ବିଶ୍ବ କୀର୍ତ୍ତିମାନ: ଟେଷ୍ଟରେ ଏକ ଓଭରରେ ସର୍ବାଧିକ ରନ୍‌

ବର୍ମିଂହାମ୍‌: ଟେଷ୍ଟ କ୍ରିକେଟ୍‌ରେ ୫୫୦ଟି ୱିକେଟ ନେଇଛନ୍ତି ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌। କ୍ରିକେଟ୍‌ ଇତିହାସରେ ମହାନ୍ ପେସ୍ ବୋଲରଙ୍କ ତାଲିକାରେ ବ୍ରଡ୍‌ ଅନ୍ୟତମ। ହେଲେ କାହିଁକି କେଜାଣି; ବ୍ରଡ୍‌ଙ୍କ ବୋଲିଂରେ ପ୍ରହାର କରିବାକୁ ଭାରତୀୟ ବ୍ୟାଟ୍‌ସମ୍ୟାନ ବହୁତ ଭଲପାଆନ୍ତି। ୨୦୦୭ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ବ୍ରଡ୍‌ଙ୍କ ଏକ ଓଭରର ୬ଟି ବଲ୍‌ରେ ଯୁବରାଜ ସିଂହ ୬ଟି ଛକା ମାରିଥିଲେ। ଏବେ ଏଠାରେ ଚାଲିଥିବା ଭାରତ-ଇଂଲଣ୍ଡ ୫ମ ଟେଷ୍ଟରେ କ୍ରିକେଟ୍‌ ଇତିହାସରେ ଏକ ଟେଷ୍ଟମ୍ୟାଚ୍‌ରେ ସବୁଠାରୁ ମହଙ୍ଗା ଓଭର ବୋଲିଂ କରିବାର ଅଲୋଡ଼ା ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି ବ୍ରଡ୍‌। ଭାରତୀୟ ପ୍ରଥମ ଇନିଂସ​‌େ​‌ର ବ୍ରଡ୍‌ଙ୍କ ଏକ ଓଭରରେ ୩୫ ରନ୍‌ ହୋଇଥିବା ବେଳେ ଷ୍ଟ୍ରାଇକ୍‌ରେ ଥିଲେ ଭାରତୀୟ ଅଧିନାୟକ ଯଶପ୍ରୀତ ବୁମ୍‌ରା; ଯାହାଙ୍କ ବ୍ୟାଟିଂ ଆଭ୍‌ରେଜ୍‌ ୭ରୁ ମଧ୍ୟ କମ୍‌।

ଭାରତୀୟ ଇନିଂସର ୮୪ତମ ଓଭର ଷ୍ଟୁଆର୍ଟ ବ୍ରଡ୍‌ ବୋଲିଂ କରିଥିଲେ। ଓଭର ପ୍ରଥମ ବଲ୍‌କୁ ଫାଇନ୍‌ଲେଗ୍‌ରେ ଚୌକା ମାରିଥିଲେ ବୁମ୍‌ରା। ପରବର୍ତ୍ତୀ ବଲ୍‌ ବୁମରାଙ୍କ ମୁଣ୍ଡର ବହୁତ ଉପରେ ଚାଲି ଯାଇଥିଲା। ପରବର୍ତ୍ତୀ ବଲ୍‌ ନୋ’ବଲ୍‌ ଥିଲା; ଯାହାକୁ ବୁମ୍‌ରା ଛକା ମାରିଥିଲେ। ପରବର୍ତ୍ତୀ ୩ଟି ବଲ୍‌ରେ ବୁମ୍‌ରା ଚୌକା ମାରିଥିଲେ। ପରବର୍ତ୍ତୀ ବଲ୍‌ରେ ବୁମ୍‌ରା ଛକା ମାରିଥିବା ବେଳେ ଶେଷ ବଲ୍‌ରୁ ୧ ରନ୍‌ ହୋଇଥିଲା। ଟେଷ୍ଟ କ୍ରିକେଟ୍‌ରେ ଏହା ସବୁଠାରୁ ମହଙ୍ଗା ଓଭର ଥିଲେ ହେଁ ବୁମ୍‌ରାଙ୍କ ବ୍ୟାଟ୍‌ରୁ ୨୯ ରନ୍‌ ହୋଇଥିଲା। ଏହି କ୍ରମରେ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟିଂ କିମ୍ବଦନ୍ତୀ ବ୍ରାୟାନ୍ ଲାରାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ବୁମ୍‌ରା। ୨୦୦୩-୦୪ରେ ଏକ ଟେଷ୍ଟମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ବାମହାତି ସ୍ପିନର ରବିନ୍ ପିଟରସନ୍‌ଙ୍କ ଓଭରରେ ଲାରା ୨୮ ରନ୍‌ ମାରିଥିଲେ। ଏହି ଓଭରରେ ଲାରା ୪ଟି ଚୌକା ଓ ୨ଟି ଛକା ମାରିଥିଲେ। ଅଷ୍ଟ୍ରେଲିଆର ଜର୍ଜ ବେଲି ମଧ୍ୟ ଟେଷ୍ଟମ୍ୟାଚ୍‌ରେ ଏକ ଓଭରରେ ୨୮ ରନ୍‌ ମାରିଥିଲେ ହେଁ ଲାରାଙ୍କଠାରୁ ସେ କମ୍ ବାଉଣ୍ଡରୀ ମାରିଥିଲେ।

Comments are closed.