ଆମ ସମ୍ବିଧାନର ଜନ୍ମ ଓ ପ୍ରଗତି

ବିପିନ ବିହାରୀ ମିଶ୍ର

ସମ୍ବିଧାନ ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ କରାହେଲା ୧୯୫୦ ମସିହାରେ। ଇତିମଧ୍ୟରେ ୭୦ବର୍ଷ ପାର ହୋଇଗଲାଣି ଏକସ୍ତରି ବର୍ଷ ବୟସ୍କ ସମ୍ବିଧାନର ସଂଶୋଧନ ହେଲାଣି ଶହେରୁ ଊର୍ଦ୍ଧ୍ବ ଥର। ନୈରାଶ୍ୟବାଦୀମାନେ କହନ୍ତି ଯେ, ୧୭୮୭ ମସିହାରେ ହୋଇଥିବା ଆମେରିକାର ସମ୍ବିଧାନର ସଂଶୋଧନ ମାତ୍ର ୨୭ଥର ହୋଇଛି ଓ ସେଥିରୁ ଦଶଥର ହୋଇଛି ମୌଳିକ ଅଧିକାର ବିଷୟରେ; କିନ୍ତୁ ଆମ ସମ୍ବିଧାନ ହେଉଛି ଏକ ପୁରୁଣା କନ୍ଥା ଯାହାର ତାଳିପକା ବାରମ୍ବାର ହେଉଛି। ଏମିତି ତାଳିପକା କେତେଦିନ ଚାଲିଥିବ ? ଆଶାବାଦୀମାନେ କହୁଛନ୍ତି ଯେ, ସମ୍ବିଧାନ ଏକ ବିଶାଳ ଧାତୁଗଢ଼ା ମୂର୍ତ୍ତି ଯାହାକୁ ମଝିରେମଝିରେ ସଫା କରାଯାଉଛି ଓ ସେ ପୂର୍ବଭଳି ଚମକୁଛି। ସ୍ବାଧୀନ ଭାରତର ଶ୍ରେଷ୍ଠ ସମ୍ପତ୍ତି ମଧ୍ୟରୁ ଏହା ଗୋଟିଏ। ସମ୍ବିଧାନର କେତେକ ବିଶେଷତ୍ବ, ଯଥା- ଏହା ବିଶ୍ବରେ ସବୁଠାରୁ ବଡ଼ ସମ୍ବିଧାନ। ଆରମ୍ଭ ହେଲା ୩୯୫ ଧାରାରେ। ଭାରତର ଶ୍ରେଷ୍ଠ ଜ୍ଞାନୀ, ଗୁଣୀ, ଦେଶପ୍ରେମୀ, ନେତା, ବିଶିଷ୍ଟ ଆଇନଜ୍ଞ ସମସ୍ତେ ମିଶି ସମ୍ବିଧାନ କରିଛନ୍ତି। ତିନିବର୍ଷରୁ ଊର୍ଦ୍ଧ୍ବ ସମୟ ଲାଗିଲା ଏହାକୁ ପ୍ରସ୍ତୁତ କରିବା ପାଇଁ। ବିସ୍ମୟର କଥା ଯେ ୨୯୨ ସଦସ୍ୟ ଥିବା ବିଧାନ ପ୍ରଣୟନ ସଭାରେ ଏହା ଏତେ ଦିନ ଆଲୋଚିତ ହେଲା; କିନ୍ତୁ କୌଣସି ଗୋଟିଏ ଧାରା ଉପରେ ମଧ୍ୟ ଭୋଟ ଦାବି ହୋଇନାହିଁ, ଯଦିବା ବହୁମତ ପ୍ରକାଶ ପାଉଥିଲା, ଯୁକ୍ତିତର୍କ ହେଉଥିଲା। ଆସେମ୍ବ୍ଲିର ଉଷ୍ମତା ବଢ଼ିଯାଉଥିଲା; କିନ୍ତୁ ସମାଧାନ ହେଉଥିଲା, ଆସେମ୍ବ୍ଲି ବାହାର ଲବିରେ ସର୍ଦାର ପଟେଲଙ୍କର ପ୍ରଚେଷ୍ଟାରେ। ସର୍ଦାର ପଟେଲ ଆସେମ୍ବ୍ଲିରେ କହୁଥିଲେ କମ୍‌ ଓ ଶୁଣୁଥିଲେ ବେଶୀ। ପଣ୍ଡିତ ନେହେରୁ ତାଙ୍କ ଭାଷଣ ଯୁକ୍ତିରେ ସମସ୍ତଙ୍କୁ ଚମତ୍କୃତ କରୁଥିଲେ ଓ ପଟେଲ୍‌ ପରଦାର ଆଢ଼ୁଆଳରେ ମୋ ହିତ କରିପାରୁଥିଲେ। ଏ ଦୁଇଜଣ ସାଙ୍ଗରେ ଥିଲେ ରାଜେନ୍ଦ୍ର ପ୍ରସାଦ ଯିଏ କି ସଭାପତିତ୍ବ କାର୍ଯ୍ୟ ଦକ୍ଷତାର ସହିତ କରିପାରିଥିଲେ। ପୁଣି ସାହିତ୍ୟିକ, ଆଇନଜ୍ଞ, ଐତିହାସିକ, ସ୍ବାଧୀନତା ସଂଗ୍ରାମୀ କେ ଏମ୍‌ ମୁନ୍‌ସି ତାଙ୍କର ମତାମତ ଦେଇ ଆଲୋଚନାକୁ ପରିପୁଷ୍ଟ କରୁଥିଲେ। ବିଶିଷ୍ଟ ଆଇନଜ୍ଞ ଡଃ ଆମ୍ବେଦକର ଚିଠା କମିଟିର ଥିଲେ ସଭାପତି। ଭାରତ ଓ ଭାରତ ବାହାରେ ପ୍ରସିଦ୍ଧ ହୋଇଥିବା ଆଇନଜ୍ଞ ସାର୍‌ ଆଲାଡି କ୍ରିଷ୍ଣାସ୍ବାମୀ ଆୟାର ବହୁ ମୂଲ୍ୟବାନ ମତ ଦେଇଛନ୍ତି। ସମ୍ବିଧାନ ତିଆରିରେ ଯାହା ଆଲୋଚନା ହୋଇଛି ଓ ମତ ମିଳିଛି ତାହା ଏଗାରଟି ଖଣ୍ଡରେ ପ୍ରକାଶିତ ହୋଇଛି ଏବଂ କେତେକ ଖଣ୍ଡ ଏକ ହଜାର ପୃଷ୍ଠାରୁ ଅଧିକା।

ଏଇ ସମ୍ବିଧାନର ପୃଷ୍ଠଭୂମି ଦେଖିବା। ଭାରତର ସମ୍ବିଧାନ ଆଇନଜ୍ଞଙ୍କ ଦ୍ବାରା ହୋଇଛି ଆଇନଜ୍ଞଙ୍କ ପାଇଁ ଓ ଆଇନଜ୍ଞଙ୍କ ବ୍ୟକ୍ତିଗତ ସମ୍ପତ୍ତି; କିନ୍ତୁ ଯେଉଁ ଆଇନଜ୍ଞଙ୍କ କଥା କୁହାଯାଉଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ପେସାରେ ଆଇନଜ୍ଞ ନଥିଲେ। ପେସା ତ ଥିଲା ସ୍ବାଧୀନତା ଆନ୍ଦୋଳନ। ଅର୍ଜନ ଛାଡ଼ି ସେମାନେ ନିଜକୁ ସମର୍ପଣ କଲେ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ଆନ୍ଦୋଳନରେ। ଯେତେବେଳେ ସ୍ବାଧୀନତାର ଘଣ୍ଟି ବାଜିଲା