ପରାଜିତ ଚୀନ୍‌ର ଆକ୍ରୋଶ, ମନ୍ଦ ଉଦ୍ଦେଶ୍ୟ ସଫଳ ହେବ ନାହିଁ

ଅତ୍ୟାଧୁନିକ ଆଣବିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ, ପ୍ରତିରକ୍ଷା ଉପକରଣ ସମୃଦ୍ଧ, ବୈଷୟିକ ଜ୍ଞାନକୌଶଳରେ ଅଗ୍ରଣୀ ଓ ସାମ୍ରାଜ୍ୟବାଦୀ ଆଭିମୁଖ୍ୟ ସମ୍ପନ୍ନ ଚୀନ୍‍କୁ ବାରୁଦ ଯୁଦ୍ଧରେ ଏତେ ସହଜରେ ବିଶ୍ୱର କୌଣସି ଶକ୍ତି ପରାଜିତ କରିବା ସମ୍ଭବ ନୁହେଁ। ଏହି ବାସ୍ତବତାକୁ ଅବଶିଷ୍ଟ ବିଶ୍ୱ ପରୋକ୍ଷରେ ସ୍ୱୀକାର କରିନେଇଥିବା ଚୀନ୍‍ ନିଶ୍ଚିତ ଅଛି। ତେଣୁ ସାମରିକ ଶକ୍ତି ବଳରେ ପଡ଼ୋଶୀ ଦେଶମାନଙ୍କୁ ଭୟଭୀତ କରି ସମଗ୍ର ଦକ୍ଷିଣ-ଏସିଆରେ ଆଧିପତ୍ୟ ବିସ୍ତାର ଉଦ୍ୟମ ଆରମ୍ଭ କରିଛି। ନିଜକୁ ଅପରାଜେୟ ଭାବୁଥିବା ଚୀନ୍‍ କିନ୍ତୁ ଇତିମଧ୍ୟରେ ଆଉ ଏକ ଯୁଦ୍ଧରେ ପରାଜୟ ସ୍ୱୀକାର କରିନେଇଛି। ଏଭଳି ସ୍ଥିତିରେ କୋଭିଡ୍‍ ୧୯ ମହାମାରୀ ଅପବାଦ ତାକୁ ଆହୁରି ଅପମାନିତ କରିଛି। ପରାଜୟର ଗ୍ଲାନି, ଅପବାଦ, ଅସୁରକ୍ଷିତ ଭାବନା ଚୀନ୍‍କୁ ଉଗ୍ର ଓ ଉନ୍ମାଦ କରିଛି ଏବଂ ତାହା ପ୍ରତିଫଳିତ ହୋଇଛି ଭାରତର ସୀମାନ୍ତରେ। ଚୀନ୍‍ର ଭାରତ ବିରୋଧୀ ଆଭିମୁଖ୍ୟ ଏତେ ଉଗ୍ର ହୋଇନଥା’ନ୍ତା ଯଦି ତା’ର(ଚୀନ୍‍) ପରାଜୟରୁ ଏସିଆର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାରତ ପରୋକ୍ଷରେ ଉପକୃତ ହୋଇ ନଥା’ନ୍ତା।
ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲୁଟିଓ)ରେ ଚୀନ୍‍ ଯୋଗ ଦେବାର ଇତିମଧ୍ୟରେ ୧୮ ବର୍ଷ ପୂରିଛି। ଉଲ୍ଲେଖଯୋଗ୍ୟ, ଡବ୍ଲୁଟିଓ ହିଁ ଚୀନ୍‍କୁ ବିଶ୍ୱରେ ଦ୍ୱିତୀୟ ଅର୍ଥନୈତିକ ମହାଶକ୍ତି କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛି ଏବଂ ପ୍ରତିବଦଳରେ ଜଗତୀକରଣର ମୂଳ ଲକ୍ଷ୍ୟ ଅଧିକାଂଶ ଚୀନ୍‍ ସହାୟତାରେ ପୂରଣ ହୋଇଛି। ଏହି ନିରବଚ୍ଛିନ୍ନ ଧାରାରେ କିନ୍ତୁ ୨୦୧୭ ମସିହାରେ କିଛି ପ୍ରତିବନ୍ଧକ ସୃଷ୍ଟି ହେଲା ଏବଂ ୨୦୧୮-୧୯ରେ ଆମେରିକା ସହିତ ତିକ୍ତତା ଓ ବାଣିଜ୍ୟ ଯୁଦ୍ଧ ପରେ ମନ୍ଥର ହେବାରେ ଲାଗିଲା। କୋଭିଡ୍‍ ୧୯ ମହାମାରୀ ଏହି ଧାରାକୁ ପୂରାପୁରି ବନ୍ଦ କରିଦେଲା।

ଡବ୍ଲୁଟିଓର ନୀତି ଓ ନିୟମ ଅନୁଯାୟୀ ଏହାର ସଦସ୍ୟ ରାଷ୍ଟ୍ରମାନେ ‘ବଜାର ଅର୍ଥନୀତି’ର ମାନ୍ୟତା ପାଇବାକୁ ହେଲେ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟର ଉତ୍ପାଦନ ଖର୍ଚ୍ଚ ଓ ବିକ୍ରି ମୂଲ୍ୟ ମଧ୍ୟରେ ଏକ ନୈତିକ ଓ ପ୍ରମାଣସିଦ୍ଧ ତଫାତ୍‍(ଲାଭ) ରଖିବାକୁ ପଡ଼ିବ। ଅର୍ଥାତ୍‍ ଉଦ୍ଦେଶ୍ୟମୂଳକ ବା ଅନୈତିକ ଭାବେ କୌଣସି ରାଷ୍ଟ୍ର ଅନ୍ୟ ସଦସ୍ୟ ରାଷ୍ଟ୍ରମାନଙ୍କ ବଜାରରେ ସେମାନଙ୍କ ଉତ୍ପାଦକୁ ଅଧିକ ଶସ୍ତା କିମ୍ବା ଅଧିକ ମହଙ୍ଗାରେ ବିକ୍ରି କରିପାରିବେ ନାହିଁ। ଯଦି କୌଣସି ଦେଶ ଏଥିରେ ଖିଲାପ କରେ ବା ଅନ୍ୟ ସଦସ୍ୟ ରାଷ୍ଟ୍ରର ବଜାରକୁ ନିଜ ଦଖଲକୁ ଆଣିବା ପାଇଁ ଅଭିସନ୍ଧିମୂଳକ ଭାବେ ଅତି ଶସ୍ତାରେ ସାମଗ୍ରୀ ବିକ୍ରି କରୁଥିବା ପ୍ରମାଣିତ ହୁଏ ତେବେ ସମ୍ପୃକ୍ତ ସଦସ୍ୟ ରାଷ୍ଟ୍ର ‘ବଜାର ଅର୍ଥନୀତି’ ମାନ୍ୟତା ହରାଏ। ଏହି ମାନ୍ୟତା ପାଇଥିବା ରାଷ୍ଟ୍ରର ରପ୍ତାନୀ ସାମଗ୍ରୀ ଉପରେ ଅନ୍ୟ ସଦସ୍ୟ ରାଷ୍ଟ୍ର ଶୂନ୍ୟ ଶୁଳ୍କ କିମ୍ବା ମାମୁଲି ଶୁଳ୍କ ଲାଗୁ କରିଥା’ନ୍ତି(ଏହାର ସୁବିଧା ନେଇ ଚୀନ୍‍ ବିଶ୍ୱ ବଜାରରେ ନିଜ ଆଧିପତ୍ୟ ବିସ୍ତାର କରିଆସିଛି)। ସେହିଭଳି ଯଦି କୌଣସି ରାଷ୍ଟ୍ର ‘ବଜାର ଅର୍ଥନୀତି’ ମାନ୍ୟତା ହରାଏ ତେବେ ଅନ୍ୟ ସଦସ୍ୟ ରାଷ୍ଟ୍ରର ସ୍ୱୀକୃତି ପ୍ରାପ୍ତ ସଂସ୍ଥା କିମ୍ବା ଡବ୍ଲ୍ୟୁଟିଓର ସ୍ୱୀକୃତିପ୍ରାପ୍ତ ଅଧିକାରୀମାନେ ମାନ୍ୟତା ହରାଇଥିବା ରାଷ୍ଟ୍ରର ରପ୍ତାନୀ ସାମଗ୍ରୀର ମୂଲ୍ୟ ଯାଞ୍ଚ କରିପାରିବେ। କମ୍‍ ମୂଲ୍ୟରେ ବା ଶସ୍ତାରେ ସାମଗ୍ରୀ ବିକ୍ରି(ଏବେ ଯେଭଳି ଭାରତରେ ଚୀନ୍‍ ଶସ୍ତାରେ ସାମଗ୍ରୀ ବିକ୍ରି କରୁଛି) ଉପରେ କଟକଣା ଜାରି କରିବେ ଏବଂ ଅଧିକ ଶୁଳ୍କ ଲାଗୁ କରିପାରିବେ। ତେଣୁ ସମ୍ପୃକ୍ତ ଦେଶର ରପ୍ତାନୀକାରୀମାନେ ପ୍ରତିଥର ଉତ୍ପାଦନ ଓ ଆନୁଷଙ୍ଗିକ ଖର୍ଚ୍ଚ ଏବଂ ବିକ୍ରି ଦର ମଧ୍ୟରେ ଥିବା ସ୍ବଚ୍ଛତା ପ୍ରମାଣିତ କରିବାକୁ ପଡ଼ିବ।

ଡବ୍ଲୁଟିଓରେ ଚୀନ୍‍ ଯୋଗ ଦେଇଥିଲା ୨୦୦୧ ଡିସେମ୍ବର ୧୧ ତାରିଖରେ। ସେହି ସମୟରେ ହୋଇଥିବା ଚୁକ୍ତି(ଚାଇନାସ୍‍ ପ୍ରୋଟୋକଲ୍‍ ଅଫ୍‍ ଆସେସନ୍‍)ର ଧାରା ୧୫ ଅନୁଯାୟୀ ଚୀନ୍‍କୁ ଯେ କୌଣସି ସଦସ୍ୟ ରାଷ୍ଟ୍ର ଚାହିଁଲେ ଅଣ-ବଜାର ଅର୍ଥନୈତିକ ରାଷ୍ଟ୍ର ଭାବେ ଘୋଷଣା କରିପାରିବେ, କିନ୍ତୁ ଏହି ସର୍ତ୍ତ କେବଳ ୧୫ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ୨୦୧୬, ଡିସେମ୍ବର ୧୧ତାରିଖରେ ଏହି ୧୫ ବର୍ଷିଆ ମିଆଦ ପୂରଣ ହୋଇସାରିଛି। ଏଣୁ ଚୀନ୍‍ ସେହି ସର୍ତ୍ତକୁ ଚୁକ୍ତିରୁ ବାଦ୍‍ ଦେବାକୁ ଡବ୍ଲୁଟିଓର ଡିସ୍‍ପ୍ୟୁଟ୍‍ ସେଟଲ୍‍ମେଣ୍ଟ ଅଣ୍ଡରଷ୍ଟାଣ୍ଡିଂ କମିଟି(ବିବାଦ ବନ୍ଦୋବସ୍ତ ବୁଝାମଣା ସମିତି)ରେ ଆବେଦନ କରିଥିଲା। ଅପରପକ୍ଷରେ ୟୁରୋପୀୟ ସଂଘର ସଦସ୍ୟ ରାଷ୍ଟ୍ରଗୁଡ଼ିକ ସ୍ଥିତାବସ୍ଥା ଜାରି ରଖିବାକୁ ଡବ୍ଲୁଟିଓରେ ଜିଦ୍‍ ଧରିଥିଲେ। ୟୁରୋପୀୟ ରାଷ୍ଟ୍ର ଓ ଚୀନ୍‍ ମଧ୍ୟରେ ଚାଲିଥିବା ଏହି ବିବାଦର ହୁଏତ ବାଟ ବାହାରିଥା’ନ୍ତା, କିନ୍ତୁ କୋଭିଡ୍‍ ୧୯ ସଂକ୍ରମଣ ଏହି ବାଟକୁ ବନ୍ଦ କରିଦେଲା। ଏବେ ଅବଶିଷ୍ଟ ବିଶ୍ୱ(ପାକିସ୍ତାନ, ଉତ୍ତରକୋରିଆ, ନେପାଳ ପରି କେତେକ ଦେଶକୁ ଛାଡ଼ି) ଚୀନ୍‍କୁ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଛନ୍ତି। ପୁନଶ୍ଚ ଆମେରିକା ସହିତ ଚୀନ୍‍ର ବାଣିଜ୍ୟ ଯୁଦ୍ଧ ତୀବ୍ର ହୋଇଛି। ଏହି ପରିପ୍ରେକ୍ଷୀରେ ବଜାର ଅର୍ଥନୀତି ମାନ୍ୟତା ପୁନଃହାସଲ କରିବାର ସମ୍ଭାବନା ଆଦୌ ନଥିବା ହୃଦୟଙ୍ଗମ କରିବା ପରେ ଶେଷରେ ଚୀନ ଜୁନ୍‍ ୧୫ ତାରିଖରେ ମାନ୍ୟତା ହାସଲ ପ୍ରକ୍ରିୟାରୁ ଓହରି ଆସିଛି। ଅନ୍ୟ ଅର୍ଥରେ କହିଲେ ପରିସ୍ଥିତିର ବାଧ୍ୟବାଧତାରେ ଚୀନ୍‍ ଏକପ୍ରକାର ଆତ୍ମସମର୍ପଣ କରିଦେଇଛି।

