ବଲିଉଡ଼ ଇତିହାସରେ ପ୍ରଥମ : ଭୋର ୪.୧୫ରେ ମୁକ୍ତିଲାଭ ହେବ ‘ଠାକରେ’

0

ମୁମ୍ବଇ : ବଲିଉଡ଼ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଚଳଚ୍ଚିତ୍ର ଭୋର ୪.୧୫ ସମୟରେ ମୁକ୍ତିଲାଭ କରିବାକୁ ଯାଉଛି। ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଠାକରେ’ ୨୫ ଜାନୁଆରୀ ଭୋର ୪.୧୫ ସମୟରେ ମୁକ୍ତିଲାଭ ହେବ। ପୂର୍ବରୁ ଚଳଚ୍ଚିତ୍ରକୁ ନେଇ ଖୁବ୍‍ ଚର୍ଚ୍ଚା ମଧ୍ୟ ହୋଇଛି।

ମିଳିଥିବା ଖବର ଅନୁସାରେ, ଆଇମ୍ୟାକ୍ସ ୱାଡ଼ଲାରେ ଚଳଚ୍ଚିତ୍ରର ପ୍ରଥମ ଦିନର ପ୍ରଥମ ଶୋ’ ମୁକ୍ତିଲାଭର ସମୟ ଭୋର ୪.୧୫ ରଖାଯାଇଛି। ପ୍ରେକ୍ଷାଳୟର ମାଲିକଙ୍କ କହିବା ଅନୁସାରେ, “ବାଲ ଠାକରେଙ୍କୁ ନେଇ ଲୋକଙ୍କ ମନରେ ବିଭିନ୍ନ ପ୍ରକାରର ପ୍ରଶ୍ନବାଚୀ ରହିଛି। ଲୋକେ ତାଙ୍କ ଜୀବନ କାହାଣୀ ଦେଖିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି। ସେମାନେ ତାଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି ଓ ମହାରାଷ୍ଟ୍ରରେ ଚଳଚ୍ଚିତ୍ରର ଖୁବ୍‍ ଚାହିଦା ମଧ୍ୟ ରହିଛି। ତେଣୁ ମୁକ୍ତିଲାଭର ସମୟ ଏପରି ରଖାଯାଇଛି”।

ଚଳଚ୍ଚିତ୍ରରେ ନବାଜୁଦ୍ଦିନ ସିଦ୍ଦିକୀ ବାଲ ଠାକରେଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍‍ ହେବା ପରେ ଦର୍ଶକ ଚଳଚ୍ଚିତ୍ରକୁ ନେଇ ଉତ୍ସାହିତ ଥିବା ଜଣାପଡ଼ିଛି ଓ ଏହାକୁ ଦେଖି ଚଳଚ୍ଚିତ୍ର ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି।

ଉଲ୍ଲେଖଯୋଗ୍ୟ, କୌଣସି ଚଳଚ୍ଚିତ୍ର ମୁକ୍ତିଲାଭର ପ୍ରଥମ ଶୋ’ର ସମୟ ସାଧାରଣତଃ ସକାଳ ୭ଟା ହୋଇଥାଏ। ହେଲେ ପୂର୍ବରୁ ଦକ୍ଷିଣ ଭାରତୀୟ ଅଭିନେତା ରଜନୀକାନ୍ତଙ୍କ କିଛି ଚଳଚ୍ଚିତ୍ର ଭୋର ୪ଟାରେ ମୁକ୍ତିଲାଭ କରାଯାଇଛି। ତେବେ ବଲିଉଡ଼ରେ କୌଣସି ଚଳଚ୍ଚିତ୍ରକୁ ଏତେ ସକାଳୁ ମୁକ୍ତିଲାଭ କରିବା ଐତିହାସିକ ହେବ।

Leave A Reply