ଟେଷ୍ଟ ମାନ୍ୟତା : କୋହଲି ୨ନଂରେ ସ୍ଥିର, ବୁମରା ୭ନଂକୁ ଉନ୍ନୀତ

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ତରଫରୁ ମଙ୍ଗଳବାର ଜାରି ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୨ନଂ ସ୍ଥାନ ବଜାୟ ରଖିଥିବା ବେଳେ ବୋଲିଂ ମାନ୍ୟତାରେ ଭାରତୀୟ ଦ୍ରୁତ ବୋଲର ବୁମରା ୪ଟି ସ୍ଥାନ ଉପରକୁ ଉଠି ୭ନଂରେ ରହିଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷ ୨ଟି ଟେଷ୍ଟ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ଭାରତୀୟ ଦଳ ପୂର୍ବପରି ଦଳଗତ ମାନ୍ୟତାରେ ୧୧୬ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ଦଳ ୧୧୦ ପଏଣ୍ଟ ସହ ଦ୍ବିତୀୟ ଏବଂ ଅଷ୍ଟ୍ରେଲିଆ ୧୦୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ୪ଟି ଇନିଂସରୁ ମାତ୍ର ୩୮ ରନ୍‌ ସଂଗ୍ରହ କରିଥିବା କୋହଲି ବ୍ୟାଟିଂ ମାନ୍ୟତାରେ ୨ନଂ ସ୍ଥାନ ବଜାୟ ରଖିଥିବା ବେଳେ ୪ଟି ଇନିଂସରୁ ୧୧୭ ରନ୍‌ ସଂଗ୍ରହ କରିଥିବା ନ୍ୟୁଜିଲାଣ୍ଡର ବ୍ଲଣ୍ଡେଲ୍‌ ମାନ୍ୟତାରେ ୨୭ଟି ସ୍ଥାନ ଉପରକୁ ଉଠି ୪୬ନଂରେ ରହିଛନ୍ତି। ସେହିପରି ଭାରତୀୟ ଓପନର୍‌ ପୃଥ୍ବୀ ସ’ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟର ପ୍ରଥମ ଇନିଂସରେ ୫୪ ରନ୍ କରିଥିବାରୁ ମାନ୍ୟତାରେ ୧୭ଟି ସ୍ଥାନ ଉପରକୁ ଉଠି ୭୬ନଂରେ ରହିଛନ୍ତି। ଶୀର୍ଷ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭେନ୍‌ ସ୍ମିଥ୍‌। କୋହଲି ଓ ସ୍ମିଥ୍‌ଙ୍କ ମଧ୍ୟରେ ୨୫ ପଏଣ୍ଟର ବ୍ୟବଧାନ ରହିଛି। ଅନ୍ୟତମ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍‌ ମାନର୍ସ ଲାବୁସାନ୍‌ ଗୋଟିଏ ସ୍ଥାନ ଉପରକୁ ଉଠି ମାନ୍ୟତାର ୩ନଂରେ ରହିଛନ୍ତି। ଇଂଲଣ୍ଡର ବେନ୍‌ ଷ୍ଟୋକ୍‌ସ ଓ ଭାରତୀୟ ଓପନର୍‌ ମୟଙ୍କ ଅଗ୍ରୱାଲ୍‌ ମାନ୍ୟତାରେ ଗୋଟିଏ ଲେଖାଏଁ ସ୍ଥାନ ଉପରକୁ ଉଠି ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

ବୋଲିଂ ମାନ୍ୟତାରେ ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ରେ ପ୍ଲେୟାର ଅଫ୍‌ ଦି ସିରିଜ୍‌ ଭା​‌ବେ ମନୋନୀତ ନ୍ୟୁଜିଲାଣ୍ଡର ଟିମ୍‌ ସାଉଦି ଦୁଇଟି ସ୍ଥାନ ଉପରକୁ ଉଠି ୪ନଂରେ ରହିଥିବା ବେଳେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରା ଓ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍‌ଟ ୪ଟି ଲେଖାଏଁ ସ୍ଥାନ ଉପରକୁ ଉଠି ଯଥାକ୍ରମେ ୭ ଓ ୯ନଂରେ ରହିଛନ୍ତି। ଭାରତ ବିପକ୍ଷ ସିରିଜ୍‌ରେ ଭଲ ପ୍ରଦର୍ଶନ କରିଥିବା ନ୍ୟୁଜିଲାଣ୍ଡର ଜେମିସନ୍‌ଙ୍କ ମାନ୍ୟତାରେ ବ୍ୟାପକ ଉନ୍ନତି ଘଟିଛି। ପୂର୍ବରୁ ସେ ୮୦ନଂରେ ରହିଥିବା ବେଳେ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଉପରକୁ ଉଠି ୪୩ନଂରେ ରହିଛନ୍ତି। ଅଲରାଉଣ୍ଡର ମାନ୍ୟତାରେ ନ୍ୟୁଜିଲାଣ୍ଡର ଟିମ୍‌ ସାଉଦି ଗୋଟିଏ ସ୍ଥାନ ତଳକୁ ଖସି ୧୦ନଂରେ ରହିଥିବା ବେଳେ ଜେମିସନ୍‌ ୨୬ଟି ସ୍ଥାନ ଉପରକୁ ଉଠି ୨୨ନଂରେ ରହିଛନ୍ତି।

Comments are closed.