ବକ୍ସିଂ ଡେ ଟେଷ୍ଟ; ୨୫ ହଜାର ଦର୍ଶକଙ୍କୁ ପ୍ରତ୍ୟହ ମ୍ୟାଚ ଦେଖିବାର ସୁଯୋଗ

ମେଲ୍‌ବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଦ୍ବିତୀୟ ତଥା ବକ୍ସି ଡେ ଟେଷ୍ଟ ଡିସେମ୍ବର ୨୬ରୁ ୩୦ ପର୍ୟ୍ୟନ୍ତ ମେଲ୍‌ବୋର୍ଣ୍ଣରେ ଖେଳାଯିବ। ଉକ୍ତ ମ୍ୟାଚ ଲାଗି ପ୍ରତିିଦିନ ଷ୍ଟାଡ଼ିୟମକୁ ୨୫ ହଜାର ଦର୍ଶକ ମ୍ୟାଚ ଦେଖିବାର ସୁଯୋଗ ପାଇବେ। ଏଥିନେଇ ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। କରୋନା ମହାମାରୀ ପାଇଁ ଫାଙ୍କା ଷ୍ଟାଡ଼ିୟମରେ ମ୍ୟାଚ ଖେଳାଯାଉଥିବାବେଳେ ଭାରତ-ଅଷ୍ଟ୍ରେଲିଆ ବକ୍ସିଂ ଡେ ଟେଷ୍ଟରେ ଦର୍ଶକ ପ୍ରବେଶ ନେଇ ଅଷ୍ଟ୍ରେଲିଆ ସରକାରଙ୍କ ସବୁଜ ସଙ୍କେତ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର ଆଣିଛି।

ମେଲବୋର୍ଣ୍ଣ ହେଉଛି ଅଷ୍ଟ୍ରେଲିଆର ୨ୟ ଜନସଂଖ୍ୟା ବହୁଳ ସହର; ଯେଉଁଠାରେ ବୁଧବାରଠାରୁ ଲକ୍‌ଡାଉନ୍‌ ହଟାଯାଇଛି। ତେଣୁ ଭାରତ-ଅଷ୍ଟ୍ରେଲିଆ ସିରିଜ୍‌ର ୨ୟ ତଥା ବକ୍ସିଂ ଡେ ଟେଷ୍ଟରେ ଷ୍ଟାଡ଼ିୟମକୁ ଦର୍ଶକ ଆସିବେ। ଏ ନେଇ ଭିକ୍ଟୋରିଆ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ମାର୍ଟିନ ପାକୁଲା କହିଛନ୍ତି, କ୍ରିକେଟ ଅଷ୍ଟ୍ରେଲିଆ ଓ ଅଷ୍ଟ୍ରେଲିଆ ସରକାର ୧ ଲକ୍ଷ କ୍ଷମତା ବିଶିଷ୍ଟ ଏମ୍‌ସିଜିରେ ଏକ ଚତୁର୍ଥାଂଶ ଦର୍ଶକଙ୍କୁ ମ୍ୟାଚ ଦେଖିବାର ସୁଯୋଗ ଦେବା ନେଇ ଯୋଜନା କରୁଛନ୍ତି। ଅର୍ଥାତ ଏମ୍‌ସିଜିରେ ସାମାଜିକ ଦୂରତା ରକ୍ଷା କରି ୨୫ ହଜାର ଦର୍ଶକ ମ୍ୟାଚ ଦେଖିବେ। କ୍ରୀଡ଼ାମନ୍ତ୍ରୀ ପାକୁଲା ଆହୁରି କହିଛନ୍ତି ଯେ, ବକ୍ସିଂ ଡେ ଟେଷ୍ଟକୁ ଆଉ ଦେଢ ମାସ ବାକିଅଛି। ତେଣୁ ସେତବେଳର ସ୍ଥିତିକୁ ଅନୁଧ୍ୟାନ କରିବା ପରେ ହିଁ ସବୁ କିଛି ସ୍ପଷ୍ଟ ହୋଇଯିବ।

ଯଦି ଷ୍ଟାଡ଼ିୟମକୁ ଦର୍ଶକ ପ୍ରବେଶ ନେଇ ଅନୁମତି ମିଳେ; ତାହାଲେ ପ୍ରତିଦିନ ୨୫ ହଜାର ଦର୍ଶକଙ୍କୁ ପ୍ରବେଶ ନେଇ ଅନୁମତି ମିଳିବ ବୋଲି ପାକୁଲା କହିଛନ୍ତି। ମେଲବୋର୍ଣ୍ଣରୁ ଲକ୍‌ଡାଉନ୍‌ ଉଠିବା ପରେ ଏକ ସପ୍ତାହ ପରେ ଏଠାରେ ମେଲବୋର୍ଣ୍ଣ କପ୍‌ କାର୍ଣ୍ଣିଭାଲ ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି।

Comments are closed.