ଆତଙ୍କବାଦୀ ସଲାଉଦ୍ଦିନ ପାକ୍‌ ଆଇଏସ୍‌ଆଇ ଅଧିକାରୀ

ନୂଆଦିଲ୍ଲୀ : ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଇଣ୍ଟର ସର୍ଭିସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ)ର ଆତଙ୍କବାଦୀ ସଂଗଠନ ସହିତ ସମ୍ପୃକ୍ତିର ଆଉ ଏକ ପ୍ରମାଣ ଭାରତର ସୁରକ୍ଷା ଏଜେନ୍ସିକୁ ମିଳିଛି। ଭାରତର ସୁରକ୍ଷା ଏଜେନ୍ସିକୁ ମିଳିଥିବା ନୂଆ ତଥ୍ୟ ଅନୁଯାୟୀ ପାକିସ୍ତାନର ସରକାରୀ କାଗଜପତ୍ରରେ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାଉଦ୍ଦିନ ଆଇଏସଆଇର ଜଣେ ଅଧିକାରୀ। କେବଳ ଅଧିକାରୀ ନୁହେଁ ବରଂ ଆଇଏସଆଇର ଜଣେ ସଚ୍ଚୋଟ କର୍ମଚାରୀ।

ପାକିସ୍ତାନର ଆତଙ୍କବାଦ ଦମନ କାର୍ଯ୍ୟ ଉପରେ ଫାଇନ୍ସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫଏଟିଏଫ) ଆସନ୍ତା ଅକ୍ଟୋବରରେ ସମୀକ୍ଷା କରାଯିବାକୁ ଥିବାବେଳେ ଏହାକୁ ବିବାଦୀୟ କରିବାକୁ ପାକିସ୍ତାନ ଏପରି କରିଛି। ଭାରତ ବିରୋଧରେ ଅନେକ ଆତଙ୍କବାଦୀ କାର୍ଯ୍ୟ ପଛରେ ହିଜବୁଲ ମୁଜାହିଦ୍ଦିନ ସମ୍ପୃକ୍ତିର ପ୍ରମାଣ ରହିଛି। ସଲାଉଦ୍ଦିନ ପାକିସ୍ତାନ ସେନା ଦ୍ବାରା ପ୍ରସ୍ତୁତ ୟୁନାଇଟେଡ ଜିହାଜ କାଉନସିଲ (ୟୁଜେସି)ର ମୁଖ୍ୟ ରହିଛି। ୟୁଜେସି ଭାରତ ବିରୋଧୀ ଆତଙ୍କବାଦୀ ସଂଗଠନକୁ ନିୟନ୍ତ୍ରଣ ଓ ପରିଚାଳନା କରିଥାଏ। ସଲାଉଦ୍ଦିନକୁ ଆଇଏସଆଇର ଅଧିକାରୀ ଦର୍ଶାଇବା ପଛର କାରଣ ହେଉଛି ତାକୁ କୌଣସି ସୁରକ୍ଷା ଏଜେନ୍ସି ଅଯଥା ଅଟକାଇ ପାରିବେ ନାହିଁ।

ସଲାଉଦ୍ଦିନ ବାରମ୍ବାର କହିଛି ଯେ କାଶ୍ମୀରର ଶାନ୍ତିପୂର୍ଣ୍ଣ ସମାଧାନକୁ ସମ୍ଭବ ହେବାକୁ ଦିଆଯିବ। ଭାରତର ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)ର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ସଲାଉଦ୍ଦିନ ରହିଛି। ଏହା ସହିତ ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ସଲାଉଦ୍ଦିନକୁ ବିଶ୍ବ ଆତଙ୍କବାଦୀ ଭାବେ ତାଲିକାଭୁକ୍ତ କରିଛି। ଏଫଏଟିଏଫ ହେଉଛି ଏକ ଆନ୍ତର୍ଜାତିକ ନିରୀକ୍ଷଣକାରୀ ସଂସ୍ଥା ଯାହା ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣକୁ ନିୟନ୍ତ୍ରଣ କରିଥାଏ। ଏଫଏଟିଏଫର ଅନୁମୋଦନ ଭିତ୍ତିରେ ବିଭିନ୍ନ ଦେଶକୁ ଆତଙ୍କବାଦ ଦମନ ନିମନ୍ତେ ଆନ୍ତର୍ଜାତିକ ସମୁଦାୟ କୋଟି କୋଟି ଡଲାର ସହାୟତା ଦେଇଥାଏ।

Comments are closed.