ବଜାର ଅର୍ଥନୀତି ମାନ୍ୟତା ହରାଇବା ପରେ ଏବେ ୟୁରୋପୀୟ ସଂଘର ରାଷ୍ଟ୍ର ସମୂହ ଚୀନ୍‍ରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଉଚ୍ଚ ହାରରେ ଶୁଳ୍କ ଲାଗୁ କରିଛନ୍ତି। ଫଳସ୍ୱରୂପ ୟୁରୋପରେ ଚୀନ୍‍ର ବଜାର ଅଂଶ ଶୋଚନୀୟ ଭାବେ ହ୍ରାସ ପାଇଛି। ଚୀନ୍‍ର ଏହି ପରାଜୟରେ ସର୍ବାଧିକ ଲାଭବାନ ହେବାକୁ ଯାଉଛି ଭାରତ। ଇତିମଧ୍ୟରେ ଆମେରିକା ବଜାରରେ ଚୀନ୍‍ର ଅଂଶକୁ ଭାରତ ଦଖଲ କରିନେଇ ଆମେରିକାର ସର୍ବବୃହତ୍‍ ବାଣିଜ୍ୟ ସହଯୋଗୀ ମାନ୍ୟତା ହାସଲ କରିଛି। ସେହିପରି ୟୁରୋପରେ ଚୀନ୍‍ର ବଜାର ଅଂଶ ଦଖଲ କରିବା ପାଇଁ ଗତ ମାର୍ଚ୍ଚ ମାସରେ ପ୍ରାୟ ୨୦୦ ଅନ୍ତର୍ଦେଶୀୟ ଭାରତୀୟ ବାଣିଜ୍ୟ ସଂସ୍ଥାଙ୍କୁ ଭାରତର ବାଣିଜ୍ୟ ମନ୍ତ୍ରାଳୟ ପତ୍ର ଲେଖିଛନ୍ତି ଏବଂ ଏହାର ସୁଫଳ ଚମଡ଼ା ଓ ବୟନ ଶିଳ୍ପ ବଜାରରେ ପ୍ରତିଫଳିତ ହୋଇଛି। ଭାରତର ବାଣିଜ୍ୟ ପ୍ରତିବିଧାନ ମହାନିର୍ଦେଶକ ଚୀନ୍‍କୁ ଅଣ-ବଜାର ଅର୍ଥନୀତି ତାଲିକାଭୁକ୍ତ କରିବାର ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ଏଣିକି ଚୀନ୍‍ର ରପ୍ତାନୀକାରୀମାନେ ପ୍ରତିଥର ଡବ୍ଲୁଟିଓର ଅଧିକାରୀମାନଙ୍କ ଦ୍ୱାରା ଯାଞ୍ଚର ସମ୍ମୁଖୀନ ହେବେ ଏବଂ ସାମଗ୍ରୀର ଦର ପ୍ରତିଯୋଗିତା ଆଧାରରେ ସ୍ଥିରୀକୃତ ହୋଇଛି ବୋଲି ସେମାନଙ୍କୁ ବାରମ୍ବାର ପ୍ରମାଣ ଦେବାକୁ ପଡ଼ିବ। ଏହାର ସୁଯୋଗ ନେଇ ଭାରତ ମଧ୍ୟ ଚୀନ୍‍ରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲଗାଇ ପାରିବ। ଏତଦ୍‍ବ୍ୟତୀତ ଇତିମଧ୍ୟରେ ଦେଶର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ବ୍ୟବସ୍ଥାରେ ଭାରତ ସରକାର ନୂଆ କଟକଣା ଜାରି କରିଛନ୍ତି, ଯେଉଁଥିରେ ଚୀନ୍‍ର ଆର୍ଥିକ ସଂସ୍ଥା ଓ କମ୍ପାନୀମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିପରି ଚୀନ୍‍ରୁ ଆମଦାନୀ ହୋଇଥିବା କୋଭିଡ୍‍ ପରୀକ୍ଷଣ କିଟ୍‍ଗୁଡ଼ିକୁ ନିମ୍ନମାନର ଦର୍ଶାଇ ଭାରତ ଫେରାଇ ଦେଇଛି। ଏହା ହିଁ ଚୀନ୍‍କୁ ଅଧିକ ଅପମାନିତ ଓ କ୍ଷୁବ୍ଧ କରିଛି।

ଚୀନ୍‍ର ଏହି ପରାଜୟଜନିତ ଗ୍ଲାନି ଭାରତ-ଚୀନ୍‍ ପ୍ରକୃତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ସାମରିକ ଉତ୍ତେଜନାର ରୂପ ନେବା ପୂର୍ବରୁ ଯୋଜନାବଦ୍ଧ ଭାବେ ନେପାଳକୁ ଭାରତ ବିରୋଧରେ ଉସ୍‍କାଇଛି ଏବଂ ବାଂଲାଦେଶକୁ ବାଣିଜ୍ୟରେ ଅନୁଗୃହୀତ କରି ନିଜ ସପକ୍ଷରେ ନେବାକୁ ଉଦ୍ୟମ ଆରମ୍ଭ କରିଛି। ଲଦାଖ୍‍ର ନୂଆ ମାନଚିତ୍ର କିମ୍ବା ନିୟନ୍ତ୍ରଣ ରେଖା ନିକଟରେ ଭାରତର ସଡ଼କ ପଥ ନିର୍ମାଣ ଚୀନ୍‍ ପାଇଁ କେବଳ ଏକ ବାହାନା ମାତ୍ର। ଅସଲ କାରଣ ଲୁଚି ରହିଛି ବାଣିଜ୍ୟ ଯୁଦ୍ଧରେ। ଅଣ-ବଜାର ଅର୍ଥନୀତି ମାନ୍ୟତା ସହିତ ସୀମା ବିବାଦର କୌଣସି ସମ୍ପର୍କ ଯେ ନାହିଁ – ଏହାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରାଯାଇପାରିବ ନାହିଁ। କୋଭିଡ୍‍ – ୧୯ ସଂକ୍ରମଣ ପ୍ରସଙ୍ଗରେ ଆମେରିକା ନେତୃତ୍ୱରେ ଆରମ୍ଭ ହୋଇଥିବା ବିଶ୍ୱ ଅଭିଯାନରୁ ଭାରତକୁ ଦୂରେଇ ରଖିବା ଏବଂ ଚୀନ୍‍ ଉତ୍ପାଦିତ ସାମଗ୍ରୀକୁ ଅଣ-ବଜାର ଅର୍ଥନୀତି ମାନ୍ୟତାରୁ ବାଦ୍‍ ଦେବା ପାଇଁ ଭାରତ ଉପରେ ଚୀନ୍‍ର ଏହା ପରୋକ୍ଷ ଚାପ – ଏଥିରେ ସନ୍ଦେହ ନାହିଁ। ଚୀନ୍‍ର ଏହି ମନ୍ଦଉଦ୍ଦେଶ୍ୟ ସାକାର ହେବା ସମ୍ଭାବନା କମ୍‍। ତେଣୁ ନିକଟ ଭବିଷ୍ୟତରେ ଚୀନ୍‍କୁ ଆଉ ଏକ ପରାଜୟ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ।

Comments
Loading...