ଜାଣନ୍ତି କି? ଏବେ ବି ଥାଇଲାଣ୍ଡର ରାଜା ହେଉଛନ୍ତି ‘’ରାମ’’

ଉତ୍ତରପ୍ରଦେଶସ୍ଥିତ ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟ ଓ ଦେଶ ସହ ରାମଙ୍କ ସମ୍ପର୍କର ଅବତାରଣା କରିଥିଲେ । ଏହି ଅବସର​‌ରେ ଥାଇଲାଣ୍ଡ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ । କେବଳ ଭାରତ ନୁହେଁ ଥାଇଲାଣ୍ଡରେ ମଧ୍ୟ ଏକ ଅଯୋଧ୍ୟା ଅଛି ।  କେବଳ ଅଯୋଧ୍ୟା ନୁହେଁ, ଏଠାରେ ଏକ ରାଜବଂଶ ଅଛି ଯେଉଁମାନେ କି ନିଜକୁ ଶ୍ରୀରାମଙ୍କ ଅବତାର ଭାବରେ ପରିଗଣିତ ହୁଅନ୍ତି । ଥାଇଲାଣ୍ଡର ବର୍ତମାନର ଚକ୍ରୀ ରାଜବଂଶ ନିଜକୁ ରାମ ଭାବରେ ପରିଚିତ କରିଥାଆନ୍ତି ।
ଚକ୍ରୀ ରାଜବଂଶର ବର୍ତମାନ ରାଜାଙ୍କୁ ରାମ ଦଶମ ଭାବରେ ଅଭିହିତ କରାଯାଏ । ଏହା ପୂର୍ବରୁ ଏହି ବଂଶରେ ରାମ ଉପାଧି ରାଜାମାନେ ନିଜ ନାମରେ ଲଗାଇ ଆସୁଛନ୍ତି । ରାମଙ୍କ ନାମ ସହ ଏକ ସଂଖ୍ୟା ଯୋଡ଼ିବା ପରମ୍ପରା ୟୁରୋପୀୟ ପ୍ରଭାବ ରହିଥିବା ଅନୁମାନ କରାଯାଉଛି । ଏହି ବଂଶର ଷଷ୍ଠ ରାଜା ବାଜିରାବୁଧ ଇଂଲଣ୍ଡରେ ଶିକ୍ଷାଲାଭ କରୁଥିଲେ । ସେଠାରେ ଶାସକମାନଙ୍କୁ ଜର୍ଜ ୫ମ, ଲୁଇସ ଦ୍ବିତୀୟ ବୋଲି ଗଣାଯାଉଥିବା ଦେଖି ସେ ସେ ନିଜକୁ ରାମ ଷଷ୍ଠ ଭାବରେ ଅଭିହିତ କରିଥିଲେ । ଏହାପରେ ପରବର୍ତୀ ରାଜାମାନେ ନିଜକୁ ରାମ ସପ୍ତମ, ଅଷ୍ଟମ, ନବମ ଓ ଦଶମ ଭାବରେ ପରିଚିତ କରି ଆସୁଛନ୍ତି ।
ଥାଇ ପରମ୍ପରା ଅନୁସାରେ ଜନସାଧାରଣ ରାଜାଙ୍କ ନାମ ନେଇ ନ ଥାନ୍ତି । ଏଥିପାଇଁ ରାଜାଙ୍କ ନିମନ୍ତେ ଅଲଗା ସମ୍ବୋଧନ ଆବଶ୍ୟକ ହୋଇଥାଏ । ଚକ୍ରୀ ବଂଶର ପ୍ରଥମ ରାଜାକୁହାଯାଉଥିବା ପୁତ୍ଥୟୋତ୍ଫା ଚାଲୁଲୋକ ନିଜ ନାଁ ସହ ଉପାଧି ଭାବରେ ଥାଇ ଶବ୍ଦ ‘‘ଫାନ ଦିନ ତୋନ୍’ ଯୋଡ଼ିଥିଲେ । ଯାହାର ଅର୍ଥ ଥିଲା ‘‘ଆଦି ଶାସକ’’ । ମାତ୍ର ଏହାପରେ ପରବର୍ତୀ ରାଜାମାନଙ୍କୁ ମଧ୍ୟ ଶାସକ ଓ ତୃତୀୟ ରାଜାଙ୍କୁ ଅନ୍ତିମ ଶାସକ କହିବା ଦ୍ବାରା ସମସ୍ୟା ସୃଷ୍ଟି ହୋଇଥିଲା ।
ଉପାଧି ସହ ଜଡ଼ିତ ଏହି ସମସ୍ୟା ସୃଷ୍ଟି ହେବା ପରେ ବୁଦ୍ଧ ପ୍ରତିମାଙ୍କ ଆଧାରରେ ଉପାଧି ଚୟନ କରାଯାଇଥିଲା । ପୁନଶ୍ଚ ରାଜସୀ ନାମାବଳୀକୁ ବ୍ୟବସ୍ଥିତ କରିବା ନିମନ୍ତେ ବିଚାରାଲୋଚନା କରାଯାଇ ଇତିହାସକାରମାନେ ରାଜା ନାଁ ତୃତୀୟ ଶାସକ ବୋଲି ଉଲ୍ଲେଖ କରିଥିଲେ ।

