ଟେଷ୍ଟ ସିରିଜ୍‍: ଭାରତଠାରୁ ବହୁତ ଆଗରେ ଇଂଲଣ୍ଡ

0

ନୂଆଦିଲ୍ଲୀ : ଅଗଷ୍ଟ ୧ରୁ ଭ୍ରମଣକାରୀ ଭାରତ ବିପକ୍ଷରେ ଘରୋଇ ଇଂଲଣ୍ଡ ୫ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜ୍‍ ଖେଳିବ। ଉଭୟ ଦେଶଙ୍କ ମଧ୍ୟରେ କ୍ରମାଗତ ୩ୟ ସିରିଜ୍‍ରେ ୫ଟି ଟେଷ୍ଟମ୍ୟାଚ୍‍ ଖେଳାଯିବ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଏହା ୩୩ତମ ଟେଷ୍ଟ ସିରିଜ୍‍ ହେବ। ଅଦ୍ୟାବଧି ଉଭୟ ଦଳଙ୍କ ମଧ୍ୟରେ ଟେଷ୍ଟ ସିରିଜ୍‍ ଇତିହାସକୁ ଦେଖିଲେ ସ୍ପଷ୍ଟଭାବେ ଜଣାପଡ଼େ ଯେ ଭାରତ ଅପେକ୍ଷା ବହୁତ ଆଗରେ ରହିଛି ଇଂଲଣ୍ଡ। ଗତ ୩୨ଟି ଟେଷ୍ଟ ସିରିଜ୍‍ରୁ ଇଂଲଣ୍ଡ ୧୮ଟି ଜିତିଥିବା ବେଳେ ଭାରତ ୧୦ଟି ଜିତିଛି ଏବଂ ୪ଟି ସିରିଜ୍‍ ଡ୍ର ରହିଛି।
୧୯୩୨ରେ ପ୍ରଥମଥର ପାଇଁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‍ ଖେଳା ଯାଇଥିଲା। ଲର୍ଡସରେ ଖେଳା ଯାଇଥିବା ଏହି ଏକମାତ୍ର ଟେଷ୍ଟମ୍ୟାଚ୍‍ର ସିରିଜ୍‍ରେ ସି.କେ. ନାୟୁଡୁଙ୍କ ନେତୃତ୍ୱାଧୀନ ଭାରତକୁ ୧୫୮ ରନ୍‍ରେ ଡଗ୍‍ଲାସ ଜାର୍ଡିନ୍‍ଙ୍କ ଇଂଲଣ୍ଡ ଦଳ ପରାସ୍ତ କରିଥିଲା। ଏହି ସିରିଜ୍‍ ପରେ ୩୦ ବର୍ଷ ଧରି ଭାରତ ଉପରେ ଇଂଲଣ୍ଡର ଆଧିପତ୍ୟ ଦେଖିବାକୁ ମିଳିଥିଲା। ୧୯୬୧-୬୨ରେ ଭାରତରେ ଖେଳା ଯାଇଥିବା ୫ ମ୍ୟାଚ୍‍ର ଟେଷ୍ଟ ସିରିଜ୍‍କୁ ଭାରତ ୨-୦ରେ ଜିତି ନେଇଥିଲା। ନରି କଣ୍ଟ୍ରାକ୍ଟର ଭାରତର ନେତୃତ୍ୱ ନେଇଥିବା ବେଳେ ଇଂଲଣ୍ଡର ଅଧିନାୟକ ଥିଲେ ଟେଡ୍‍ ଡେକ୍ସଟର। ଭାରତମାଟିରେ ଉଭୟ ଦେଶଙ୍କ ମଧ୍ୟରେ ଅଦ୍ୟାବଧି ୧୫ଟି ଟେଷ୍ଟ ସିରିଜ୍‍ ଖେଳାଯାଇଛି। ଏଥିରୁ ଘରୋଇ ଭାରତ ୭ଟି ଜିତିଥିବା ବେଳେ ଇଂଲଣ୍ଡ ୫ଟି ସିରିଜ୍‍ ଜିତିଛି ଏବଂ ୩ଟି ସିରିଜ୍‍ ଡ୍ର ରହିଛି। ୨୦୧୨-୧୩ରେ ଶେଷଥର ପାଇଁ ଭାରତମାଟିରେ ଇଂଲଣ୍ଡ ଟେଷ୍ଟ ସିରିଜ୍‍ ଜିତିଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ଦଳକୁ ୨-୧ ମ୍ୟାଚ୍‍ରେ ଆଲଷ୍ଟାୟାର କୁକ୍‍ଙ୍କ ଦଳ ପରାସ୍ତ କରିଥିଲା। ଇଂଲଣ୍ଡ ମାଟିରେ ଖେଳା ଯାଇଥିବା ଟେଷ୍ଟ ସିରିଜ୍‍ରେ ଘରୋଇ ଦଳର ପ୍ରାଧାନ୍ୟ ଦେଖିବାକୁ ମିଳିଛି। ଅଦ୍ୟାବଧି ଇଂଲଣ୍ଡରେ ଉଭୟ ଦେଶଙ୍କ ମଧ୍ୟରେ ୧୭ଟି ଟେଷ୍ଟ ସିିରିଜ୍‍ ଖେଳାଯାଇଛି। ଏଥିରୁ ଇଂଲଣ୍ଡ ୧୩ଟି ସିରିଜ୍‍ ଜିତିଥିବା ବେଳେ ଭାରତ ମାତ୍ର ୩ଟି ଜିତିଛି ଏବଂ ଗୋଟିଏ ସିରିଜ୍‍ ଡ୍ର ରହିଛି। ୧୯୭୧ରେ ପ୍ରଥମଥର ରେ’ ଇଲିଙ୍ଗ୍‍ୱର୍ଥଙ୍କ ଇଂଲଣ୍ଡ ଦଳକୁ ଅଜିତ ୱାଦେକର ନେତୃତ୍ୱାଧୀନ ଭାରତ ୧-୦ରେ ପରାସ୍ତ କରିଥିଲା। ୨୦୦୭ରେ ଶେଷଥର ପାଇଁ ଇଂଲଣ୍ଡମାଟିରେ ଭାରତ ଟେଷ୍ଟ ସିରିଜ୍‍ ଜିତିଥିଲା। ମାଇକେଲ ଭନ୍‍ଙ୍କ ଇଂଲଣ୍ଡ ଦଳକୁ ରାହୁଲ ଦ୍ରାବିଡ଼ ନେତୃତ୍ୱାଧୀନ ଭାରତ ୧-୦ରେ ପରାସ୍ତ କରିଥିଲା।
ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‍ରେ ସର୍ବାଧିକ ଦଳଗତ ସ୍କୋର୍‍ ହେଉଛି ୭ ୱିକେଟରେ ୭୫୯ ରନ୍‍। ୨୦୧୬ରେ ଚେନ୍ନଇ ଟେଷ୍ଟରେ କରୁଣ ନାୟାରଙ୍କ ତ୍ରିଶତକ ଓ କେ.ଏଲ୍‍. ରାହୁଲଙ୍କ ୧୯୯ ରନ୍‍ ବଳରେ ଭାରତ ଏହି ସ୍କୋର୍‍ କରିଥିଲା। ଇଂଲଣ୍ଡର ସର୍ବାଧିକ ଦଳଗତ ସ୍କୋର୍‍ ହେଉଛି ୭ ୱିକେଟରେ ୭୧୦ ରନ୍‍। ୨୦୧୧ରେ ବର୍ମିଂହାମ୍‍ରେ ଆଲଷ୍ଟାୟାର କୁକ୍‍ଙ୍କ ଦ୍ୱିଶତକ ଓ ଇଓନ୍‍ ମୋର୍ଗାନ୍‍ଙ୍କ ଶତକ ବଳରେ ଇଂଲଣ୍ଡ ଏହି ସ୍କୋର୍‍ କରି ପାରିଥିଲା। ଭାରତର ସର୍ବନିମ୍ନ ଦଳଗତ ସ୍କୋର୍‍ ହେଉଛି ୪୨ ରନ୍‍। ୧୯୭୪ରେ ଲର୍ଡସରେ ଭାରତ ୪୨ ରନ୍‍ରେ ଅଲ୍‍ଆଉଟ ହୋଇଥିଲା। ଭାରତ ୯ ଥର ଶହେରୁ କମ୍‍ ସ୍କୋର୍‍ରେ ଅଲ୍‍ଆଉଟ ହୋଇଛି। ଇଂଲଣ୍ଡର ସର୍ବନିମ୍ନ ଦଳଗତ ସ୍କୋର୍‍ ହେଉଛି ୧୦୧ ରନ୍‍ (୧୯୭୧, ଓଭାଲ୍‍)। ଇଂଲଣ୍ଡର ସର୍ବବୃହତ୍‍ ବିଜୟ ବ୍ୟବଧାନ ହେଉଛି ଇନିଂସ ଓ ୨୮୫ ରନ୍‍ (ଲର୍ଡସ, ୧୯୭୪)। ଭାରତର ସର୍ବବୃହତ୍‍ ବିଜୟ ବ୍ୟବଧାନ ହେଉଛି ଇନିଂସ ଓ ୭୫ ରନ୍‍ (ଚେନ୍ନଇ, ୨୦୧୬)। ଉଭୟ ଦେଶଙ୍କ ମଧ୍ୟରେ ଟେଷ୍ଟ ସିରିଜ୍‍ରେ ସଫଳତମ ବ୍ୟାଟ୍‍ସମ୍ୟାନ୍‍ ହେଉଛନ୍ତି ଭାରତର ସଚିନ ତେନ୍ଦୁଲକର। ଏହି କିମ୍ବଦନ୍ତୀ ୩୨ଟି ଟେଷ୍ଟରୁ ୭ଟି ଶତକ ଓ ୧୩ଟି ଅର୍ଦ୍ଧଶତକ ସହ ୨୫୩୫ ରନ୍‍ ସ୍କୋର୍‍ କରିଛନ୍ତି। ଇଂଲଣ୍ଡ ପାଇଁ ଓପ୍‍ନର ଆଲଷ୍ଟାୟାର କୁକ୍‍ ୨୫ଟି ଟେଷ୍ଟରୁ ୬ଟି ଶତକ ଓ ୮ଟି ଅର୍ଦ୍ଧଶତକ ସହ ସର୍ବାଧିକ ୨୧୦୪ ରନ୍‍ କରିଛନ୍ତି। ଇଂଲଣ୍ଡ ପାଇଁ ଗ୍ରାହାମ୍‍ ଗୁଚ୍‍ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‍ ୩୩୩ ରନ୍‍ କରିଛନ୍ତି। ଭାରତ ପାଇଁ କରୁଣ ନାୟାର ସର୍ବାଧିକ ଅପରାଜିତ ୩୦୩ ରନ୍‍ କରିଛନ୍ତି। ଇଂଲଣ୍ଡ ପାଇଁ କେନ୍‍ ବାରିଂଟନ୍‍ଙ୍କ ଆଭ୍‍ରେଜ୍‍ ୭୫.୨୭ ସର୍ବାଧିକ ଥିବା ବେଳେ ଭାରତ ପାଇଁ ରାହୁଲ ଦ୍ରାବିଡ଼ ସର୍ବାଧିକ ୬୦.୯୩ ଆଭ୍‍ରେଜ୍‍ ହାସଲ କରିଛନ୍ତି। ଭାରତ ପାଇଁ ରାହୁଲ ଦ୍ରାବିଡ଼ ସର୍ବାଧିକ ୭ଟି ଶତକ ମାରିଥିବା ବେଳେ ଇଂଲଣ୍ଡର କେଭିନ୍‍ ପିଟରସନ୍‍ ୬ଟି ଶତକ ହାସଲ କରିଛନ୍ତି। ଏକ ସିରିଜ୍‍ରୁ ଇଂଲଣ୍ଡର ଗ୍ରାହାମ୍‍ ଗୁଚ୍‍ ସର୍ବାଧିକ ୭୫୨ ରନ୍‍ କରିଥିବା ବେଳେ ଭାରତର ବିରାଟ କୋହଲି ୬୫୫ ରନ୍‍ କରିଛନ୍ତି। ଭାରତ ପାଇଁ ଭଗୱତ ଚନ୍ଦ୍ରଶେଖର ସର୍ବାଧିକ ୯୫ଟି ୱିକେଟ ନେଇଥିବା ବେଳେ ଇଂଲଣ୍ଡର ଜେମ୍‍ସ ଆଣ୍ଡରସନ୍‍ ୮୬ଟି ୱିକେଟ ନେଇଛନ୍ତି। ଇଂଲଣ୍ଡର ଫ୍ରେଡ୍‍ ଟ୍ରୁମ୍ୟାନ୍‍ ଏକ ଇନିଂସରେ ୮ଟି ୱିକେଟ ନେଇଥିବା ବେଳେ ଭାରତର ବିନୁ ମଙ୍କଡ଼ ଓ ଭଗୱତ ଚନ୍ଦ୍ରଶେଖର ମଧ୍ୟ ୮ଟି ଲେଖାଏଁ ୱିକେଟ ନେଇଛନ୍ତି। ଏକ ଟେଷ୍ଟମ୍ୟାଚ୍‍ରେ ଇଂଲଣ୍ଡର ଇଆନ୍‍ ବୋଥାମ୍‍ ଏବଂ ଭାରତର ବିନୁ ମଙ୍କଡ଼, ଆର୍‍. ଅଶ୍ୱିନ ଓ ଏଲ୍‍. ଶିବରାମ କୃଷ୍ଣନ୍‍ ସର୍ବାଧିକ ୧୨ଟି ଲେଖାଏଁ ୱିକେଟ ନେଇଛନ୍ତି। ଏକ ସିରିଜ୍‍ରେ ଭାରତର ଭଗୱତ ଚନ୍ଦ୍ରଶେଖର ସର୍ବାଧିକ ୩୫ଟି ୱିକେଟ ନେଇଥିବା ବେଳେ ଇଂଲଣ୍ଡର ଫ୍ରେଡ୍‍ ଟ୍ରୁମ୍ୟାନ୍‍ ୨୯ଟି ୱିକେଟ ନେଇଛନ୍ତି।

Leave A Reply