ଧନ୍ୟବାଦ କରୋନା

- ପ୍ରକାଶ ଡାଭେ

ସମଗ୍ର ବିଶ୍ୱ ଏବେ କରୋନାର କରାଳ ଗ୍ରାସରେ। ଲକ୍ଷଲକ୍ଷ ସଂକ୍ରମିତ ଏବଂ ଲକ୍ଷାଧିକ ମୃତ। ଚାରିଆଡ଼େ ହାହାକାର। ସଂସାରର ସମସ୍ତ ଗତିବିଧି ସତେ ଯେମିତି ସ୍ତମ୍ଭୀଭୂତ ହୋଇ ଯାଇଛି। ଏଭଳି ସମୟରେ ଲେଖାର ଏହି ଶୀର୍ଷକଟି ଅଡ଼ୁଆ ଏବଂ ଅପ୍ରାସଙ୍ଗିକ ମନେ ହୋଇପାରେ। ଭଗବାନଙ୍କ ସୃଷ୍ଟିର ଏହି ସଂସାରରେ ଅନେକ ଜିନିଷ ରହିଛି। ପ୍ରତ୍ୟେକ ଜିନିଷ ମଧ୍ୟରେ ଉଭୟ ଭଲ ଓ ମନ୍ଦ ଗୁଣ ଭରିରହିଛି। ଅବଶ୍ୟ କେଉଁ ଜିନିଷ ଭଲ ବା କେଉଁଟି ମନ୍ଦ ତାହା ସେଥିରେ ନିହିତ ଏହି ଗୁଣର ମାତ୍ରା ଆମକୁ ଦର୍ଶାଇଥାଏ। ଯେଉଁଥିରେ ଭଲଗୁଣର ମାତ୍ରା ଅଧିକ ଓ ମନ୍ଦଗୁଣର ମାତ୍ରା ନଗଣ୍ୟ ତାହାକୁ ଆମେ ଭଲ ବୋଲି କହିଥାଉଁ। ଅପର ପକ୍ଷରେ ଯେଉଁଥିରେ ଭଲ ଗୁଣର ମାତ୍ରା ନ୍ୟୂନ ଏବଂ ମନ୍ଦ ଗୁଣର ମାତ୍ରାଧିକ୍ୟ ପରିଲକ୍ଷିତ ହୁଏ, ତାହା ମନ୍ଦ ପଦବାଚ୍ୟ ହୁଏ। ଭଲ ଓ ମନ୍ଦ ଗୁଣ କିନ୍ତୁ ଊଣା-ଅଧିକ ସବୁଥିରେ ରହିଛି।

