ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ, ରାସ୍ତାରେ ଜନ୍ମ ହେଲା ଶିଶୁ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ମାତ୍ର ୨ କିମି ଦୂର ଠାକୁରମୁଣ୍ଡା ଗ୍ରାମପଞ୍ଚାୟତ ଖମଡିହା ପୁରୁଣାପାଣି ସାହିରେ ରାସ୍ତା ନ ଥିବାରୁ ଶୁକ୍ରବାର ଜଣେ ଗର୍ଭବତୀଙ୍କୁ ଖଟିଆରେ ୧ କିମି ବୁହା ହୋଇ ଆସିଥିଲା। ତାଙ୍କୁ ଅପେକ୍ଷା କରିଥିବା ଆମ୍ବୁଲାନ୍ସରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ବେଳେ ଚିକିତ୍ସା କେନ୍ଦ୍ର ପହଞ୍ଚିବା ପୂର୍ବରୁ ସେଠାରେ ଶିଶୁ ଜନ୍ମ ହୋଇ ଯାଇଥିଲା। ଜନ୍ମିତ ଶିଶୁର ଅବସ୍ଥା ଗୁରୁତର ଥିବାରୁ ଠାକୁରମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରୁ ସଙ୍ଗେ ସଙ୍ଗେ ଡାକ୍ତର କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।
ପୁରୁଣାପଣି ସାହିର ବିଜୟ ମୁଣ୍ଡୁରୀ ଙ୍କ ସ୍ତ୍ରୀ ନମିତା ଗର୍ଭବତୀ ଥିବା ବେଳେ ଗର୍ଭ ର ୬ ମାସ ପରେ ଗର୍ଭ ଯନ୍ତ୍ରଣା ପାଇଥିଲେ। ସ୍ୱାମୀ ବିଜୟ ବାହାର ରାକ୍ୟକୁ କାମ କରିବାକୁ ଯାଇଥିବା ବେଳେ ଘରେ ପରିବାର ଲୋକେ ଓ ସାହି ପଡୋଶୀ ବିଲ କାମକୁ ପଳାଇ ଯାଇଥିଲେ। ଦିନ ୨ ଟା ବେଳକୁ ନାମିତ ଗର୍ଭ ଯନ୍ତ୍ରଣା ପାଉଥିଲେ ମଧ୍ୟ ଏହାକୁ କେହି ପରିବାର ଲୋକେ ଜାଣି ପାରି ନଥିଲେ। ବିଲ କାମ ସାରି ଆସିବା ପରେ ଗର୍ଭ ଯନ୍ତ୍ରଣା ପାଉଥିବା ନମିତାକୁ ଠାକୁରମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ଆମ୍ବୁଲାନ୍ସ କୁ ଫୋନ କରିଥିଲେ। ଆମ୍ବୁଲାନ୍ସ ଗ୍ରାମକୁ ଯିବା ପରେ ରାସ୍ତା ଭଲ ନଥିବାରୁ ୧ କିମି ପୂର୍ବରୁ ଅଟକି ରହିଥିଲା। ଆମ୍ବୁଲାନ୍ସ ଘର ନିକଟରେ ପହଞ୍ଚି ନ ପରିବାରୁ ପରିବାର ଲୋକେ ଓ ପଡୋଶୀ ମାନେ ଶେଷରେ ଗର୍ଭ ଯନ୍ତ୍ରଣା ପାଉଥିବା ନମିତାକୁ ଖଟିଆରେ ବୋହି ଆଣି ଆମ୍ବୁଲାନ୍ସ ଗାଡ଼ିରେ ଭର୍ତ୍ତି କରି ସଂଧ୍ୟା ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ଥିଲେ। କିନ୍ତୁ ବାଟରେ ଆମ୍ବୁଲାନ୍ସ ଭିତରେ ଶିଶୁ ଜନ୍ମ ନେଇ ସାରିଥିବା ବେଳେ ଜନ୍ମିତ ଶିଶୁର ଅବସ୍ଥା ଗୁରୁତର ଥିବାରୁ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଡାକ୍ତର ସୂଚନା ଦେଇଛନ୍ତି।

Comments are closed.