ଯେତେବେଳେ ରାଜା ବାଜିରାବୁଧ ନିଜକୁ ଇଂରାଜୀ ଭାଷା ଅନୁସାରେ ‘ରାମ ଷଷ୍ଠ’ ଭାବରେ ପରିଚିତ କରାଇଲେ ଏହାପରେ ହିନ୍ଦି ଓ ଇଂରାଜୀ ମିଶ୍ରିତ ଶବ୍ଦରେ ରାମଙ୍କ ନାମ ପରିବର୍ତିତ ହୋଇଥିଲା । ବର୍ତମାନ ଥାଇଲାଣ୍ଡରେ ରାମ ଦଶମ ଶାସନ କରୁଛନ୍ତି।


ବର୍ତମାନ ଥାଇଲାଣ୍ଡ ଚକ୍ରୀ ବଂଶର ରାଜା ବାଜିରାଲୋଙ୍ଗକର୍ଣ୍ଣ ‘‘ରାମ ଦଶମ’’ ଭାବରେ ପରିଚିତ । ୨୦୨୦ ମସିହାରେ ଆକଳନ ଅନୁସାରେ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୪୩ ଆରବ ଡ଼ଲାର । ଯାହା କି ଦୁନିଆର ଜଣେ ଧନୀ ଶାସକ ଭାବରେ ତାଙ୍କୁ ପରିଚିତ କରାଇଛି । ତାଙ୍କୁ ଥାଇଲାଣ୍ଡର ଲୋକମାନେ ‘ଫୁଟବଲ୍ ପ୍ରିନ୍ସ’ ଭାବରେ ମଧ୍ୟ ଜାଣନ୍ତି ।। ଜଣେ ସାଇକେଲିଷ୍ଟ ଭାବରେ ମଧ୍ୟ ସେ ବେଶ୍ ଜଣାଶୁଣା । ରାମ ନବମ ଅର୍ଥାତ୍ ତାଙ୍କର ପିତା ଭୂମିବୋଲ ଅଦୁଳ୍ୟାଦେଜଙ୍କ ପରଲୋକ ୨୦୧୬ରେ ହେବା ପରେ ସେ ରାଜା ଭାବରେ ଅଭିଷିକ୍ତ ହୋଇଥିଲେ ।
ଥାଇଲାଣ୍ଡରେ ଏକ ପ୍ରସିଦ୍ଧ ସହରର ନାମ ଅୟୁତ୍ୟଥା (ଅଯୋଧ୍ୟା) । ଯେଉଁଠି ରାଜାମାନଙ୍କୁ ରାମାତିବିଧି (ଅଧିପତି ରାମ) ଉପାଧି ମିଳିଥାଏ । ରାମାୟରରେ ଭଗବାନ ରାମଙ୍କ ରାଜଧାନୀ ଅଯୋଧ୍ୟା ଅନୁସାରେ ଅୟୁତ୍ୟଥାକୁ ସଂଯୋଗ କରାଯାଇଥାଏ । ୧୩୫୧ ମସିହାରେ ଶ୍ୟାମ ରାଜବଂଶ ଶାସକଙ୍କ ରାଜଧାନୀ ଥିଲା ଅୟୁତ୍ୟଥା ଓ ୧୭୬୭ରେ ବର୍ମାର ସୈନିକମାନେ ଏହି ସହରକୁ ଲୁଟପାଟ କରି ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଥିବା ଐତିହାସିକ ପ୍ରମାଣ ରହିଛି ।
ଥାଇ ଧାର୍ମିକ ଗ୍ରନ୍ଥର ନାମ ରାମକିନ୍। ଯାହାକୁ ଥାଇ ରାମାୟଣ ଭାବରେ ଗଣାଯାଇଥାଏ ।  ୩୦୦ ରାମାୟଣ ଗ୍ରନ୍ଥ ଲିଖନକାର ରାମାନୁଜନ ଏହି ଗ୍ରନ୍ଥକୁ ବାଲ୍ମିକୀ ରାମାୟଣ ସହ ତୁଳନା କରିଥାଆନ୍ତି । ।୧୮ତମ ଶତାବ୍ଦୀରେ ରାମ ପ୍ରଥମଙ୍କ ଦ୍ବାରା ଏହାକୁ ନୂଆ ଅକ୍ଷରରେ ଲିଖନ କରାଯାଇଥିବା କୁହାଯାଏ । ଏହାର ମୁଖ୍ୟ ଖଳନାୟକ ହିନ୍ଦୁଗ୍ରନ୍ଥ ରାମାୟଣ ଅନୁରୂପ ରାବଣ ପରି ଓ ନାୟକ ରାମଙ୍କ ପରି ଚିତ୍ରଣ କରାଯାଇଥାଏ । ଉଲ୍ଲେଖ ନିଷ୍ପ୍ରୟୋଜନ ଯେ ଥାଇ ଅଯୋଧ୍ୟାର ଅବଶେଷ ଏବେ ୟୁନେସ୍କୋ ଦ୍ବାରା ସଂସ୍କୃତି ସହରର ମାନ୍ୟତା ପାଇଛି ।

Comments are closed.