ୱକ୍‍ସଙ୍କ ଶତକ; ଦୃଢ଼ ସ୍ଥିତିରେ ଇଂଲଣ୍ଡ

0

ଲର୍ଡସ : ଚଳିତ ୨ୟ ଟେଷ୍ଟମ୍ୟାଚ୍‍କୁ ନିଜ ନିୟନ୍ତ୍ରଣକୁ ନେଇପାରିଛି ଘରୋଇ ଇଂଲଣ୍ଡ। କ୍ରିସ୍‍ ୱକ୍‍ସ ଓ ଜନି ବେୟାରଷ୍ଟୋଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଇଂଲଣ୍ଡ ମଜ୍‍ଭୁତ ସ୍ଥିତିରେ ପହଞ୍ଚି ପାରିଛି। ଇଂଲଣ୍ଡର ୪ ଜଣିଆ ପେସ୍‍ ବାହିନୀ ବର୍ଷା ପାଗର ଫାଇଦା ଉଠାଇ ପ୍ରଥମ ଇନିଂସରେ ଭାରତୀୟ ବ୍ୟାଟିଂକୁ ଧ୍ୱସ୍ତ କରିଥିଲେ। ଶୁକ୍ରବାର ୨ୟ ଦିନରେ ଭାରତ ପ୍ରଥମ ଇନିଂସରେ ୧୦୭ ରନ୍‍କରି ଅଲ୍‍ଆଉଟ ହୋଇଥିଲା। ତେବେ ଶନିବାର ୩ୟ ଦିନ ଆରମ୍ଭରୁ ଟାଣ ଖରା ହୋଇଥିଲା ଏବଂ ଇଂଲଣ୍ଡ ଇନିଂସ ଆରମ୍ଭରୁ ବାତାବରଣ ବ୍ୟାଟିଂ ଉପଯୋଗୀ ରହିଥିଲା। ଏହାର ଫାଇଦା ଘରୋଇ ବ୍ୟାଟ୍‍ସମ୍ୟାନ୍‍ଙ୍କୁ ମିଳିଥିଲା। ଭାରତୀୟ ପେସ୍‍ ବୋଲର ମହମ୍ମଦ ସାମି ୩ଟି ୱିକେଟ ନେଇଥିଲେ ହେଁ ଜନି ବେୟାରଷ୍ଟୋ ଓ କ୍ରିସ୍‍ ୱକ୍‍ସଙ୍କ ଲଢ଼ୁଆ ଭାଗିଦାରୀ ଯୋଗୁଁ ଇଂଲଣ୍ଡ ପ୍ରଥମ ଇନିଂସରେ ବଡ଼ ଲିଡ୍‍ ନେଇପାରିଛି। ୱକ୍‍ସ ଶତକ ହାସଲ କରିଥିବା ବେଳେ ବେୟାରଷ୍ଟୋ ମାତ୍ର ୭ ରନ୍‍ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି। ୩ୟ ଦିନର ଖେଳ ସମାପ୍ତି ବେଳକୁ ଘରୋଇ ଇଂଲଣ୍ଡ ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୩୫୭ ରନ୍‍ କରିପାରିଛି। ହାତରେ ଆଉ ୪ଟି ୱିକେଟ ବାକିଥିବା ବେଳେ ଇଂଲଣ୍ଡ ୨୫୦ ରନ୍‍ରେ ଆଗୁଆ ରହିଛି। ଏପରି ସ୍ଥିତିରୁ ମ୍ୟାଚ୍‍କୁ ଫେରିବା ଲାଗି ଭାରତକୁ କିଛି ଚମତ୍କାର କରିବାକୁ ପଡ଼ିବ।
ଶନିବାର ସକାଳୁ ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭକରି ଓପ୍‍ନିଂ ଯୋଡ଼ିରେ ୨୮ ରନ୍‍ କରିବା ପରେ ବାମହାତି କିଟନ୍‍ ଜେନିଙ୍ଗ୍‍ସ ୧୧ ରନ୍‍କରି ମହମ୍ମଦ ସାମିଙ୍କ ବଲ୍‍ରେ ଏଲ୍‍ବିଡବ୍ଲ୍ୟୁ ହୋଇଥିଲେ। ପରେପରେ ଭାରତକୁ ବଡ଼ ସଫଳତା ଦେଇଥିଲେ ଈଶାନ୍ତ ଶର୍ମା। ଇଂଲଣ୍ଡର ସଫଳତମ ବ୍ୟାଟ୍‍ସମ୍ୟାନ ଆଲଷ୍ଟାୟାର କୁକ୍‍ (୨୧) ଚମତ୍କାର ଆଉଟ୍ ସ୍ବିଙ୍ଗରରେ କଟ୍‍ ବିହାଇଣ୍ଡ ହୋଇଥିଲେ। ୩୨ ରନ୍‍ରେ ୨ଟି ୱିକେଟ ପଡ଼ିଯିବା ପରେ ଅଧିନାୟକ ଜୋ ରୁଟ୍‍ ଓ ଜୀବନର ପ୍ରଥମ ଟେଷ୍ଟମ୍ୟାଚ୍‍ ଖେଳୁଥିବା ଓଲି ପୋପ୍‍ ଲଢ଼ୁଆ ବ୍ୟାଟିଂକରି ସ୍କୋର୍‍କୁ ୭୭ ରନ୍‍ରେ ପହଞ୍ଚାଇଥିଲେ। ୩୮ ବଲ୍‍ରୁ ୩ଟି ଚୌକା ସହ ୨୮ ରନ୍‍ କରିଥିବା ପୋପ୍‍ କ୍ରିଜ୍‍ରେ ଜମିଆସିବା ଭଳି ନଜର ଆସୁଥିବା ବେଳେ ହାର୍ଦିକ ପାଣ୍ଡ୍ୟାଙ୍କ ଇନ୍‍ସ୍ୱିଙ୍ଗର ପୋପ୍‍ଙ୍କ ଡିଫେନ୍‍ସ ଭେଦ କରିଥିଲା। ମଧ୍ୟାନ୍ତରର ଠିକ୍‍ ପୂର୍ବରୁ ଜୋ ରୁଟ୍‍ଙ୍କ ମୂଲ୍ୟବାନ ୱିକେଟ ହାସଲ କରିଥିଲେ ମହମ୍ମଦ ସାମି। ରୁଟ୍‍ ୫୩ ବଲ୍‍ ଖେଳି ୨ଟି ଚୌକା ସହ ୧୯ ରନ୍‍ କରିଥିଲେ। ୫ମ ୱିକେଟ ପାଇଁ ଜନି ବେୟାରଷ୍ଟୋ ଓ ଜୋସ୍‍ ବଟ୍‍ଲର ୪୨ ରନ୍‍ ଯୋଡ଼ିଥିଲେ। ମହମ୍ମଦ ସାମିଙ୍କ ପୁଣି ଏକ ଇନ୍‍ସ୍ୱିଙ୍ଗର ଭାରତକୁ ୫ମ ୱିକେଟ ଦେଇଥିଲା। ବଟ୍‍ଲର ୨୨ ବଲ୍‍ରୁ ୪ଟି ଚୌକା ସହ ୨୪ ରନ୍‍କରି ଆଉଟ ହୋଇଥିଲେ। ୧୩୧ ରନ୍‍ରେ ୫ଟି ୱିକେଟ ପଡ଼ିଯିବା ପରେ ଜନି ବେୟାରଷ୍ଟୋ ଓ କ୍ରିସ୍‍ ୱକ୍‍ସ ଦର୍ଶନୀୟ ଷ୍ଟ୍ରୋକ୍‍ସବୁ ଖେଳି ଇଂଲଣ୍ଡର ସ୍କୋର୍‍କୁ ଆଗେଇ ନେଇଥିଲେ। ଦୁହେଁ ୬ଷ୍ଠ ୱିକେଟ ପାଇଁ ମାରାଥନ୍‍ ଭାଗିଦାରୀ କରି ୧୮୯ ରନ୍‍ ଯୋଡ଼ିଥିଲେ; ଯାହା ମ୍ୟାଚ୍‍ର ମଙ୍ଗ ଇଂଲଣ୍ଡ ଆଡ଼କୁ ମୋଡ଼ିପାରିଛି। ଜନି ବେୟାରଷ୍ଟୋ ୧୨ଟି ଚୌକା ସହ ୯୩ ରନ୍‍କରି ହାର୍ଦିକ ପାଣ୍ଡ୍ୟାଙ୍କ ୨ୟ ଶିକାର ହୋଇଥିଲେ। ୱକ୍‍ସ ଜୀବନର ପ୍ରଥମ ଟେଷ୍ଟ ଶତକ ହାସଲକରି ୧୮ଟି ଚୌକା ସହ ୧୨୦ ରନ୍‍କରି ଅପରାଜିତ ରହିଛନ୍ତି। ପ୍ରଥମ ଟେଷ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ସାମ୍‍ କରନ୍‍ ମଧ୍ୟ ଚମତ୍କାର ବ୍ୟାଟିଂ କରୁଛନ୍ତି। ୱକ୍‍ସ ଓ କରନ୍‍ ଅବିଭାଜିତ ୭ମ ୱିକେଟ ପାଇଁ ୩୭ ରନ୍‍ ଯୋଡ଼ିଛନ୍ତି। କରନ୍‍ ୪ଟି ଚୌକା ସହ ୨୨ ରନ୍‍କରି ଅପରାଜିତ ଅଛନ୍ତି। ମହମ୍ମଦ ସାମି ୩ଟି ଓ ହାର୍ଦିକ ପାଣ୍ଡ୍ୟା ୨ଟି ୱିକେଟ ନେଇଛନ୍ତି।

Leave A Reply