ବିଜେଡିର କଟାକ୍ଷ, ଚାଷୀ ଆୟ ଦ୍ୱିଗୁଣିତ କରିବାରେ କେନ୍ଦ୍ର ବିଫଳ

ନୂଆଦିଲ୍ଲୀ: ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ସାଧାରଣ ଜନତାଙ୍କୁ ପ୍ରଭାବିତ କରିବା ଭଳି କିଛି ନଥିଲା। ରାଷ୍ଟ୍ରପତିଙ୍କ ଚିରାଚରିତ ସମ୍ବୋଧନରେ ଗତ ବର୍ଷକ ମଧ୍ୟରେ ସରକାରଙ୍କ ବିଭିନ୍ନ କାର୍ୟ୍ୟକ୍ରମର କେବଳ ଉପସ୍ଥାପନା ରହିଥିଲା ବୋଲି ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି। ବିଜେଡି ତରଫରୁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସାଂସଦ ଶ୍ରୀ ଆଚାର୍ୟ୍ୟ ଗତ ଜାନୁଆରୀ ୨୬ରେ ଲାଲକିଲ୍ଳାରେ ଘଟିଥିବା ଘଟଣାକୁ ସ୍ୱାଧୀନତା ପରେ ଭାରତରେ ଘଟିଥିବା ସବୁଠାରୁ ବଡ଼ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଥିଲେ। ଘଟଣା ପଛର ସତ୍ୟାସତ୍ୟ ଜାଣିବାକୁ ସୁପ୍ରିମକୋର୍ଟ ବିଚାରପତିଙ୍କ ତଦାରଖରେ ଏକ ତଦନ୍ତକାରୀ କମିଟି ଗଠନ କରିବାକୁ ବିଜେଡି ତରଫରୁ ପ୍ରସ୍ତାବ ଦେଇଥିଲେ। ସାଂସଦ ଶ୍ରୀ ଆଚାର୍ୟ୍ୟ କହିଥିଲେ ଯେ ଜାନୁଆରୀ ୨୬ ଘଟଣା ପାଇଁ କେବଳ କେତେକ କୃଷକ ସଂଗଠନକୁ ଦୋଷ ଦେଲେ ଲାଭ ମିଳିବ ନାହିଁ। ହଜାର ହଜାର ସଂଖ୍ୟାରେ ଲୋକ ଲାଲକିଲା ଭିତରକୁ କେମିତି ପଶିଲେ, ଏମାନଙ୍କ ପଛରେ କିଏ ଅଛି, ପୁଲିସ ଓ ପ୍ରଶାସନ, କୃଷକନେତା ଏବଂ ସରକାରଙ୍କ ଭୂମିକା କ’ଣ ରହିଥିଲା ତାହା ବିଷୟରେ ଲୋକଙ୍କର ଜାଣିବା ଅଧିକାର ରହିଛି।

କିଛି ବର୍ଷ ଧରି ଦେଶରେ ବିଭିନ୍ନ କାରଣରୁ ଲାଗି ରହିଥିବା ହିଂସା ବାତାବରଣ ନେଇ ଚିନ୍ତାପ୍ରକଟ କରିଥିଲେ ସାଂସଦ ଶ୍ରୀ ଆଚାର୍ୟ୍ୟ। ଦେଶରେ ଅହିଂସାର ବାତାବରଣ ସୃଷ୍ଟିର ଆବଶ୍ୟକତା ବିଷୟରେ ଉଲ୍ଲେଖ କରି ସମ୍ବିଧାନ ମୁଖବନ୍ଧରେ ଅହିଂସା ଶଦ୍ଦ ସ୍ଥାନିତ କରିବାକୁ ପ୍ରସ୍ତାବ ଦେଇଥିଲେ। ଦୁଇବର୍ଷ ଧରି ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଅହିଂସା ଶଦ୍ଦକୁ ସମ୍ବିଧାନ ମୁଖବନ୍ଧରେ ସ୍ଥାନିତ କରିବା ପ୍ରସ୍ତାବ ବିଷୟରେ ରାଜ୍ୟସଭାରେ ମନେପକାଇ ଦେଇଥିଲେ ସାଂସଦ ଶ୍ରୀ ଆଚାର୍ୟ୍ୟ।

କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ଜାରି ରହିବା ବିଷୟ କେନ୍ଦ୍ର ସରକାର ବାରମ୍ବାର କହୁଥିବାବେଳେ ଆଇନରେ କାହିଁକି ବ୍ୟବସ୍ଥା କରାଯାଉ ନାହିଁ ବୋଲି ବିଜେଡି ତରଫରୁ ପ୍ରଶ୍ନ କରାଯାଇଥିଲା। ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପ୍ରସଙ୍ଗରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି ବୋଲି ଦର୍ଶାଇ ୨୦୧୪ ତୁଳନାରେ ୨୦୨୧ରେ ଚାଷୀଙ୍କ ଆୟ ସତରେ କେତେ ବଢ଼ିଛି ବୋଲି ସରକାରଙ୍କଠାରୁ ଜାଣିବାକୁ ଚାହିଁଥିଲେ। କୃଷି ବିଧେୟକକୁ ସିଲେକ୍ଟ କମିଟିକୁ ପଠାଇବାକୁ ବିଜେଡି ତରଫରୁ ପ୍ରସ୍ତାବ ଦିଆଯାଇଥିଲା। ସୁପ୍ରିମକୋର୍ଟ କୃଷି ଆଇନ ପ୍ରସଙ୍ଗରେ ଏକ କମିଟି ଗଠନ କରିଛନ୍ତି। ବିଜେଡିର ଦାବି ଅନୁଯାୟୀ କୃଷି ବିଧେୟକର ତର୍ଜମା ଲାଗି ସିଲେକ୍ଟ କମିଟିକୁ ପଠାଯାଇଥିଲେ କ’ଣ ଅସୁବିଧା ହୋଇଥାନ୍ତା ବୋଲି ସରକାରଙ୍କୁ ପ୍ରଶ୍ନ କରିଥିଲେ।

ବିଗତ ଏକ ଶହ ବର୍ଷରେ ୧୨୯ଥର ପ୍ରାକୃତିକ ବିପର୍ୟ୍ୟୟ ସମ୍ମୁଖୀନ ହୋଇଥିବା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟ ମାନ୍ୟତା ପ୍ରଦାନ, ରାଜ୍ୟକୁ ସ୍ୱତନ୍ତ୍ର ଅନୁଦାନ, ଲୋକସଭାରେ ମହିଳା ସ୍ଥାନ ସଂରକ୍ଷଣ ବିଧେୟକକୁ ପାରିତ କରିବା, ଓଡ଼ିଶାରେ ବିଧାନ ପରିଷଦ ଗଠନ ଲାଗି ସଂସଦରେ ବିଧେୟକ ଉପସ୍ଥାପନ କରିବା, କୋଶଳୀ/ସମ୍ବଲପୁରୀ ସାନ୍ତାଳୀ ଓ ହୋ ଭାଷାକୁ ସମ୍ବିଧାନିକ ମାନ୍ୟତା ପ୍ରଦାନ, କୋଇଲା ରୟାଲଟି ସଂଶୋଧନ, ଅଧିକ ସଂଖ୍ୟକ ଜନଔଷଧି କେନ୍ଦ୍ର ଖୋଲିବା, ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର ସ୍ଥାପନ, ରାଜ୍ୟକୁ ୬୦ ପ୍ରତିଶତ କ୍ଲିନ ସେସ ପ୍ରଦାନ, ଜରୁରୀକାଳୀନ ପରିସ୍ଥିତି ସମୟରେ ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ସାମିଲ ସଂଗ୍ରାମୀଙ୍କୁ କେନ୍ଦ୍ରୀୟ ମାନ୍ୟତା ଆଦି ଦାବି ସାଂସଦ ଶ୍ରୀ ଆଚାର୍ୟ୍ୟ ରଖିଥିଲେ।

Comments are closed.