ପରିବା ବିକ୍ରେତାଙ୍କୁ ଛୁରୀ ଭୁସି ହତ୍ୟା; ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ୍‌ର ତଦନ୍ତ ଜାରି

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ସାତକୋଶିଆ ଗ୍ରାମପଞ୍ଚାୟତ ପ୍ରଧାନ ସାହି ଗ୍ରାମ ରାସ୍ତାରେ ଗୁରୁବାର ରାତିରେ ଜଣେ ପରିବା ବିକାଳିଙ୍କୁ ଛାତିରେ ଛୁରୀ ଭୁସି କେହି ହତ୍ୟା କରିଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣକ ପ୍ରଧାନ ସାହି ଗ୍ରାମର ବାଘ ମହାନ୍ତି କାଲୁଣ୍ଡିଆ ବୋଲି ଜଣାପଡିଛି। ରାସ୍ତା କଡରେ ମୃତଦେହ ପଡି ରହିଥିବା ସ୍ଥାନରେ ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ ରକ୍ତ ଭିଜା ଛୁରୀ ପଡିଛି। ଏଥିସହିତ ସେ ବ୍ୟବହାର କରୁଥିବା ତାଙ୍କର ଲୁନା ମୋଟର ସାଇକେଲ ଓ ପରିବା ବିକ୍ରିର କିଲ ଦଣ୍ଡି ପଡି ରହିଛି। ସକାଳୁ ଖବର ପାଇ ଘଟଣାସ୍ଥଳରେ ମହୁଲଡ଼ିହା ଥାନା ପୁଲିସ ଓ କରଞ୍ଜିଆ ପୁଲିସ ପହଞ୍ଚି ତଦନ୍ତ କରୁଛି।ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ। ପରିବା ବିକ୍ରି କରିବାକୁ ବାଘ ମହାନ୍ତି କାଣ୍ଡିଆନ(୫୦) ଗୁରବାର ସାତକୋଶିଆ ସାପ୍ତାହିକ ହାଟକୁ ଯାଇ ଘରକୁ ଫେରୁଥିବା ସମୟରେ ତାଙ୍କୁ ରାତିରେ କେହି ଦୁର୍ବୃତ୍ତ ଛୁରୀ ଭୁସି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ମହୁଲଡିହା ପୁଲିସ କେସ୍ ନଂ ୫୮/୨୦୨୨ରେ ରୁଜୁ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ପହଞ୍ଚି କରୁଛି।

Comments are closed.