ଟେଷ୍ଟ ସିରିଜ୍‍: ଭାରତୀୟ ବୋଲିଂ ଉପରେ ସମସ୍ତଙ୍କ ନଜର

0

ଲଣ୍ଡନ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜ୍‍ରେ ଭାରତୀୟ ଦଳ କେଉଁ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ତାହାକୁ ନେଇ ଚର୍ଚ୍ଚା ଜୋର୍‍ ଧରିଛି। ଦଳ ଇଂଲଣ୍ଡ ମାଟିରେ ୫ଜଣ ବୋଲରଙ୍କୁ ନେଇ ଟେଷ୍ଟ ମ୍ୟାଚ୍‍କୁ ଓହ୍ଲାଇବା ଏକପ୍ରକାର ନିଶ୍ଚିତ ଥିବା ବେଳେ କେତେ ସଂଖ୍ୟକ ଦ୍ରୁତ ବୋଲର ଓ ସ୍ପିନରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳୁଛି ତାହା ଦେଖିବା କଥା।
ବର୍ତ୍ତମାନ ଇଂଲଣ୍ଡରେ ଗରମ ଅନୁଭୂତ ହେଉଥିବାରୁ ପିଚ୍‍ ଶୁଖିଲା ପଡ଼ିଛି। ତେଣୁ ଏଥିରେ ବଲ୍‍ କମ୍‍ ସୁଇଙ୍ଗ ହେବ। ଦ୍ରୁତ ବୋଲରମାନେ କମ୍‍ ସଫଳତା ହାସଲ କରିବେ ଏବଂ ସ୍ପିନରମାନେ ଅଧିକ ସଫଳ ହେବେ ବୋଲି ଆଲୋଚନା ହେଉଛି। ଏଭଳି ପରିସ୍ଥିତିରେ ଭାରତୀୟ ଦଳ ତରଫରୁ ଦ୍ରୁତ ବୋଲର କିମ୍ବା ସ୍ପିନର କାହାକୁ ଅଧିକ ସଂଖ୍ୟାରେ ସାମିଲ କରାଯିବ ତାହାକୁ ନେଇ ସାମାଜିକ ଗଣମାଧ୍ୟମରେ ବହୁପ୍ରକାର ମତ ଦିଆଯାଉଛି। ତେବେ ଏସବୁ ମତକୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଆଦୌ ଗୁରୁତ୍ୱ ପ୍ରଦାନ କରୁନାହାନ୍ତି। କୋହଲି ଏପର୍ୟ୍ୟନ୍ତ ୩୫ଟି ଟେଷ୍ଟ ମ୍ୟାଚ୍‍ରେ ଭାରତୀୟ ଦଳର ନେତୃତ୍ୱ ନେଇ ସାରିଥିବା ବେଳେ ସେଥିମଧ୍ୟରୁ ୨୧ଟିରେ ଦଳକୁ ବିଜୟୀ କରାଇଛନ୍ତି। ସେଥିମଧ୍ୟରୁ ବିଦେଶ ମାଟିରେ ଭାରତ ୮ଟି ଟେଷ୍ଟ ଜିିତିଛି। ତେଣୁ ବିଦେଶ ମାଟିରେ ଦଳର ଶକ୍ତି ଓ ଦୁର୍ବଳତା ସଂପର୍କରେ କୋହଲି ବେଶ୍‍ ଭଲ ଭାବେ ଅବଗତ।
ଭାରତୀୟ ଟେଷ୍ଟ ଦଳରେ ଈଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସାମିଙ୍କ ପରି ଦ୍ରୁତ ବୋଲର ଅଛନ୍ତି। ସେହିପରି ସ୍ପିନର ଭାବେ ରବିଚନ୍ଦ୍ରନ୍‍ ଅଶ୍ୱିନ୍‍, ରବୀନ୍ଦ୍ର ଜାଡେଜା ଓ କୁଲଦୀପ୍‍ ଯାଦବ ରହିଛନ୍ତି। ଟେଷ୍ଟରେ ଅଶ୍ୱିନ୍‍ ଓ ଜାଡେଜା ଭାରତର ପ୍ରମୁଖ ସ୍ପିନର ରହି ଆସିଥିବା ବେଳେ କୁଲଦୀପ୍‍ଙ୍କୁ ଦିନିକିଆ ଓ ଟ୍ୱେଣ୍ଟି୨୦ରେ ଇଂଲଣ୍ଡ ବ୍ୟାଟସମ୍ୟାନ୍‍ମାନେ ମୁକାବିଲା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯଦି ଇଂଲଣ୍ଡ ପିଚ୍‍ରେ ବଲ୍‍ ସ୍ପିନ କରେ, ତେବେ ଅଶ୍ୱିନ୍‍ ଓ ଜାଡେଜାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିବାକୁ କୋହଲି ଆଦୌ ପଛଘୁଞ୍ଚା ଦେବେ ନାହିଁ। ସ୍ପିନରଙ୍କୁ ସୁହାଇବା ଭଳି ପିଚ୍‍ ମିଳିଲେ କୁଲଦୀପ୍‍ଙ୍କୁ ମଧ୍ୟ ସୁଯୋଗ ମିଳିପାରେ ବୋଲି କୁହାଯାଉଛି। ୨୦୧୪ ଇଂଲଣ୍ଡ ଗସ୍ତ ପରେ ଭାରତୀୟ ଦଳ ଘରୋଇ ମାଟିରେ ଖେଳିଥିବା ଟେଷ୍ଟ ମ୍ୟାଚ୍‍ରେ ୩ଜଣ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥାଏ। ୨୦୧୬ରେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସିଥିବା ବେଳେ ଭାରତ ୫ଟି ଯାକ ଟେଷ୍ଟ ମ୍ୟାଚ୍‍ରେ ୩ଜଣ ସ୍ପିନରଙ୍କୁ ଖେଳାଇ ୪-୦ରେ ସିରିଜ୍‍ ଜିତିଥିଲା। ଇଂଲଣ୍ଡ ଦଳର ବ୍ୟାଟସମ୍ୟାନ୍‍ ସ୍ପିନରଙ୍କୁ ଖେଳିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦୃଷ୍ଟିରୁ ଆଗାମୀ ଟେଷ୍ଟ ସିରିଜ୍‍ରେ ଭାରତୀୟ ଦଳ ୩ଜଣ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଲେ ଆଶ୍ଚର୍ୟ୍ୟ ହେବାର କିଛି ନାହିଁ।
ବୋଲିଂ ବିଭାଗ ବ୍ୟତୀତ ଟେଷ୍ଟ ସିରିଜ୍‍ରେ ଦଳର ଭାରସାମ୍ୟ ବଜାୟ ରଖିବାକୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ନିମନ୍ତେ ଏକ ଆହ୍ୱାନ। ୱିକେଟରକ୍ଷକ ବ୍ୟାଟସମ୍ୟାନ୍‍ଙ୍କୁ ଛାଡିଦେଲେ ଦଳ ୫ କିମ୍ବା ୬ଜଣ ବ୍ୟାଟସମ୍ୟାନ୍‍ଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ତାହାକୁ ନେଇ ନିଶ୍ଚିତ ଭାବେ ଜୋରଦାର ଆଲୋଚନା ଚାଲିଥିବ। ଯଦି ଦଳ ୫ଜଣ ବ୍ୟାଟସମ୍ୟାନ୍‍ଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରେ ତେବେ ୫ଜଣ ବୋଲର ଖେଳିବାର ସୁଯୋଗ ପାଇବେ। ଏପରି ସ୍ଥଳରେ ପିଚ୍‍ ଓ ପରିସ୍ଥିତିକୁ ଦେଖି ସ୍ପିନ ଓ ଦ୍ରୁତ ବୋଲରଙ୍କ ସଂଖ୍ୟା ନିରୂପଣ କରାଯିବ। କୋହଲି ୩୫ଟି ଟେଷ୍ଟରେ ଭାରତୀୟ ଦଳର ନେତୃତ୍ୱ ନେଇଥିôବା ବେଳେ ସେଥିମଧ୍ୟରୁ ୨୩ଟି ମ୍ୟାଚ୍‍ରେ ୫ଜଣ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଛନ୍ତି। ବିଶେଷ କରି ବିଦେଶ ମାଟିରେ ୫ଜଣ ସ୍ପେଶାଲିଷ୍ଟ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବା କୋହଲିଙ୍କ ପସନ୍ଦ। ଯଦି କୋହଲି ୨ଜଣ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାନ୍ତି ତେବେ କୁଲଦୀପ୍‍ଙ୍କୁ ସୁଯୋଗ ମିଳିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର। ଅନ୍ୟପକ୍ଷରେ ଅଶ୍ୱିନ୍‍ ଓ ଜାଡେଜା ଟେଷ୍ଟରେ ଭାରତୀୟ ଦଳର ପ୍ରଥମ ପସନ୍ଦ ସ୍ପିନର ଏଥିସହ ସେମାନେ ଆବଶ୍ୟକ ସ୍ଥଳେ ବ୍ୟାଟିଂ କରି ଦଳ ନିମନ୍ତେ ରନ୍‍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିବାରୁ ସେମାନେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ଅଧିକ। ସେହିପରି ଦଳର ମଧ୍ୟଭାଗ ବ୍ୟାଟିଂକୁ ନେଇ କୋହଲି କିଛିଟା ଚିନ୍ତିତ ଥିବାରୁ ୱିକେଟ୍‍ ରକ୍ଷକଙ୍କୁ ବାଦ୍‍ ଦେଇ ୬ଜଣ ବ୍ୟାଟସମ୍ୟାନ୍‍ଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଏପରି ପରିସ୍ଥିତିରେ ଚୂଡ଼ାନ୍ତ ଏକାଦଶରେ ୪ଜଣ ବୋଲରଙ୍କୁ ସୁଯୋଗ ମିଳିପାରେ।

Leave A Reply