ରାସ୍ତା ସମସ୍ୟାର ସମାଧାନ ପାଇଁ ବିଡ଼ିଓଙ୍କୁ ଗ୍ରାମବାସୀଙ୍କ ଦାବି ପତ୍ର

ଠାକୁରମୁଣ୍ଡା : ସାଧିନତାର ୭୩ ବର୍ଷ ପରେ ବି ଗାଁକୁ ନାହିଁ ଖଣ୍ଡିଏ ଭଲରାସ୍ତା । ଏଥିପାଇଁ ଗ୍ରାମବାସୀ ପଲ୍ଲୀ ସଭା, ଗ୍ରାମସଭା, ବିଭାଗୀୟ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧିମାନଙ୍କ ଠାରେ ଗୁହାରି କରିଥିଲେ ବି ଫଳ ଶୁନ। ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଚମ୍ପାଝର ଗ୍ରାମପଞ୍ଚାୟତର ଅସନବଣି ଗ୍ରାମକୁ ଯାଇଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ ବର୍ଷା ଦିନରେ ଗ୍ରାମକୁ ଯାତାୟତ କରିବାରେ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଏ ନେଇ ଗ୍ରାମବାସୀମାନେ ବୁଧବାର ଦିନ ରାସ୍ତାକୁ ନିର୍ମାଣ କରିବା ଦାବୀ ନେଇ ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓଙ୍କୁ ଲିଖିତ ଦାବୀ ଜଣାଇଛନ୍ତି।

ସୂଚନାରୁ ପ୍ରକାଶ ଯେ, ଚମ୍ପାଝର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ୨ କିମି ଦୂରରେ ଥିବା ଅସନବଣି ଗ୍ରାମକୁ ଥିବା ରାସ୍ତା ଖରାପ ଯୋଗୁଁ ବର୍ଷା ହେଲେ ଯାନବାହାନ ଚଳାଚଳ ତ ଦୂରର କଥା ପାଦରେ ଚାଲି ଗ୍ରାମକୁ ପହଞ୍ଚିବା ସହଜ ନୁହେଁ। ଗ୍ରାମରେ ଯଦି କୌଣସି ଲୋକର ଦେହ ଖରାପ ହୁଏ କିମ୍ବା ଗର୍ଭବତୀକୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ହୁଏ ତେବେ ଖଟିଆରେ ବୁହାହୋଇ ୨ କିମି ଆସିବ ପରେ ଯାଇ ରୋଗୀ ଅମ୍ବୁଲାନ୍ସରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚୁଛନ୍ତି। ଗ୍ରାମପଞ୍ଚାୟତ ସମ୍ମୁଖରେ ଥିବା ଏହି ରାସ୍ତା ଉପରେ କାହାର ଦୃଷ୍ଟି ନ ପଡ଼ିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଗ୍ରାମର ପୂର୍ବତନ ସମିତି ସଭ୍ୟା କୁସ୍ତୁରୀ ମହାନ୍ତ, ଗୌରୀଲତା ମହାନ୍ତ ଓ ରୂପା ନାଏକଙ୍କ ନେତୃତ୍ୱରେ  ଗ୍ରାମର ମହିଳାମାନେ ଆଜି ବ୍ଲକ କାର୍ଯ୍ୟାଳୟକୁ ଆସି ଠାକୁରମୁଣ୍ଡା ବିଡ଼ିଓ ଶ୍ୟାମ ସୁନ୍ଦର ଟୁଡୁଙ୍କୁ ଭେଟି ଲିଖିତ ଦେବା ପରେ ବିଡ଼ିଓ ଗ୍ରାମକୁ ଯାଇ ନିଜେ ରାସ୍ତା ଦେଖିବା ପରେ ରାସ୍ତା ନିର୍ମାଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଗ୍ରାମବାସୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

Comments are closed.