ଭାରତରେ ଏକ ସମ୍ବିଧାନ ଆବଶ୍ୟକ ବୋଲି ଜଣାପଡ଼ିଲା, ସେତେବେଳେ କଂଗ୍ରେସ ଦଳର ଦାବିରେ ତତ୍କାଳୀନ ଭାଇସ୍‌ ରାଏ ୱାଭେଲ୍‌ ପ୍ରଣୟନ ସଭା (କନ୍‌ଷ୍ଟିଚ୍ୟୁଏଣ୍ଟ ଆସେମ୍ବ୍ଲି) ଦାବିରେ ତାକୁ ଗଠନ କଲେ। ସେତେବେଳେ ପ୍ରଦେଶମାନଙ୍କରେ ଯେଉଁ ଆସେମ୍ବ୍ଲି ଥିଲା ସେମାନେ କନ୍‌ଷ୍ଟିଚ୍ୟୁଏଣ୍ଟ ଆସେମ୍ବ୍ଲିର ସଦସ୍ୟମାନଙ୍କୁ ନିର୍ବାଚିତ କଲେ। ସେମାନେ ନିର୍ବାଚିତ ହୋଇଥିଲେ କେତେକ ନିର୍ଦିଷ୍ଟ ଭୋଟରମାନଙ୍କ ଦ୍ବାରା (ଯଥା- ଶିକ୍ଷାଗତ ଯୋଗ୍ୟତା କେତେ ଥିବ କିମ୍ବା କେତେ ସମ୍ପତ୍ତି ଥିବ ଇତ୍ୟାଦି)। ଏମାନଙ୍କ ସଂଖ୍ୟା ପ୍ରାୟ ୩୦ଲକ୍ଷ ଥିଲା। ୩୦ଲକ୍ଷ ଲୋକଙ୍କ ପ୍ରତିନିଧି ବାଛିଲେ ଦୁଇଶହ ବୟାନବେ ଜଣଙ୍କୁ; କିନ୍ତୁ ଅନ୍ୟ ଉପାୟ ନଥିଲା। ଯଦି ଭୋଟ ନହୋଇଥାନ୍ତା ତେବେ ଇଂରେଜ ସରକାର ତାଙ୍କୁ ସୁହେଇଲା ଭଳି ସଦସ୍ୟ ବାଛିଥାନ୍ତେ ଏବଂ ଆମ ସମ୍ବିଧାନ ଉପରେ ବେଶୀ ପ୍ରଭାବ ପଡ଼ିଥାନ୍ତା ଇଂଲଣ୍ଡର ଅଲିଖିତ ସମ୍ବିଧାନର। ଇଂଲଣ୍ଡର ଅଲିଖିତ ସମ୍ବିଧାନରେ ବିଚାର ବିଭାଗର କ୍ଷମତା ସଙ୍କୁଚିତ। ସେ ଦେଶରେ ସଂସଦ ସର୍ବୋଚ୍ଚ କର୍ତ୍ତା ଏବଂ ସଂସଦ ଦ୍ବାରା ହୋଇଥିବା ଆଇନକୁ ବିଚାର ବିଭାଗ ରଦ୍ଦ କରିପାରିବ ନାହିଁ। କେବଳ ପ୍ରାଶାସନିକ ପଦକ୍ଷେପକୁ ସେମାନେ ରଦ୍ଦ କରିପାରିବେ। ଯାହା ହେଉ ଯେତେବେଳେ ଆସେମ୍ବ୍ଲି ବସିଲା ଯାହାକୁ ସାହାଯ୍ୟ କରିବା ପାଇଁ ଅନେକ ରିପୋର୍ଟ ଅଣାଗଲା। ଏଥି ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ହେଉଛି ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ୍‌ଙ୍କ ଦ୍ବାରା ହୋଇଥିବା ୧୮୯୫ର ସ୍ବରାଜ୍ୟ ବିଲ୍‌। ୧୮୮୫ରେ ଆରମ୍ଭ ହୋଇଥିବା ଏବଂ ଜଣେ ଇଂରେଜ ପ୍ରଶାସକଙ୍କ ଦ୍ବାରା ଅନୁପ୍ରାଣିତ ହୋଇଥିବା କଂଗ୍ରେସ ଦଳ ସେତେବେଳେ ସ୍ବାଧୀନତାର ଚିନ୍ତା ବି କରିନଥିଲେ। ବିଶିଷ୍ଟ ନେତା, ଯଥା- ଦାଦାଭାଇ ନାରୋଜି, ଗୋପାଳକୃଷ୍ଣ ଗୋଖ୍‌ଲେ ପ୍ରମୁଖ ଲୋକର ଦୁଃଖ ଦୁର୍ଦଶା ଜଣେଇବା, ସ୍ବାୟତ୍ତ ଶାସନ ପାଇଁ ଦାବି କରିବା ଇତ୍ୟାଦିରେ ନିଜକୁ ଉତ୍ସର୍ଗ କରିଥିଲେ। ସେତେବେଳେ ସ୍ବାଧୀନତା ଆନ୍ଦୋଳନର ପ୍ରଶ୍ନଟିଏ ଉତ୍‌ଥାପନ କରିନଥିଲେ। ତେଣୁ ଏମାନଙ୍କୁ ଦରଖାସ୍ତକାରୀ ବୁଦ୍ଧିଜୀବୀ ବୋଲି କୁହାଯାଉଥିଲା। ତିଲକ୍‌ ଥିଲେ ପ୍ରଥମ ନେତା ଓ ତାଙ୍କର ଘନିଷ୍ଠ ସହଯୋଗୀ ଥିଲେ ଲାଲା ଲଜପତ୍‌ ରାୟ ଓ ବିପିନ୍‌ଚନ୍ଦ୍ର ପାଲ୍‌ ଯିଏ ଘୋଷଣା କଲେ ‘ନିଜକୁ ଶାସନ କରିବା ହେଉଛି ମୋର ଜନ୍ମଗତ ଅଧିକାର ଓ ମୁଁ ତାକୁ ହାସଲ କରିବି।’ ସେଥିପାଇଁ ସେ କରିଥିଲେ ସ୍ବରାଜ୍ୟ ବିଲ୍‌। ୧୯୨୮ ମସିହାରେ କଂଗ୍ରେସ ଦଳରୁ ନିଯୁକ୍ତ ହୋଇଥିବା ମୋତିଲାଲ୍‌ ନେହେରୁ ଏକ ଡ୍ରାଫ୍ଟ ତିଆରି କଲେ ଯେଉଁଥିରେ ମୌଳିକ ଅଧିକାରକୁ ପ୍ରାଧାନ୍ୟ ଦିଆଯାଇଥିଲା। ସ୍ବାଧୀନତା ଆନ୍ଦୋଳନ ଓ ବିଭିନ୍ନ ଆଲୋଚନା ପରେ ୧୯୩୫ ମସିହାରେ ଏକ ସ୍ବତନ୍ତ୍ର ଆଇନ କରାଗଲା ଭାରତୀୟଙ୍କୁ କିଛି କ୍ଷମତା ହସ୍ତାନ୍ତର କରିବା ପାଇଁ। ଭାରତର ଫେଡ୍‌ରାଲ କୋର୍ଟ (ବର୍ତ୍ତମାନର ସୁପ୍ରିମକୋର୍ଟ)ର ମୁଖ୍ୟ ବିଚାରପତି ମୋରିସ୍‌ ଗୟର ଏକ ବିସ୍ତୃତ ଚିଠା ପ୍ରସ୍ତୁତ କଲେ ଯାହାକି ଏକ ଆଇନରେ ପରିଣତ ହୋଇଗଲା। ଏହାକୁ ଲର୍ଡ ଲିନ୍‌ଲିଥ୍‌ଗୋ କମିଟିରେ ଅନୁମୋଦନ କରି ବ୍ରିଟେନର ପାର୍ଲାମେଣ୍ଟରେ ପେସ୍‌ କଲା ଏବଂ ଗୃହୀତ ହେଲା। ଆମ ସମ୍ବିଧାନରେ ଆରମ୍ଭରୁ ଥିଲା ୨୯୫ ଧାରା ଏବଂ ୧୨ଟି ଅନୁସୂଚୀ। ଆମେରିକାର ସମ୍ବିଧାନରେ ସମୁଦାୟ ୭ଟି ଧାରା; କିନ୍ତୁ ଆମ ସମ୍ବିଧାନର ୨୯୫ ଧାରାରୁ ମୋଟାମୋଟି ୨୫୦ଟି ଧାରା ୧୯୩୫ ଭାରତ ଶାସନ ଆଇନ ଓ ୨୩ଟି ଧାରା ଜାତିସଂଘର ମାନବ ଅଧିକାର କମିଟିର ରିପୋର୍ଟରୁ ଅଣାଯାଇଛି। ଏଥିପାଇଁ ମୁଖ୍ୟ ବିଚାରପତି ମୋରିସ୍‌ ଗୟର ମଧ୍ୟ ଧନ୍ୟବାଦର ପାତ୍ର।

ସାର୍‌ ବେନିଗଲ ନରସିଂହ ରାଓ ଥିଲେ ଜଣେ ଆଇସିଏସ୍‌ ଅଫିସର; କିନ୍ତୁ ସେ ପ୍ରଶାସନରେ ନରହି ବିଚାର ବିଭାଗ କାର୍ଯ୍ୟ କଲେ। ସମ୍ବିଧାନର ମୂଳ ଚିଠା ସେ ହିଁ ପ୍ରସ୍ତୁତ କରିଥିଲେ। ଯେମିତି ରବୀନ୍ଦ୍ରନାଥ ଠାକୁର ଭାରତ ଓ ବାଂଲାଦେଶ ଜାତୀୟ ସଙ୍ଗୀତର ପିତା, ସେହିଭଳି ବେନିଗଲ୍‌ ରାଓ ଉଭୟ ଭାରତ ଓ ବର୍ମା ସମ୍ବିଧାନର ଚିଠା ପ୍ରସ୍ତୁତ କରିଥିଲେ, ଅବଶ୍ୟ ଭିନ୍ନଭିନ୍ନ ସମୟରେ। ଚିଠାକୁ ସେ ନେଇଗଲେ ବିଭିନ୍ନ ଦେଶକୁ ଓ ଇଂଲଣ୍ଡରେ ଲର୍ଡ ହାରୋଲ୍ଡ ଲାସ୍‌କି, ଲର୍ଡ ଆମେରୀ ସିଇଏମ୍‌ ଜୋଡ, ଜିଡିଏସ୍‌ କୋଲ୍‌ଙ୍କ ମୂଲ୍ୟବାନ ମତ ନେଲେ। ଆୟାରଲ୍ୟାଣ୍ଡର ରାଷ୍ଟ୍ରପତି ଡି ଭେଲ୍‌ରାଙ୍କ ଉପଦେଶ ମଧ୍ୟ ନେଲେ। ଆମେରିକାର କେତେକ ପ୍ରଫେସର, ବିଚାରପତି, ରାଜନୀତିଜ୍ଞଙ୍କ ପରାମର୍ଶ ନେଲେ। ଆମେରିକାର ବିଶ୍ବବିଖ୍ୟାତ ବିଚାରପତି ଫେଲିକ୍ସ ଫ୍ରାଙ୍କ୍‌ଫୁଟର ଉପଦେଶ ଦେଇଥିଲେ ଯେ ବିଚାର ବିଭାଗର କ୍ଷମତାର ପରିସର ସୀମିତ ରଖନ୍ତୁ। ବେନିଗଲ ରାଓ କାନାଡା, ଅଷ୍ଟ୍ରେଲିଆ ଇତ୍ୟାଦି ଦେଶର ଆଇନଜ୍ଞମାନଙ୍କର ପରାମର୍ଶ ମଧ୍ୟ ନେଲେ।