କୋଭିଡ-୧୯ ବା କରୋନା ଭାଇରସ୍ ମାନବଜାତିର ଅଶେଷ କ୍ଷତିସାଧନ କରିବା ସହ କିଛି କଥା ପ୍ରତି ଆମ ଦୃଷ୍ଟି ମଧ୍ୟ ଆକର୍ଷଣ କରିଛି। ଏହା ସହିତ ସବୁଠାରୁ ଭଲ କଥା ହେଲା ଯେ ଏଥିରୁ ରକ୍ଷା ପାଇବାକୁ ହେଲେ ଘରେ ରହିବାକୁ ପଡ଼ିବ। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏବେ ଆମ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ବିଶ୍ୱରେ ଆଗରୁ ମଧ୍ୟ ଅନେକଥର ମହାମାରୀ ବ୍ୟାପିଛି। ବ୍ୟାପକ ଜନହାନି ହୋଇଛି, କିନ୍ତୁ ଏ ସବୁ ବର୍ତ୍ତମାନ ଇତିହାସ। ବର୍ତ୍ତମାନର ପିଢ଼ି ପାଇଁ ଏହି ସମୟ ଅଭୂତପୂର୍ବ। ବ୍ୟସ୍ତବହୁଳ ଚାକିରି ଜୀବନରେ ଯେଉଁଠି ଦିନଟିଏ ଛୁଟି ମିଳୁନଥିଲା, ବର୍ତ୍ତମାନ ମାସମାସ ଧରି ଛୁଟି। ଆଉ ଏହି ଛୁଟି ଆମକୁ ଆଣିଦେଇଛି କେତେ ଯେ ସୁଯୋଗ। ପରିବାର ସହ ଛୁଟି କାଟିବା କେତେ ଭାଗ୍ୟର କଥା, ନୁହେଁକି ? ଏକାଠି ରହିବା ଫଳରେ ପ୍ରତ୍ୟେକେ ପରସ୍ପରଙ୍କୁ ଆହୁରି ଭଲଭାବେ ଜାଣିବାର ସୁଯୋଗ ପାଇଛନ୍ତି। ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ନିଜ ନାତିନାତୁଣୀଙ୍କ ସହ ସମୟ ବିତାଇବାର ସୁଯୋଗ ମିଳିଛି, ତ ପିଲାମାନେ ନିଜ ଅଜା-ଆଈଙ୍କଠୁ ଗପ ଶୁଣିବାର ସୁଯୋଗ ପାଇଛନ୍ତି, ସେମାନଙ୍କ ଅନୁଭୂତି ଶୁଣି ସେଥିରୁ କେତେ କଥା ଶିଖିବାର ସୁଯୋଗ ପାଇଛନ୍ତି। ସ୍କୁଲ୍, ବହିପତ୍ର, ପାଠପଢ଼ା, ପରୀକ୍ଷା ସବୁ ପ୍ରକାର ଚିନ୍ତାରୁ ମୁକ୍ତ ହୋଇ ପିଲାମାନେ ଏବେ ବେଶ ହସଖୁସିରେ ସମୟ କଟାଉଛନ୍ତି। କିଛି ବୁଦ୍ଧିମାନ ଛାତ୍ରଛାତ୍ରୀ କରୁଛନ୍ତି ଏହି ସମୟର ସମ୍ପୂର୍ଣ୍ଣ ସଦୁପଯୋଗ। ସେମାନେ ପାଠ୍ୟ ପୁସ୍ତକ ଛଡ଼ା ବିଭିନ୍ନ ଜ୍ଞାନବର୍ଦ୍ଧକ ପୁସ୍ତକ ପଠନ କରି ନିଜର ଜ୍ଞାନର ପରିସୀମାକୁ ପରିବ୍ୟାପ୍ତ କରୁଛନ୍ତି ଯାହା ତାଙ୍କ ଭବିଷ୍ୟତ ଜୀବନରେ ବହୁତ ଉପକାରୀ ସାବ୍ୟସ୍ତ ହେବ। ଅନ୍ୟ କିଛି ପିଲାମାନେ ଏହି ସମୟ ମଧ୍ୟରେ ନିଜର ରୁଚି ଅନୁସାରେ ଚିତ୍ରାଙ୍କନ, ସଙ୍ଗୀତ ଆଦିରେ ସମୟ ବିତାଉଛନ୍ତି। ଏହା ମଧ୍ୟ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବାର ସୁଯୋଗ ସୃଷ୍ଟି କରୁଛି।

ପିଲାଙ୍କ କଥା ତ ଛାଡ଼ନ୍ତୁ , ବଡ଼ମାନେ ମଧ୍ୟ ନିଜର ସଉକ ବା ହବିକୁ ପୂର୍ଣ୍ଣ କରିବାର ଏକ ଅପୂର୍ବ ସୁଯୋଗ ପାଇଛନ୍ତି। କିଏ ଗୀତ ଗାଇବାକୁ ଭଲ ପାଉଥିଲା ତ କିଏ ବଗିଚା କାମ। ଏଭଳି ଅନେକ ଅପରିତୃପ୍ତ ଇଚ୍ଛା ଏବେ ବାସ୍ତବତାର ରୂପ ନେଉଛି। କେତେକଙ୍କ କ୍ଷେତ୍ରରେ ଉଜାଗର ହେଉଛି ସେମାନଙ୍କ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭା। ଯଥେଷ୍ଟ ସମୟ ମିଳୁଥିବାରୁ ଘରକାମରେ ନିଜକୁ ନିୟୋଜିତ କରି ପୁରୁଷମାନେ ମଧ୍ୟ ଘରେ ମହିଳାମାନେ କରୁଥିବା ବିଭିନ୍ନ ଜରୁରୀ କାମର ମର୍ୟ୍ୟାଦା ବୁଝିପାରିଛନ୍ତି। ଘର ସଫେଇ ଆଦି କାମରେ ସମୟ ମଧ୍ୟ କଟିଯାଉଛି ଆଉ ସ୍ୱଚ୍ଛତାର ଉଦ୍ଦେଶ୍ୟ ମଧ୍ୟ ପୂର୍ଣ୍ଣ ହେଉଛି।

