ଖଟ୍ଟରଙ୍କ ବିରୋଧରେ ପ୍ରାର୍ଥୀ ହେବେ ତେଜ୍‌ ବାହାଦୁର

ଚଣ୍ଡିଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବାରାଣସୀରେ ନିର୍ବାଚନ ଲଢ଼ି ଚର୍ଚ୍ଚାକୁ ଆସିଥିବା ପୂର୍ବତନ ବିଏସ୍‌ଏଫ୍‌ ଯବାନ ତେଜ୍‌ ବାହାଦୁର ଯାଦବ ଏବେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବିରୋଧରେ ପାଗ ଭିଡ଼ିଛନ୍ତି। ହରିୟାଣାର ମହେନ୍ଦ୍ରଗଡ଼ ଜିଲା ଅଧିବାସୀ ଯାଦବ ଆଗାମୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଦୁଷ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଚୌତାଲା ତାଙ୍କୁ କର୍ଣ୍ଣାଲ ଆସନରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ କରାଯିବ ବୋଲି ରବିବାର ଘୋଷଣା କରିଛନ୍ତି। ଯାଦବ ଏକ ଭିଡିଓ ମାଧ୍ୟମରେ ଯବାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ଆଣି ୨୦୧୭ରେ ଚାକିରିରୁ ବହିଷ୍କୃତ ହୋଇଛନ୍ତି। ନିର୍ବାଚନରେ ସେ ହରିୟାଣାର ବେକାରୀ ସମସ୍ୟାକୁ ପ୍ରସଙ୍ଗ କରିବେ ବୋଲି କହିଛନ୍ତି। ୯୦ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ଆସନ୍ତା ୨୧ରେ ନିର୍ବାଚନ ହେଉଛି। ବାରାଣସୀରେ ମୋଦୀଙ୍କ ବିପକ୍ଷରେ ନିର୍ବାଚନ ଲଢିବାକୁ ଯାଦବ ପ୍ରାର୍ଥିପତ୍ର ଦାଖଲ କରିଥିଲେ ମଧ୍ୟ ନିର୍ବାଚନ କମିସନ ତାଙ୍କ ପ୍ରାର୍ଥିପତ୍ରକୁ ରଦ୍ଦ କରିଥିଲେ।

Comments are closed.