ଚିମବଙ୍ଗ କୋଟାରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଓ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରପତି ଦେବଶ୍ରୀ ଚୌଦୁରୀ ଅଛନ୍ତି। ଓଡ଼ିଶାର ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ କମିଟିରେ କାହିଁକି ସ୍ଥାନ ମିଳିନାହିଁ।

କଂଗ୍ରେସ ଅଭିଯୋଗ କରିଛି ଯେ କମିଟିରେ ୧୬ଜଣ ସାଂସଦଙ୍କୁ ସଦସ୍ୟ ଭାବେ ନିଆଯାଇଛି। ଏମାନଙ୍କ ମଧ୍ୟରୁ ୧୧ ଜଣ ସାଂସଦ ପଶ୍ଚିମବଙ୍ଗ ରାଜ୍ୟର। କଟକ ସହର ନେତାଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ କେନ୍ଦ୍ର ସରକାର ବାଧ୍ୟ ହୋଇ ସ୍ଥାନୀୟ ସାଂସଦ ଭର୍ତୃହରି ମହତାବକୁ ସଦସ୍ୟ ଭାବେ ନେଇଛନ୍ତି। କେନ୍ଦ୍ର ସରକାରଙ୍କ ଆଖିରେ ଲୋକସଭା ଓ ରାଜ୍ୟ ସଭାରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଅନ୍ୟ ୩୦ ଜଣ ସାଂସଦ କ’ଣ ଯୋଗ୍ୟ ନୁହଁନ୍ତି କି? କମିଟିରେ ପଶ୍ଚିମବଙ୍ଗର ଜଣେ ପୂର୍ବତନ ସାଂସଦଙ୍କୁ ସଦସ୍ୟ ଭାବେ ନିଆଯାଇଛି। ଓଡ଼ିଶାର କେହି ପୂର୍ବତନ ସାଂସଦଙ୍କୁ କାହିଁକି ସ୍ଥାନ ମିଲିଲା ନାହିଁ? କମିଟିରେ ପଶ୍ଚିମବଙ୍ଗ ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଓଡ଼ିଶା ବିଧାସଭାରେ ବାକି ୧୪୬ ଜଣ ବିଧାୟକ, ଏପରିକି କଟକ ସହରର ସ୍ଥାନୀୟ ବିଧାୟକଙ୍କୁ କାହିଁକି ସଦସ୍ୟ ଭାବେ ନିଆଗଲା ନାହିଁ?

ତେବେ କମିଟିରେ ସୁରଟ ଜିଲ୍ଲାର ଜଣେ ସଂରପଚଙ୍କୁ ସଦସ୍ୟ ଭାବେ ନିଆଯାଇ ଥିବା ବେଳେ ନେତାଜୀଙ୍କ ପ୍ରତି ତାଙ୍କର କ’ଣ ଅବଦାନ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ପଚାରିଛନ୍ତି ଯେ କମିଟିରେ ସ୍ଥାନ ପାଇଥିବା ଚଳଚିତ୍ର ଅଭିନେତା, ଅଭିନେତ୍ରୀ, କ୍ରିକେଟ ତାରକା, ଫୁଟବଲ ତାରକା, ଐତିହାସିକ, ଗବେଷକ, ଶିକ୍ଷାବିତ୍‍ ଓ ବୁଦ୍ଧିଜୀବିଙ୍କ ମଧ୍ୟରୁ ପ୍ରାୟତଃ ପଶ୍ଚିମବଙ୍ଗ ଅଂଚଳର। ଏଭଳି କମିଟି ପାଇଁ କେନ୍ଦ୍ର ସରକାର କୌଣସି ଓଡ଼ିଆକୁ କାହିଁକି ଯୋଗ୍ୟ ଭାବିଲେ ନାହିଁ।

Comments are closed.