କିମ୍‍ଙ୍କୁ ଧନ୍ୟବାଦ ଜଣାଇଲେ ଟ୍ରମ୍ପ, କାହିଁକି ଜାଣନ୍ତୁ

0

ସିଓଲ୍‍/ୱାଶିଂଟନ୍‍: ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‍ ଜୋଙ୍ଗ ଉନ୍‍୍‍ଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧନ୍ୟବାଦ ଜଣାଇଛନ୍ତି। ୧୯୫୦-୫୩ କୋରିଆ ଯୁଦ୍ଧରେ ସାମିଲ୍‍ ଥିବା ନିଖୋଜ ଆମେରିକା ସୈନିକଙ୍କ ମଧ୍ୟରୁ ୫୫ ଜଣଙ୍କ ଦେହାବଶେଷ ଓ ଅବଶିଷ୍ଟାଂଶକୁ ଉତ୍ତରକୋରିଆ ଆମେରିକାକୁ ହସ୍ତାନ୍ତର କରିବା ପରେ କିମ୍‍ ଟ୍ରମ୍ପଙ୍କଠାରୁ ଧନ୍ୟବାଦ ଓ ଶୁଭ ସନ୍ଦେଶ ପାଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ କିମ୍‍ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି। ଆଗକୁ ମଧ୍ୟ କିମ୍‍ ତାଙ୍କ ପ୍ରତିଶ୍ରୁତି ପୂରଣ କରିବାରେ ଆନ୍ତରିକତା ପ୍ରଦର୍ଶନ କରିବେ ବୋଲି ମୁଁ ଦୃଢ଼ ନିଶ୍ଚିତ।
ଗତ ଜୁନ୍‍ ୧୨ ତାରିଖରେ ଆମେରିକା-ଉତ୍ତର କୋରିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଅନୁଷ୍ଠିତ ଶିଖର ବୈଠକରେ ହୋଇଥିବା ରାଜିନାମା ଆଧାରରେ ଉତ୍ତର କୋରିଆ ଉପରୋକ୍ତ ପଦକ୍ଷେପ ନେଇଛି।
ସୂଚନା ଯୋଗ୍ୟ, ଚୀନ୍‍-ଉତ୍ତରକୋରିଆ ଓ ଆମେରିକା-ଦକ୍ଷିଣ କୋରିଆ ସେନା ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଯୁଦ୍ଧକୁ ୧୯୫୩ରେ ସମାପ୍ତ ଘୋଷଣା କରାଯାଇଥିଲା। ସେହି ଯୁଦ୍ଧରେ ୭,୭୦୦ ସୈନ୍ୟଙ୍କୁ ଆମେରିକା ହରାଇଥିଲା। ସେମାନଙ୍କ ମଧ୍ୟରୁ ୫,୩୦୦ ଜଣଙ୍କ ଯୁଦ୍ଧରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନଙ୍କ ସମ୍ପର୍କରେ ଖବର ମିଳିପାରି ନ ଥିଲା। ସେମାନେ କେଉଁ ଜେଲ୍‍ରେ ବନ୍ଦୀ ଜୀବନ ବିତାଉଛନ୍ତି କି ଯୁଦ୍ଧରେ ମୃତ୍ୟୁ ଘଟିଛି ସେ ସମ୍ପର୍କରେ କୌଣସି ଖବର ନଥିଲା। ସେମାନଙ୍କୁ ଖୋଜିବା ପାଇଁ ୧୯୯୬ ରୁ ୨୦୦୫ ମଧ୍ୟରେ ଆମେରିକା ଓ ଉତ୍ତରକୋରିଆ ପକ୍ଷରୁ ମିଳିତ ଉଦ୍ୟମ ଆରମ୍ଭ ହୋଇଥିଲା। ଏହି ଉଦ୍ୟମରେ ୭୭୦ ଜଣ ଆମେରିକୀୟ ସୈନ୍ୟଙ୍କ ଦେହାବଶେଷ ଓ ସାମଗ୍ରୀ ଉଦ୍ଧାର କରାଯାଇପାରିଥିଲେ ମଧ୍ୟ ଉତ୍ତର କୋରିଆର ଆଣବିକ କାର୍ଯ୍ୟକ୍ରମ ଯୋଗୁଁ ୨୦୦୫ରେ ଆମେରିକାର ଏହି ଉଦ୍ୟମରୁ ବିରତ ହୋଇଥିଲା। ଯୁଦ୍ଧ ସମାପ୍ତି ଘୋଷଣାର ୬୫ ବର୍ଷ ପୂର୍ତ୍ତି ଅବସରରେ ୫୫ଟି ବାକ୍ସରେ ନିଖୋଜ ଆମେରିକୀୟ ସୈନ୍ୟଙ୍କ ଅଂଶବିଶେଷ ପହଞ୍ଚିବା ପରେ ସେଗୁଡ଼ିକୁ ଆମେରିକାର ଜାତୀୟ ପତାକାରେ ସଜ୍ଜିତ କରାଯାଇ ସାମରିକ ସମ୍ମାନ ପ୍ରଦର୍ଶନ କରାଯାଇଥିଲା।

Leave A Reply