୨୬ ଜଣଙ୍କୁ ହତ୍ୟା କରିଥିବା ଜାକ୍ରାପନ୍ଥକୁ ମାରିଲେ ଥାଇ କମାଣ୍ଡୋ

ବ୍ୟାଙ୍କକ୍ : ଥାଇଲାଣ୍ଡର ଉତ୍ତର-ପୂର୍ବଞ୍ଚଳ ସହର ନାଖୋନ୍‌ ରାଚାସୀମାଠାରେ ଏକ ମଲରେ ପଶି ୨୬ ଜଣଙ୍କୁ ହତ୍ୟା କରିଥିବା ଥାଇଲାଣ୍ଡ ସେନାର କନିଷ୍ଠ ଅଧିକାରୀ ଜାକ୍ରାପନ୍ଥ ଥୋମାକୁ ସୋମବାର ଥାଇଲାଣ୍ଡର କମାଣ୍ଡୋମାନେ ଗୁଳି କରି ହତ୍ୟା କରିଛନ୍ତି। ଫଳରେ ଦୀର୍ଘ ୧୭ ଘଣ୍ଟାର ଭୟ ଓ ଆତଙ୍କର ବାତାବରଣର ଅବସାନ ଘଟିଛି। ଏହି ଘଟଣାରେ ୧୨ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । କୋରାଟ୍ ଭାବେ ଜଣାଶୁଣା ନାଖୋନ୍ ରାଚାସୀମା ମଲର ଟର୍ମିନାଲ୍ ୨୧ରେ ଜାକ୍ରାପନ୍ଥ ଗୁଳି ବର୍ଷଣ କରିଥିଲା। ବନ୍ଧୁକଧାରୀ ଜାକ୍ରାପନ୍ଥ ବାରାକରୁ ଅସ୍ତ୍ରଶସ୍ତ୍ର ଚୋରିକରି ନେଇ ରାତିସାରା ମଲ୍ ମଧ୍ୟରେ ରହି ଗୁଳି ଚଳାଇଥିଲା । ଥାଇଲାଣ୍ଡର ସୁରକ୍ଷା ବାହିନୀ ପକ୍ଷରୁ ଆକ୍ରମଣ କରାଯାଇ ଆତଙ୍କିତ ବ୍ୟବସାୟୀମାନଙ୍କୁ ମଲ୍ ମଧ୍ୟରୁ ଉଦ୍ଧାର କରାଯାଇଥିଲା। ବନ୍ଧୁକଧାରୀ କନିଷ୍ଠ ସେନା ଅଧିକାରୀ ଜଣକ ସର୍ଜେଣ୍ଟ-ମେଜର୍ ଜାକ୍ରାପନ୍ଥ ଥୋମା ବୋଲି ଫେସବୁକ୍ ପୋଷ୍ଟରୁ ଜଣାପଡ଼ିଛି। ଜଣେ ପୁଳିସ୍ ମୁଖପାତ୍ର କହିଛନ୍ତି, ଶତାଧିକ ସୁରକ୍ଷା କର୍ମଚାରୀ ଏବଂ କମାଣ୍ଡୋଙ୍କ ସହାୟତାରେ ସ୍ୱତନ୍ତ୍ର ଅପରେସନରେ ସେହି ବନ୍ଧୁକଧାରୀକୁ ହତ୍ୟା କରାଯାଇଛି ।

ଜାକ୍ରାପନ୍ଥ ଫାଇଲ ଫଟୋ

ଏହି ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ। ଏହି ହତ୍ୟାକାଣ୍ଡର ଭିଡିଓ ସେ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଛି । ତେବେ ଏଭଳି ହତ୍ୟାକାଣ୍ଡ ଥାଇଲାଣ୍ଡରେ ବିରଳ ବୋଲି ପୁଲିସ କହିଛି ।

Comments are closed.