ଅସହାୟ ବୃଦ୍ଧ ଦମ୍ପତିଙ୍କୁ ସହାୟତାର ହାତ ବଢାଇଲେ ଅନ୍ତରୀକ୍ଷ ସ୍ୱେଚ୍ଛାସେବୀ ଅନୁଷ୍ଠାନ

ବୃଦ୍ଧ ବୟସରେ କେବଳ ଯେ ସରକାରୀ ସହାୟତା ସହଜ ଜୀବନଯାପନ ପାଇଁ ଯଥେଷ୍ଟ ତାହା ଭାବିବା ଠିକ ନୁହେଁ। ଏମିତି ଏକ ବୃଦ୍ଧ ଦମ୍ପତି ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଆମ୍ବିକି ଗ୍ରାମପଂଚାୟତର ନାଗା କାଣ୍ଡି ଓ ତାଙ୍କ ପତ୍ନୀ ରସା କାଣ୍ଡି। ନାଗାଙ୍କ ବୟସ ୭୨ ବର୍ଷ ହୋଇଥିବା ବେଳେ ତାଙ୍କ ପତ୍ନୀ ରସାଙ୍କ ବୟସ ୬୫। ସେମାନେ ନିଃସନ୍ତାନ ତେଣୁ ସେମାନଙ୍କ ପାଇଁ ଗଣ୍ଡେ ଖାଇବା ପ୍ରସ୍ତୁତ କରିବା କିମ୍ବା ଦେହ ପା’ ଖବର ବୁଝିବା ପାଇଁ ଏହି ନାହିଁ। ପତ୍ନୀ ରସା କାଣ୍ଡି ବହୁ ଦିନ ପୂର୍ବରୁ ଦୃଷ୍ଟି ଶକ୍ତି ହରାଇଥିବାରୁ ନିଜ ସ୍ୱାମୀଙ୍କ ପାଇଁ ରୋଷେଇ କରିଦେବା ମଧ୍ୟ ତାଙ୍କ ପକ୍ଷେ ସମ୍ଭବ ନୁହେଁ। ଯଦିଓ ସ୍ୱାମୀ ନାଗାଙ୍କୁ ୫ ଶହ ଟଙ୍କା ଲେଖାଏଁ ସରକାରୀ ଭତ୍ତା ମିଳୁଛି କିନ୍ତୁ ତାହା ଉଭୟଙ୍କ ପାଇଁ ଯଥେଷ୍ଟ ନୁହେଁ। ପତ୍ନୀ ରସାଙ୍କୁ କୌଣସି ଭତ୍ତା ମିଳୁନଥିବା ଜଣାପଡିଛି। ଅନ୍ୟପକ୍ଷରେ ୧୦ ବର୍ଷ ପୂର୍ବେ ଇନ୍ଦିରା ଆବାସ ଯୋଜନା ମିଳିଥିଲେ ମଧ୍ୟ ସେମାନେ ତାହା ସମ୍ପୂର୍ଣ୍ଣ କରିପାରି ନାହାନ୍ତି।

ଏହାକୁ ଦୃଷ୍ଟିରେ ରଖି ଅନ୍ତରୀକ୍ଷ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅସହାୟ ବୃଦ୍ଧ ଦମ୍ପତିଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ଅନୁଷ୍ଠାନ ସମ୍ପାଦିକା ଲକ୍ଷ୍ମୀପ୍ରିୟା ମାଇତି ଓ ସଭାପତି ଆନନ୍ଦ କୁମାର ମାଇତିଙ୍କ ନେତୃତ୍ୱରେ ସଦସ୍ୟ ରୁବି କାଣ୍ଡି, ସୁବ୍ରତ ଦଳେଇ, ଅଜାମିଲ କରଣ ଓ ଅନ୍ୟ ସଦସ୍ୟମାନେ ସମ୍ପୃକ୍ତ ବୃଦ୍ଧ ଦମ୍ପତିଙ୍କୁ ୧୦ କିଲୋଗ୍ରାମ ଚାଉଳ, ୧ କିଲୋଗ୍ରାମ ଅଟା, ୪ କିଲୋଗ୍ରାମ ଗହମ, ବିସ୍କୁଟ ଓ କମ୍ବଳ ଯୋଗାଇ ଦେଇଛନ୍ତି। ଆଗାମୀ ଦିନରେ ଅନ୍ତରୀକ୍ଷ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅନ୍ୟ ଅବହେଳିତ ଲୋକଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ସମ୍ପାଦିକା ଲକ୍ଷ୍ମୀପ୍ରିୟା ମାଇତି କହିଛନ୍ତି।

Comments are closed.