ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍ ପାଇଁ ଭାରତୀୟ ଦଳ ପ୍ରସ୍ତୁତ : ପୂଜାରା

0

ଲଣ୍ଡନ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜ୍‍ ପାଇଁ ଭାରତୀୟ ଦଳ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ମତ ଦେଇଛନ୍ତି ଅଭିଜ୍ଞ ବ୍ୟାଟସମ୍ୟାନ୍‍ ଚେତେଶ୍ୱର ପୂଜାରା। ଭାରତୀୟ ଦଳ ୧୭ଥର ଇଂଲଣ୍ଡ ଗସ୍ତରେ ଯାଇ ୩ଟି ଟେଷ୍ଟ ସିରିଜ୍‍ରେ ବିଜୟୀ ହୋଇଥିବା ବେଳେ ଗୋଟିଏ ସିରିଜ୍‍ ଅମୀମାସିଂତ ଭାବେ ଶେଷ ହୋଇଥିଲା। ୨୦୧୧ରେ ଭାରତୀୟ ଦଳ ୦-୪ରେ ଟେଷ୍ଟ ସିରିଜ୍‍ରେ ପରାଜୟ ବରଣ କରିଥିବା ବେଳେ ୨୦୧୪ରେ ୩-୧ରେ ଟେଷ୍ଟ ସିରିଜ୍‍ ହାରିଥିଲା। ତେବେ ୨୦୧୪ ଠାରୁ ଆସନ୍ତା ସିିରିଜ୍‍ ନିମନ୍ତେ ଭାରତୀୟ ଦଳ ବେଶ୍‍ ଭଲ ଭାବେ ପ୍ରସ୍ତୁତ ହୋଇଛି ବୋଲି ପୂଜାରା କହିଛନ୍ତି। ୨୦୧୪ ପରଠାରୁ ଭାରତୀୟ ଦଳ ବେଶ୍‍ କିଛି ସଂଖ୍ୟକ ମ୍ୟାଚ୍‍ ଖେଳିଛି। ଫଳରେ ଖେଳାଳିମାନେ ଅଭିଜ୍ଞତା ହାସଲ କରିଛନ୍ତି। ଇଂଲଣ୍ଡ ପରିସ୍ଥିତି ଓ ପିଚ୍‍ ସହ କିପରି ଭାବେ ଖାପ୍‍ ଖୁଆଇ ଖେଳିବାକୁ ହୁଏ ତାହା ଭାରତୀୟ ଖେଳାଳିମାନେ ଭଲ ଭାବେ ଜାଣି ସାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତ ଟେଷ୍ଟ ସିରିଜ୍‍ରେ ବିଜୟୀ ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ସେ କହିଛନ୍ତି।
ୟର୍କସାୟାର ତରଫରୁ କାଉଣ୍ଟି କ୍ରିକେଟ୍‍ ଖେଳୁଥିବା ପୂଜାରା କହିଛନ୍ତି କାଉଣ୍ଟି କ୍ରିକେଟ୍‍ ଖେଳିବା ଫଳରେ ଇଂଲଣ୍ଡ ପିଚ୍‍ରେ କିପରି ବ୍ୟାଟିଂ କଲେ ସଫଳତା ମିଳିବ ତାହା ସେ ଜାଣିପାରିଛନ୍ତି। ଇଂଲଣ୍ଡ ପିଚ୍‍ରେ ବଲ୍‍ ସୁଇଙ୍ଗ ହେବାର ସମ୍ଭାବନା ଥିôବାରୁ କାଉଣ୍ଟି କ୍ରିକେଟ୍‍ ଖେଳିବାର ଅଭିଜ୍ଞତା ତାଙ୍କୁ ସହାୟତା ପ୍ରଦାନ କରିବ ବୋଲି ପୂଜାରା ଆଶାବ୍ୟକ୍ତ କରିଛନ୍ତି।
ଭାରତୀୟ ଉପମହାଦେଶୀୟ ପିଚ୍‍ରେ ପୂଜାରାଙ୍କ ପ୍ରଦର୍ଶନ ବେଶ୍‍ ଉଚ୍ଚକୋଟିର। ସେ ୩୧ଟି ଟେଷ୍ଟରୁ ୨୮୪୫ ରନ୍‍ ସଂଗ୍ରହ କରିଥିବା ବେଳେ ତାଙ୍କ ବ୍ୟାଟିଂ ହାର ୬୩.୨୨ ରହିଛି। ସେଥିମଧ୍ୟରୁ ୧୦ଟି ଶତକ ଓ ୧୨ଟି ଅର୍ଦ୍ଧଶତକ ରହିଛି। ଅନ୍ୟପକ୍ଷରେ ବିଦେଶ ମାଟିରେ ତାଙ୍କର ପ୍ରଦର୍ଶନ ଏତେଟା ଭଲ ନୁହେଁ। ସେ ବିଦେଶ ମାଟିରେ ୧୫ଟି ଟେଷ୍ଟ ମ୍ୟାଚ୍‍ ଖେଳି ୨୮.