ଭାରତର ସମର୍ଥନ ନ ରହିଲେ ଟେଷ୍ଟ କ୍ରିକେଟ୍‍ର ମୃତ୍ୟୁ ଘଟିବ : ଚାପେଲ

ସିଡ୍‍ନୀ : ଅଷ୍ଟ୍ରେଲିଆ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ତଥା ତତ୍କାଳୀନ ଖ୍ୟାତନାମା ବ୍ୟାଟ୍‍ସମ୍ୟାନ୍‍ ଗ୍ରେଗ୍‍ ଚାପେଲ ଟେଷ୍ଟ କ୍ରିକେଟ୍‍ର ଭବିଷ୍ୟତକୁ ନେଇ ବେଶ୍‍ ଚିନ୍ତିତ। ଟେଷ୍ଟ କ୍ରିକେଟ୍‍ର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍‍ସମ୍ୟାନ୍‍ ଚାପେଲ ମନେକରନ୍ତି ଯେ କରୋନା ପରବର୍ତ୍ତୀ ସମୟରେ ଟେଷ୍ଟ କ୍ରିକେଟ୍‍କୁ ବଞ୍ଚାଇ ରଖିବା କଷ୍ଟକର ହେବ। ତେବେ ଭାରତର ସମର୍ଥନ ମିଳିଲେ ଟେଷ୍ଟ କ୍ରିକେଟ୍‍ ବଞ୍ଚିରହିବ; ଅନ୍ୟଥା ନୁହେଁ। କାରଣ ଭାରତ ନିକଟରେ ଅର୍ଥ ବଳ ରହିଛି; ଯାହା ବଳରେ ଏହା ଟେଷ୍ଟ କ୍ରିକେଟ୍‍କୁ ପ୍ରୋତ୍ସାହନ ଦେଇପାରିବ।
ଭାରତୀୟ କ୍ରିକେଟ୍‍ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ କାମ କରିଥିବା ଗ୍ରେଗ୍‍ ଚାପେଲ କହିଛନ୍ତି, ଯେଉଁଦିନ ଭାରତ ଟେଷ୍ଟ କ୍ରିକେଟ୍‍କୁ ସମର୍ଥନ କରିବା ବନ୍ଦ କରିଦେବ; ସେହିଦିନ ଟେଷ୍ଟ କ୍ରିକେଟ୍‍ର ମୃତ୍ୟୁ ଘଟିବ। ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆକୁ ଛାଡ଼ି ସାମ୍ପ୍ରତିକ କ୍ରିକେଟ୍‍ ବିଶ୍ୱରେ କେହି ଯୁବ ଖେଳାଳିଙ୍କୁ ଟେଷ୍ଟ କ୍ରିକେଟ୍‍ ଖେଳିବା ପାଇଁ ପ୍ରୋତ୍ସାହନ ଦେବା ଦେଖିବାକୁ ପାଉନାହିଁ। ଟ୍ୱେଣ୍ଟି୨୦ କ୍ରିକେଟ୍‍ ବିରୋଧରେ ମୋର କିଛି କହିବାର ନାହିଁ। ମୋତେ ମଧ୍ୟ ଟ୍ୱେଣ୍ଟି୨୦ କ୍ରିକେଟ୍‍ ବହୁତ ଭଲଲାଗେ। ଟ୍ବେଣ୍ଟି୨୦ କ୍ରିକେଟ୍‌ରୁ ବହୁ ଅର୍ଥ ଉପାର୍ଜନ ହୋଇଥାଏ। ତେବେ ଟେଷ୍ଟ କ୍ରିକେଟ୍‍ ବଞ୍ଚିରହିବା ପାଇଁ ଆର୍ଥିକ ଦୃଷ୍ଟିକୋଣ ବେଶ୍‍ ଗୁରୁତ୍ୱପୂର୍ଣ୍ଣ। କରୋନା