ଘରର ସଦସ୍ୟମାନଙ୍କ ସହ ସ୍ନେହର ବନ୍ଧନ ସୁଦୃଢ଼ ହେବା ସାଙ୍ଗକୁ ଏହା ସୁଯୋଗ ଦେଇଛି ସାମାଜିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ। ଯଦିଓ, ଏହି ଲକଡାଉନ୍ ସମୟରେ କୌଣସି ବନ୍ଧୁବାନ୍ଧବଙ୍କ ଘରକୁ ଯିବାର ସୁଯୋଗ ନାହିଁ କିନ୍ତୁ ଆମ ହାତରେ ଥିବା ଛୋଟିଆ ମୋବାଇଲ ଫୋନଟି ଏ କ୍ଷେତ୍ରରେ ଖୁବ ଉପାଦେୟ ସାବ୍ୟସ୍ତ ହୋଇଛି। ବହୁ ଦିନରୁ ଭାବାତ୍ମକ ଭାବେ ଦୂରେଇ ଯାଇଥିବା ବନ୍ଧୁମାନଙ୍କୁ ଗୋଟିଏ ଫୋନ କଲ୍ ଦ୍ୱାରା ଆପଣାର କରିନେଇ ହେଉଛି। ବିଦେଶରେ ଥିବା ଲୋକକୁ ଆଜି ମନେ ପଡ଼ୁଛି ଗାଁ ମାଟି।

ମୋବାଇଲ୍ – ପ୍ରଯୁକ୍ତି ବିଦ୍ୟାର ଏହି ଚମତ୍କାରିକ ଉଦ୍ଭାବନଟି ଛୁଟି କାଟିବାର ସବୁଠୁ ଭଲ ମାଧ୍ୟମ ସାଜିଛି। ଇଂଟରନେଟ୍ ଏକ ପକ୍ଷରେ ଜ୍ଞାନର ଗନ୍ତାଘର ରୂପେ ଆମକୁ ଭେଟି ଦେଉଛି ଭଳିକି ଭଳି ଲେଖା, ଅଡିଓ ଏବଂ ଭିଡିଓ। ସେହିପରି ଏଥିରେ ଭରିରହିଛି ସଂସାରଯାକର ତମାମ ମନୋରଞ୍ଜନର ସାମଗ୍ରୀ। ଆଉ ସାମାଜିକ ଗଣମାଧ୍ୟମ କଥା ତ କହିଲେ ନ ସରେ। ଭଳିକି ଭଳି ସୂଚନା, ରୋଚକ କଥା, କାହାଣୀ, ଗୀତ, ସଙ୍ଗୀତ, କୌତୁକିଆ କଥାର ଇଏ ପାଲଟିଛି ମହାସାଗର।

