ଏଲ୍ଏସିରେ ମୁତୟନ ହେଲା ଏୟାର ଡିଫେନ୍ସ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ : ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଭାରତ ଏହାର ଏୟାର ଡିଫେନ୍ସ କ୍ଷେପଣାସ୍ତ୍ରକୁ ମୁତୟନ କରିଛି। ଭାରତ ସେନାର ଏୟାର ଡିଫେନ୍ସ ବାହିନୀ ଯାହାକି ରୁଷ୍ ନିର୍ମିତ ଇଗଲା କ୍ଷେପଣାସ୍ତ୍ର ଧାରଣ କରିଥାନ୍ତି ତାଙ୍କୁ ପୂର୍ବ ଲଦାଖର ପାର୍ବତ୍ୟ ଉପତ୍ୟକାରେ ମୁତୟନ କରାଯାଇଛି। ଇଗଲା କ୍ଷେପଣାସ୍ତ୍ରକୁ କାନ୍ଧରେ ବହନ କରାଯାଇପାରୁଥିବା କମାଣ ଦ୍ୱାରା ପ୍ରୟୋଗ କରାଯାଇଥାଏ। ଏହି କ୍ଷେପଣାସ୍ତ୍ର ଆକାଶ ମାର୍ଗକୁ ଲକ୍ଷ୍ୟଭେଦ କରିଥାଏ। ଏହାକୁ ଉଚ୍ଚ ପାର୍ବତ୍ୟ ଉପତ୍ୟକାକୁ ସହଜରେ ପରିବହନ କରାଯାଇଥାଏ। ଏହାକୁ ଉଭୟ ସ୍ଥଳସେନା ଓ ବାୟୁସେନା ବ୍ୟବହାର କରାଯାଇଥାଏ। ଶତ୍ରୁ ପକ୍ଷର ଯୁଦ୍ଧବିମାନ କିମ୍ବା ହେଲିକପ୍ଟର ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିଲେ ଏହି କ୍ଷେପଣାସ୍ତ୍ର ଦ୍ୱାରା ତାକୁ ନଷ୍ଟ କରାଯାଇଥାଏ। ପୂର୍ବ ଲଦାଖରେ ଚୀନ ସେନାର ହେଲିକପ୍ଟର ଉଡାଣ କରୁଥିବା ଦେଖି ଭାରତ ଏପରି ପଦକ୍ଷେପ ନେଇଛି। ଚୀନ ଯୁଦ୍ଧବିମାନ ଗତିବିଧିକୁ ଲକ୍ଷ୍ୟ ରଖିବା ଲାଗି ଭାରତ ଏହାର ରେଡାର ବ୍ୟବସ୍ଥାକୁ ବ୍ୟାପକ କରିଛି। ମେ ପ୍ରଥମ ସପ୍ତାହ ଠାରୁ ଭାରତ ବାୟୁସେନା ଏହାର ସୁଖୋଇ ଯୁଦ୍ଧବିମାନକୁ ଲଦାଖ ଘାଟିରେ ମୁତୟନ କରିଛି।