ପରବର୍ତ୍ତୀ ସମୟରେ ଟେଷ୍ଟ କ୍ରିକେଟ୍‍ ପାଇଁ ବଜାରରୁ ଅର୍ଥ ଯୋଗାଡ଼ କରିବା ବା ପ୍ରାୟୋଜକ ପାଇବା ବେଶ୍‍ କଷ୍ଟକର ହେବ। ତେବେ ଉତ୍ସାହଜନକ କଥା ହେଉଛି ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ କୋହଲି ନିୟମିତ ଭାବେ କହି ଆସୁଛନ୍ତି ଯେ ଟେଷ୍ଟ କ୍ରିକେଟ୍‍ ହିଁ ପ୍ରକୃତ କ୍ରିକେଟ୍‍। ତେଣୁ ଆଶା ଜାଗ୍ରତ ହୋଇଛି ଯେ ଟେଷ୍ଟ କ୍ରିକେଟ୍‍ ତିଷ୍ଠିରହିବ। ଗ୍ରେଗ୍‍ ଚାପେଲ ୨ ବର୍ଷ ଧରି ଭାରତୀୟ ଦଳର ପ୍ରଶିକ୍ଷକ ଥିବା ବେଳେ ଏହି ୨ ବର୍ଷ ବେଶ୍‍ ବିବାଦୀୟ ହୋଇଥିଲା। ଦଳର ବରିଷ୍ଠ ଖେଳାଳିଙ୍କ ସହ ତାଙ୍କର ମତଭେଦ ହୋଇଥିଲା। ତାଙ୍କ ଆତ୍ମଜୀବନୀ ‘ପ୍ଲେଇଙ୍ଗ୍‍ ଇଟ୍‍ ମାଇ ୱେ’ରେ ବ୍ୟାଟିଂ ମହାରଥୀ ସଚିନ ତେନ୍ଦୁଲକର ତତ୍କାଳୀନ ପ୍ରଶିକ୍ଷକ ଗ୍ରେଗ୍‍ ଚାପେଲଙ୍କୁ ସବୁ ବିବାଦର ‘ରିଙ୍ଗ୍‍ ମାଷ୍ଟର’ ବୋଲି ଆକ୍ଷେପ କରିଛନ୍ତି।
ଏହାସତ୍ତ୍ବେ ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡ଼ିବ ଯେ ରନ୍‍ର ପିଛାକରିବା ବେଳେ ଭାରତ ଅତ୍ୟନ୍ତ ଦୁର୍ବଳ ଥିଲା ଏବଂ ଏହାର ରେକର୍ଡ ଭଲ ନଥିଲା। ତେବେ ଗ୍ରେଗ୍‍ ଚାପେଲ୍‍ ଭାରତୀୟ ଦଳର ପ୍ରଶିକ୍ଷକ ହେବା ପରେ ଟିମ୍‍ ଇଣ୍ଡିଆ କ୍ରମାଗତ ୧୭ଟି ଦିନିକିଆ ମ୍ୟାଚ୍‍ରେ ରନ୍‍ର ପିଛାକରି ବିଜୟୀ ହୋଇଥିଲା। ୨୦୦୬ରେ ଚାପେଲ ପ୍ରଶିକ୍ଷକ ଥିବା ବେଳେ ଦୀର୍ଘ ୩୫ ବର୍ଷ ପରେ ୱେଷ୍ଟଇଣ୍ଡିଜ୍‍ ମାଟିରେ ଭାରତ ଟେଷ୍ଟ ସିରିଜ୍‍ ଜିତିଥିଲା। ପୁଣି ସେହିବର୍ଷ ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ପ୍ରଥମଥର ପାଇଁ ଟେଷ୍ଟମ୍ୟାଚ୍‍ ଜିତିଥିଲା। ତେବେ ଭାରତୀୟ କ୍ରିକେଟ୍‍କୁ ଚାପେଲଙ୍କ ସବୁଠାରୁ ବଡ଼ ଅବଦାନ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି। ଚାପେଲ ଆସିବା ପୂର୍ବରୁ ଧୋନି ସମସ୍ତ ବଲ୍‍ରେ ବଡ଼ ସଟ୍‍ ମାରିବାର ପ୍ରୟାସ କରୁଥିଲେ। ହେଲେ ଚାପେଲଙ୍କ ପରାମର୍ଶରେ ଧୋନି କ୍ରିଜ୍‍ରେ ରହି ଲମ୍ବା ଇନିଂସ ଖେଳି ମ୍ୟାଚ୍‍ ଫିନିସ୍‍ କରିବାର କଳା ଶିଖିଥିଲେ। ଚାପେଲ କହିଛନ୍ତି, ଧୋନିଙ୍କୁ ପ୍ରଥମଥର ନେଟ୍‍ସରେ ବ୍ୟାଟିଂ କରିବାର ଦେଖିବା ବେଳେ ସେ ପ୍ରତ୍ୟେକ ବଲ୍‍ରେ ବଡ଼ ସଟ୍‍ ମାରି ପାରୁଥିଲେ। ଶ୍ରୀଲଙ୍କା ବିପକ୍ଷରେ ଧୋନିଙ୍କ ୧୮୩ ରନ୍‍ର ଇନିଂସ କଥା ମୋର ମନେଅଛି। ଶ୍ରୀଲଙ୍କା ବୋଲିଂ ଆକ୍ରମଣକୁ ତାଙ୍କ ପ୍ରହାର ବଳରେ ଧୋନି ଖିନ୍‍ଭିନ୍‍ କରି ଦେଇଥିଲେ। ପୁଣେରେ ପରବର୍ତ୍ତୀ ମ୍ୟାଚ୍‍ ପୂର୍ବରୁ ମୁଁ ଧୋନିଙ୍କୁ କହିଥିଲି, ପ୍ରତି ବଲ୍‍ରେ ବାଉଣ୍ଡରୀ ମାରିବାର ପ୍ରୟାସ କରିବା ଅପେକ୍ଷା ଗ୍ରାଉଣ୍ଡରେ କାହିଁକି ସଟ୍‍ ଖେଳୁନାହଁ? ଏହି ମ୍ୟାଚ୍‍ରେ ଆମେ ୨୬୦ ରନ୍‍ର ପିଛା କରୁଥିଲୁ ଏବଂ ଆମେ ଭଲ ସ୍ଥିତିରେ ଥିଲୁ। ଧୋନି ଜଗିରଖି ବ୍ୟାଟିଂ କରୁଥିଲେ। ଜିତିବା ପାଇଁ ଆଉ ୨୦ ରନ୍‍ ଥିବା ବେଳେ ୧୨ଶ ଖେଳାଳି ଆର୍‍.ପି. ସିଂହଙ୍କ ହାତରେ ମୋତେ ସେ ପଚାରିଥିଲେ- ଏଥର ଛକା ମାରିପାରିବି କି? ମୁଁ ତାଙ୍କୁ କହିଥିଲି- ଆବଶ୍ୟକ ରନ୍‍ ଏକ ବିଶିଷ୍ଟ ନ ହେବା ପର୍ଯ୍ୟନ୍ତ ଆଦୌ ନୁହେଁ। ଶେଷରେ ଛକାମାରି ଧୋନି ମ୍ୟାଚ୍‍ର ଅନ୍ତଃ ଘଟାଇଥିଲେ। ସବୁବେଳେ ଧୋନିଙ୍କୁ ଆହ୍ୱାନ ଦେଉଥିଲି- ତୁମେ କ’ଣ ମ୍ୟାଚ୍‍ ଫିନିସ୍‍ କରିପାରିବ? ସେ କେବଳ ହସି ଦେଉଥିଲେ। ଏବେ କହୁଛି ମ୍ୟାଚ୍‍ ଫିନିସ୍‍ କରିବାରେ ଅଦ୍ୟାବଧି ଧୋନି ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍‍ସମ୍ୟାନ୍‍।

Comments are closed.