୭୬ ହାରରେ ରନ୍‍ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ଗୋଟିଏ ଶତକ ରହିଛି। ଏହାକୁ ଦୃଷ୍ଟିରେ ରଖି ଇଂଲଣ୍ଡରେ ଭାରତୀୟ ଦଳ ସଫଳତା ପାଇବାକୁ ହେଲେ ପୂଜାରାଙ୍କୁ ଭଲ ରନ୍‍ କରିବାକୁ ପଡ଼ିବ। ନିଜ ପ୍ରତ୍ରିକ୍ରିୟାରେ ପୂଜାରା କହିଛନ୍ତି ଚଳିତଥର ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍ରେ ଭଲ ପ୍ରଦର୍ଶନ କରିବାକୁ ସେ କଠିନ ପରିଶ୍ରମ କରିଛନ୍ତି ଏବଂ ଏହାର ସୁଫଳ ତାଙ୍କୁ ନିଶ୍ଚିତ ଭାବେ ମିଳିବ।
ଇଂଲଣ୍ଡ ଦଳ ଶକ୍ତିଶାଳୀ ହୋଇଥିବାରୁ ଏହି ଦଳକୁ ପରାସ୍ତ କରିବାକୁ ଭାରତୀୟ ଖେଳାଳିମାନଙ୍କୁ ନିଜ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ସେ ମତ ଦେଇଛନ୍ତି। ଏହି ସମୟରେ ଇଂଲଣ୍ଡ ପିଚ୍‍ରେ ସ୍ପିନରମାନଙ୍କୁ ସହାୟତା ମିଳିବା ଆଶା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସ୍ପିନର ରବିଚନ୍ଦ୍ରନ୍‍ ଅଶ୍ୱିନ୍‍, ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ଯଦି ଭଲ ବୋଲିଂ କରନ୍ତି ତେବେ ଭାରତୀୟ ଦଳ ବିଜୟୀ ହେବା ଆଶା ଅଧିକ ହେବ ବୋଲି ସେ ମତ ଦେଇଛନ୍ତି।
ଆଗାମୀ ଦିନରେ ଆଇସିସି ତରଫରୁ ଟେଷ୍ଟ ଚମ୍ପିଆନ୍‍ସିପ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ତାଙ୍କ ଭଳି ଟେଷ୍ଟ ଖେଳାଳିମାନେ ବେଶ୍‍ ଖୁସି ଅଛନ୍ତି ବୋଲି ପୂଜାରା କହିଛନ୍ତି। ଏହି ଚମ୍ପିଆନ୍‍ସିପ ଆରମ୍ଭ ହେବା ଫଳରେ ଟେଷ୍ଟ କ୍ରିକେଟ୍‍ର ଲୋକପ୍ରିୟତା ବୃଦ୍ଧି ପାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଭାରତୀୟ ଦଳ ଦିବାରାତ୍ର ଟେଷ୍ଟ ମ୍ୟାଚ୍‍ ଖେଳିବା ଉଚିତ୍‍ କି ନୁହେଁ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ପୂଜାରା କହିଛନ୍ତି ଏ ସଂପର୍କରେ ମତ ଦେବାକୁ ତାଙ୍କର ଉପଯୁକ୍ତ ବ୍ୟକ୍ତି ନୁହନ୍ତି। ଦିବାରାତ୍ର ଟେଷ୍ଟ କ୍ରିକେଟ୍‍ ନୂଆ ଫର୍ମାଟ୍‍ ହୋଇଥିବାରୁ ଏହାକୁ ନେଇ ଭିନ୍ନ ମତ ପ୍ରକାଶ ପାଇବା ସ୍ୱାଭାବିକ। ଭବିଷ୍ୟତରେ ଭାରତୀୟ ଦଳ ଦିବାରାତ୍ର ଟେଷ୍ଟ ମ୍ୟାଚ୍‍ ଖେଳିବ କି ନାହିଁ ସେ ସଂପର୍କରେ ବିସିସିଆଇ ନିଷ୍ପତ୍ତି ନେବ।

Leave A Reply