ଜୁନ୍‌ ୧୮ରୁ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ମ୍ୟାଚ୍‌

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଆନୁକୂଲ୍ୟରେ ଆୟୋଜିତ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର ପ୍ରଥମ ସଂସ୍କରଣର ଫାଇନାଲ ମ୍ୟାଚ୍ ଆସନ୍ତା ଜୁନ୍‌ ୧୮ରୁ ୨୨ ପର୍ଯ୍ୟନ୍ତ ଖେଳାଯିବ। ଜୁନ୍‌ ୨୩କୁ ରିଜର୍ଭ ଦିନ ଭାବେ ରଖାଯାଇଥିବା ଆଇସିସି ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି।

ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ମ୍ୟାଚ୍‌ ଜୁନ୍ ୧୦ରୁ ୧୪ ପର୍ଯ୍ୟନ୍ତ ଲର୍ଡସ୍‌ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବାର ଥିଲା। ତେବେ ଏହାର କିଛିଦିନ ପୂର୍ବରୁ ଆଇପିଏଲ୍ ୨୦୨୧ ସଂସ୍କରଣର ଫାଇନାଲ ମ୍ୟାଚ୍‌ ଖେଳାଯିବାର ସମ୍ଭାବନା ଅଛି। ତେଣୁ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲକୁ ଜୁନ୍‌ ୧୮କୁ ଘୁଞ୍ଚାଇ ଦିଆଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲରେ ଭାଗ ନେବାକୁ ଥିବା ଦଳର ଖେଳାଳିଙ୍କୁ କିଛିଦିନ ସଙ୍ଗରୋଧରେ ରହିବାର ସମ୍ଭାବନା ଥିବାରୁ ତାରିଖ ପରିବର୍ତ୍ତନ ପଛରେ ଏହା ଅନ୍ୟତମ କାରଣ ବୋଲି ଆଲୋଚନା ହେଉଛି। ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲରେ ଭାରତୀୟ ଦଳ ଖେଳିବା ଏକପ୍ରକାର ନିଶ୍ଚିତ। ବର୍ତ୍ତମାନ ସୁଦ୍ଧା ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର ପଏଣ୍ଟ ଟେବୁଲରେ ଭାରତୀୟ ଦଳ ୪୩୦ ପଏଣ୍ଟ ସହ ଶୀର୍ଷରେ ରହିଛି। ଭାରତୀୟ ଦଳ ୫ଟି ଟେଷ୍ଟ ସିରିଜ୍‌ ଖେଳି ସାରିଛି। ଦ୍ବିତୀୟ ସ୍ଥାନରେ ନ୍ୟୁଜିଲାଣ୍ଡ ୪୨୦ ପଏଣ୍ଟ ସହ ରହିଛି। ନ୍ୟୁଜିଲାଣ୍ଡ ଦଳ ମଧ୍ୟ ୫ଟି ଟେଷ୍ଟ ସିରିଜ୍‌ ଖେଳିଛି। ଅଷ୍ଟ୍ରେଲିଆ ୩ୟ ସ୍ଥାନରେ ରହିଛି। ଭାରତୀୟ ଦଳ ଆଗାମୀ ଦିନରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳିବ। ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ରେ ଏହା ଭାରତର ଶେଷ ସିରିଜ୍‌ ହେବ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆ ଟେଷ୍ଟ ସିରଜ୍‌ ଖେଳିବ। ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ଖେଳିବାକୁ ହେଲେ ଅଷ୍ଟ୍ରେଲିଆକୁ ଏହି ସିରିଜ୍‌ ଜିତିବାକୁ ପଡ଼ିବ।

Comments are closed.