୨୯୨ ସଦସ୍ୟ ୯.୧୨.୧୯୪୬ରେ ବସିଲେ ଏବଂ ସମ୍ପୂର୍ଣ୍ଣ ଚିଠା ପ୍ରସ୍ତୁତ ହେଲା ୧୯୪୯ ନଭେମ୍ବର ମାସ ୨୧ ତାରିଖରେ ବହୁ ବିଷୟରେ ଆଲୋଚନା ହେଲା, ଯଥା- ରାଜଭାଷା କ’ଣ ହେବ, ଭାରତରେ ସଂଘୀୟ ଶାସନ କିଭଳି ହେବ, ରାଜ୍ୟମାନଙ୍କର କ୍ଷମତା କେତେ ହେବ ଇତ୍ୟାଦି। ଜଣେ ଜିଦ୍‌ କଲେ (ଦକ୍ଷିଣ ଭାରତର ଜଣେ ମୁସଲମାନ ସଦସ୍ୟ) ଯେ ସଂସ୍କୃତ ହେଉ ରାଷ୍ଟ୍ରଭାଷା। ପୁରୁଷୋତ୍ତମ ଦାସ ଟଣ୍ଡନଙ୍କ ଜଣେ ଭକ୍ତ (ପୁଲ୍‌କେ) ଦାବି କଲେ ଯେ ସେ ହିନ୍ଦୀରେ କହିବେ; କିନ୍ତୁ ସଭାପତି ରାଜେନ୍ଦ୍ର ପ୍ରସାଦ ଇଂରେଜିରେ କହିବା ପାଇଁ ବାଧ୍ୟ କଲେ। ଏଇଭଳି ଅନେକ ସମସ୍ୟା ଉପୁଜିଲା; କିନ୍ତୁ ସବୁ ସମସ୍ୟାର ସମାଧାନ ହୋଇଗଲା। ସେତେବେଳେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠିଲା ଯେ ମହାତ୍ମା ଗାନ୍ଧୀଙ୍କର ସମ୍ବିଧାନରେ କିଛି ସ୍ଥାନ ରହିଲା କି? ବହୁ ଆଲୋଚନା ପରେ ନିଷ୍ପତ୍ତି ନିଆଗଲା ଯେ ମୌଳିକ ଅଧିକାର ବ୍ୟତୀତ ଚତୁର୍ଥ ଖଣ୍ଡରେ ସମ୍ବିଧାନର ମାର୍ଗଦର୍ଶିକାରେ ମହାତ୍ମା ଗାନ୍ଧୀଙ୍କ ଦର୍ଶନ ବହୁ ପରିମାଣରେ ସ୍ଥାନ ପାଇଛି।

ସମ୍ବିଧାନର ଜନକ ନିଜେ ଆମ୍ବେଦକର ତିନିବର୍ଷ ନଯାଉଣୁ ଏହା ସମ୍ପୂର୍ଣ୍ଣ ଅନାବଶ୍ୟକ ବୋଲି କହିଲେ ଓ ଏହାକୁ ବାତିଲ କରାଯାଉ ବୋଲି ଦାବି କଲେ। ଏକ ପ୍ରମୁଖ ଅଂଶଗ୍ରହଣ କରିଥିବା ଓ ସେତେବେଳେ ପ୍ରଧାନମନ୍ତ୍ରୀ ଥିବା ପଣ୍ଡିତ ନେହେରୁ ଅର୍ଥନୀତିଜ୍ଞ, ସାମାଜିକ, କୃଷିର ଉନ୍ନତିରେ ସମ୍ବିଧାନର ମୌଳିକ ଅଧିକାର ଅନ୍ତରାୟ ହେଉଛି ବୋଲି କ୍ଷୋଭ ପ୍ରକାଶ କଲେ। ବର୍ତ୍ତମାନ ମଝିରେମଝିରେ କେହି ଦାବି କରୁଛନ୍ତି ଯେ ଏକ ନୂଆ ସମ୍ବିଧାନ ହେଉ ଯାହା କେତେକ ଦେଶରେ, ଯଥା- ଫ୍ରାନ୍ସ, ଜର୍ମାନୀ ଓ ଜାପାନରେ ହୋଇଛି। ବିକଳ୍ପ ମତ ହେଉଛି ଯେ ସମ୍ବିଧାନରେ ତ୍ରୁଟି ନାହିଁ। ତ୍ରୁଟିକୁ ଦୂର କରିବା ପାଇଁ ସଂଶୋଧନର ବ୍ୟବସ୍ଥା ଅଛି, ତେଣୁ ଯେଉଁମାନେ ସମ୍ବିଧାନକୁ କାର୍ଯ୍ୟକାରୀ କରୁଛନ୍ତି, ଯଥା- ବ୍ୟବସ୍ଥାପକ, ସାଂସଦ, ନେତା, ଗଣମାଧ୍ୟମ, ବିଚାର ବିଭାଗ ଓ ପ୍ରଶାସନର ତ୍ରୁଟି ଦାୟୀ। ସେହି ସମୟରେ କେଉଁଭଳି ଅଭିଜ୍ଞ, ବିଜ୍ଞ ଓ ଦେଶପ୍ରେମୀ ନେତା ଥିଲେ ସେମାନଙ୍କ ପ୍ରବଳ ଅଭାବ ହେତୁରୁ ନୂତନ ସମ୍ବିଧାନ ପାଇଁ ଉପଯୁକ୍ତ ସଭ୍ୟ ମିଳିବେ କି ନାହିଁ ସନ୍ଦେହ। ତା’ଛଡ଼ା ଏଇ ସମ୍ବିଧାନ ଦ୍ବାରା କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ, ନିର୍ବାଚନ କମିସନ, ୟୁପିଏସ୍‌ସି ଇତ୍ୟାଦି ଠିକ୍‌ ଭାବେ କାର୍ଯ୍ୟ କରୁଛନ୍ତି। ଯଦି ସମ୍ବିଧାନର ଆହୁରି କିଛି ସଂଶୋଧନ ଦରକାର ତାହା କରାଯାଉ। କେତେଗୁଡ଼ିଏ ବ୍ୟବସ୍ଥାର ପରିବର୍ତ୍ତନ ଆବଶ୍ୟକ ବୋଲି ଅନେକ କହୁଛନ୍ତି, ଯଥା- ପଞ୍ଚାୟତ ସ୍ତରରେ ଶକ୍ତ ଶାସନ ବ୍ୟବସ୍ଥା କରାଯାଉ, ବିଚାର ବିଭାଗ ଏବଂ ସଂସଦର କ୍ଷମତା ନିର୍ଣ୍ଣୟ କରାଯାଉ, କେନ୍ଦ୍ର ରାଜ୍ୟ ମଧ୍ୟରେ ସୀମାରେଖା ଟଣାଯାଉ। ସ୍ଥାନ ସଂରକ୍ଷଣ ଯାହା ଏକ ଅଗଣତାନ୍ତ୍ରିକ ପଦ୍ଧତି ତାହା ଉଚ୍ଛେଦ କରାଯାଉ ଇତ୍ୟାଦିର ବ୍ୟବସ୍ଥା ହେବା ଉଚିତ। ସମ୍ବିଧାନ ଚିଠା ପ୍ରସ୍ତୁତ ସମୟରେ କେଏମ୍‌ ମୁନ୍‌ସି ପ୍ରସ୍ତାବ ଦେଇଥିଲେ ଯେ ସମ୍ବିଧାନରେ ଆମର ସଂସ୍କୃତି ଇତିହାସର ବାର୍ତ୍ତା ସ୍ଥାନ ପାଉ; କାରଣ ସମ୍ବିଧାନ ଗଠନକାରୀମାନେ ଇଂରେଜ ଚିନ୍ତାଧାରାକୁ ଆଦର୍ଶ ବୋଲି ଗ୍ରହଣ କରୁଥିଲେ। ସମୟର ପରିବର୍ତ୍ତନ ହେଲାଣି ଓ ସମ୍ବିଧାନର ଆବଶ୍ୟକ ପରିବର୍ତ୍ତନ ହେଉ, ଉଚ୍ଛେଦ ନହେଉ।

Comments
Loading...