କହିବେ କାହାକୁ ଶୁଣିବ କିଏ – ୧୧ ମାସ ହେଲାଣି ମନରେଗାରେ ମିଳୁନି ପାଉଣା

ଠାକୁରମୁଣ୍ଡା: ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ କରି ମାସ ମାସ ଧରି ମଜୁରୀ ପାଉ ନାହାନ୍ତି ଶ୍ରମିକ। ଫଳରେ ମନରେଗା କାମ ଉପରୁ ଆସ୍ଥା ତୁଟିଗଲାଣି ଶ୍ରମିକଙ୍କର। ବ୍ଲକ, ଗ୍ରାମ ପଞ୍ଚାୟତକୁ ଛାଡିଦେଲେ ଅନ୍ୟ ବିଭାଗ ମଧ୍ୟ କରୁଛନ୍ତି ମନରେଗା ଯୋଜନାରେ ପ୍ରକଳ୍ପ। ମାତ୍ର ଚରମ ଅବ୍ୟବସ୍ଥା ଦେଖିବାକୁ ମିଳିଛି ବନ ବିଭାଗରେl ଲୋକେ ମଜୁରୀ କାମ କରି ୧୧ ମାସ ହେଲା ମଜୁରୀ ପାଇନାହାନ୍ତି। ଅଭିଯୋଗ କଲେ ମଧ୍ୟ ଶୁଣିବାକୁ କେହି ନାହିଁ।

ଠାକୁରମୁଣ୍ଡା ବନାଞ୍ଚଳର ବାଲିପୋଷି ସେକ୍ସନର ବୋରିଂ ବିଟ ଅଞ୍ଚଳରେ ଚରମ ଅବ୍ୟବସ୍ଥା। ବୋରିଂ ଗ୍ରାମରେ ଶ୍ରମିକ ଟ୍ରେଞ୍ଚ ଖୋଳିଛନ୍ତିl ୨୫ ରୁ ଅଧିକ ମହିଳା, ପୁରୁଷ କମରେ ନିୟୋଜିତ ହୋଇ ୩୦ରୁ ୪୫ ଦିନ କାମ କରିଛନ୍ତି। ଅଫିସରୁ ବ୍ୟାଙ୍କ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ଟଙ୍କାଟିଏ ପାଇଲେ ନାହିଁ। ଅଧିକାରୀ କହୁଛନ୍ତି ଆକାଉଣ୍ଟରେ ପଇଠ ହୋଇଛି କିନ୍ତୁ ଜମାଖାତା ଚେକ କଲେ ଅର୍ଥ ଆସିନି। ଏମିତିରେ କଟିଲାଣି ୧୦ ମାସ। ଇତିମଧ୍ୟରେ ବୋରିଂ ଗ୍ରାମର କିଷାନ ନାଏକ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କଲେଣି। ସେ ୧୫ ଦିନ କାମ କରିଛନ୍ତି। ଅତ୍ୟନ୍ତ ଦୁର୍ଦିନରେ ତାଙ୍କ ମା’ଙ୍କର ଶୁଦ୍ଧି କ୍ରିୟା ପାଇଁ ଅର୍ଥ ମାଗି ମାଗି ଥକିଲେ ସିନା ସାହାଯ୍ୟ ପାଇଲେ ନାହିଁ କି ପାରିଶ୍ରମିକ ପାଇଲେ ନାହିଁ। ତେବେ ବନରକ୍ଷୀ ବୋରିଂରେ ରହୁନଥିବାରୁ ବନପାଳଙ୍କୁ ପଚାରିବାରୁ ଅନେକ ଶ୍ରମିକ ପକ୍କାଘର ପାଇଥିବାରୁ ଏବଂ ୯୫ ଦିନର ଶ୍ରମ ଦିବସ ହୋଇଥିବାରୁ ତାଙ୍କ ନାମରେ ମଜୁରୀ ଭରିବା ସମ୍ଭବ ହେଲାନାହିଁ। ଅନ୍ୟ କେତେକଙ୍କର କାହା ଆକାଉଣ୍ଟକୁ ଯାଉଛି ଜାଣି ହେଉନାହିଁ। ତେବେ ଆଗାମୀ ଦିନରେ ଯେମିତି ହେଲେ ମଜୁରୀ ଦିଆଯିବ ବୋଲି ସେ କହିଛନ୍ତି। ମାତ୍ର ଦାୟିତ୍ୱରେ ଥିବା ବନାଞ୍ଚଳ ଅଧିକାରୀ କିଶୋର ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହୁଛନ୍ତି ଶ୍ରମିକ ବାହାରୁ ନ ଥିବାରୁ ମେସିନ ଲଗାଯାଉଛି। ତେବେ ମଜୁରୀ ଦେଇ ପାରୁନଥିବାରୁ ବନ ବିଭାଗ କାର୍ଯ୍ୟରେ ଶ୍ରମିକ ବିଶ୍ୱାସ ରଖୁନାହାନ୍ତି ବୋଲି ଜଣାପଡୁଛି।

ଗ୍ରାମର ହାରାମଣୀ ନାଏକ, ମମତା ନାଏକ, ରାଇମଣି ନାଏକ , ଚୈତନ୍ୟ ଦେହୁରୀ, ନନ୍ଦିନୀ ଦେହୁରୀ, କଜଳ ନାଏକ, ଟୁନା ନାଏକ ଅନେକ ଶ୍ରମିକ ପଇସା ପାଇନଥିବା ଅଭିଯୋଗ କରିବା ସହ ବନ ବିଭାଗ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.