ଏଭଳି ଦୁର୍ଦିନ, ମଣିଷ ମନରେ କ୍ରମାଗତ ଭାବେ ହ୍ରାସ ପାଇଆସୁଥିବା ମଣିଷପଣିଆକୁ ଜାଗ୍ରତ କରିଦେଇଛି। ନିୟମ ମାନି ସରକାର ଏବଂ ପ୍ରଶାସନକୁ ସହଯୋଗ କରିବା ସାଙ୍ଗକୁ ଅନେକ ଅଂଟା ଭିଡ଼ିଛନ୍ତି ସମାଜର ସେହି ବଂଚିତବର୍ଗଙ୍କ ପାଇଁ। ସରକାରୀ ସାହାଯ୍ୟକୁ ଅପେକ୍ଷା ନ କରି ଆଗେଇ ଆସିଛନ୍ତି ଅଭାବୀ ଲୋକଙ୍କ ମୁହଁରେ ଦାନାମୁଠାଏ ଦେବା ପାଇଁ। ଆଉ ଡାକ୍ତର, ଚିକିତ୍ସା କ୍ଷେତ୍ରରେ ନିୟୋଜିତ କର୍ମଚାରୀ, ଔଷଧ ଦୋକାନୀ, ପୁଲିସ କର୍ମଚାରୀ, ଗଣମାଧ୍ୟମ କର୍ମଚାରୀ, ସଫେଇ କାର୍ୟ୍ୟରେ ନିୟୋଜିତ କର୍ମଚାରୀ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକାରୀ – ଏମାନେ ସମସ୍ତେ ନିଜନିଜ କ୍ଷେତ୍ରରେ କାର୍ୟ୍ୟଧାରାକୁ ଜାରି ରଖି ସମାଜରେ ସେବା ଭାବନାର ନୂତନ ଉଦାହରଣମାନ ସୃଷ୍ଟି କରିଛନ୍ତି। ବିଶ୍ୱବାସୀ ଆଜି ଏକ ହୋଇଛନ୍ତି। ମିଳିମିଶି ମାନବଜାତିର ଶତ୍ରୁ ସହ ସଂଗ୍ରାମରେ ଲାଗିଛନ୍ତି। ଏଭଳି ପରିସ୍ଥିତିରେ ବିଶ୍ୱର ବିଭିନ୍ନ ଦେଶକୁ ଆବଶ୍ୟକ ଔଷଧ ଯୋଗାଇ ଭାରତ ଦେଖାଇଛି “ବସୁଧୈବ କୁଟୁମ୍ବକମ୍” ର ସେହି ଆଦର୍ଶ।

ଆଜି ଆମେ ବୁଝିପାରିଛୁ ଯେ ଜୀବନ ପାଇଁ କ’ଣ ଆବଶ୍ୟକ ଓ କ’ଣ ଅନାବଶ୍ୟକ। ଆଜି ଆମେ ଜାଣିପାରିଛୁ ଯେ ଅଳ୍ପ କିଛିରେ ମଧ୍ୟ ଜୀବନ କଟାଇହେବ। ଏତେ ସବୁ ଜଞ୍ଜାଳର ଆବଶ୍ୟକତା ନାହିଁ। ଆଜି ଆମେ ଜାଣିପାରିଛୁ ଯେ ଗାଡ଼ି ବିନା ମଧ୍ୟ କିଛି କାମ କରିହେବ। ପରିବେଶ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ କମିଛି। ଚାରିଆଡ଼େ ଶାନ୍ତିର ବାତାବରଣ। ସ୍ୱଚ୍ଛତା ଓ ପରିଚ୍ଛନ୍ନତା ପାଇଁ ଚାରିଆଡ଼େ ଆଗ୍ରହ ପ୍ରକାଶ ପାଇଛି। ଘଂଟି ବଜାଇବା ଓ ଦୀପ ଜଳାଇବା ଦେଇଛି ସାମାଜିକ ଏକତାର ମନ୍ତ୍ର ଓ ଦେଖାଇ ଦେଇଛି ଆମର ସୁଦୃଢ଼ ସାମାଜିକ ବନ୍ଧନ।

ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ହେବା ଫଳରେ ମଣିଷ ମନରେ ଧର୍ମୀୟ ଭାବନା ଯଦିଓ ହ୍ରାସ ହୋଇଥିବା ପରି ମନେ ହେଉଛି, କିନ୍ତୁ ଏହି ମହାବିପତ୍ତିରୁ ରକ୍ଷା କରିବା ପାଇଁ ଶେଷରେ ହାତଟେକି ସେ ପୁଣି ଡାକୁଛି ସେହି ମହାଶକ୍ତିକୁ। ଦୁର୍ଦିନ ହୋଇଥିବା ସତ୍ତ୍ବେ ଏ ସବୁ କଥା ପାଇଁ ସାରା ଜୀବନ ମନେରହିବ ଏହି ସମୟ। ସେଥିପାଇଁ ଧନ୍ୟବାଦ କରୋନା।

Comments are closed.