କାଶ୍ମୀରରେ ୨ ଟ୍ରକ ଡ୍ରାଇଭରଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀ ହିଂସାକାଣ୍ଡ ଘଟାଇଛନ୍ତି। ଗୁରୁବାର ଆତଙ୍କବାଦୀମାନେ ୨ ଜଣ ଟ୍ରକ ଡ୍ରାଇଭରଙ୍କୁ ହତ୍ୟା କରିଛନ୍ତି। ହତ୍ୟାର ଶିକାର ଡ୍ରାଇଭର ଦ୍ବୟ ଅଣକାଶ୍ମିରୀ ହୋଇଥିବାବେଳେ ସେମାନେ ସେଓ ବୋଝେଇ ଟ୍ରକ ନେଇ ଯାଉଥିଲେ। ସନ୍ଧ୍ୟାରେ ସୋପିଆନର ଚିତ୍ତରଗାମ ନିକଟରେ ଆତଙ୍କବାଦୀମାନେ ୩ଟି ଟ୍ରକ ଅଟକାଇଥିଲେ। ସେଗୁଡ଼ିକର ପଞ୍ଜୀକରଣ ନମ୍ବର ଦେଖିଥିଲେ। ଟ୍ରକଗୁଡ଼ିକ ପଞ୍ଜାବ, ରାଜସ୍ଥାନ ଏବଂ ହରିୟାଣାର ବୋଲି ଜାଣିବା ପରେ ଡ୍ରାଇଭରମାନଙ୍କୁ ଗୁଳି କରିଥିଲେ। ପରେ ୨ଟି ଟ୍ରକକୁ ଜାଳି ଦେଇଥିଲେ। ଖବର ପାଇ ସୁରକ୍ଷା କର୍ମୀମାନେ ପହଞ୍ଚିଥିଲେ ବୋଲି ଡିଜିପି ଦିଲବାଗ ସିଂହ କହିଛନ୍ତି। ସିଂହ କହିଛନ୍ତି, ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ଟ୍ରକ ଡ୍ରାଇଭରମାନେ ସୁରକ୍ଷା କର୍ମୀଙ୍କୁ ନ ଜଣାଇ ଆଭ୍ୟନ୍ତରୀଣ ଅଞ୍ଚଳକୁ ପ୍ରବେଶ କରିଥିଲେ। ୨ ଡ୍ରାଇଭରଙ୍କ ମୃତଦେହ ଜବତ କରାଯାଇଛି। ଅନ୍ୟ ଜଣେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଶ୍ରୀନଗରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.