୧୮ ଲସ୍କର ଆତଙ୍କବାଦୀଙ୍କ ଅନୁପ୍ରବେଶ, ବଡ଼ଧରଣର ଆକ୍ରମଣ ଯୋଜନା

0

ଶ୍ରୀନଗର : ପାକ୍‍ ଅଧିକୃତ କାଶ୍ମୀର (ପିଓକେ) ରାସ୍ତା ଦେଇ ୧୮ ଜଣ ଲସ୍କର-ଇ-ତୋଇବା ଆତଙ୍କବାଦୀ ଜାମ୍ମୁ କାଶ୍ମୀର ମଧ୍ୟକୁ ପ୍ରବେଶ କରିଛନ୍ତି। ସେମାନେ ଅମରନାଥ ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି ବୋଲି ଗୁଇନ୍ଦା ସଂସ୍ଥା ସତର୍କ ସୂଚନା ଜାରି କରିଛି। ଗୁଇନ୍ଦା ସଂସ୍ଥା ସୂଚନା ଦେଇଛନ୍ତି ଯେ କଙ୍ଗନ ନାମକ ସ୍ଥାନରେ ଆତଙ୍କବାଦୀମାନେ ଏକ ବଡ଼ଧରଣ ଆକ୍ରମଣକୁ ରୂପରେଖ ଦେବା ପାଇଁ ଯୋଜନା କରୁଛନ୍ତି। ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବଳ ପକ୍ଷରୁ ଜାମ୍ମୁ କାଶ୍ମୀରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ଓ ତଲାସୀ ଅଭିଯାନ ଆରମ୍ଭ କରାଯାଇଛି। ଅମରନାଥ ଯାତ୍ରା ପାଉଁ ଉଦ୍ଦିଷ୍ଟ ରାଜପଥରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଅମରନାଥ ଯାତ୍ରୀଙ୍କ ଜଙ୍ଗଲ ମଧ୍ୟରେ ଯାତ୍ରାବେଳେ ସୁରକ୍ଷା କର୍ମୀଙ୍କ ଏକ ପ୍ରାଚୀର ସୃଷ୍ଟି କରିବାକୁ ସେନା ପ୍ରସ୍ତୁତି ଚଳାଇଛି। ଗୁଇନ୍ଦା ସଂସ୍ଥା ପକ୍ଷରୁ ଗୃହ ମନ୍ତ୍ରାଳୟକୁ ଜଣାଇ ଦିଆଯାଇଛି ଯେ ପ୍ରାୟ ୧୮ ଲସ୍କର ଆତଙ୍କବାଦୀ ଜାମ୍ମୁ କାଶ୍ମୀର ମଧ୍ୟକୁ ପ୍ରବେଶ କରିଛନ୍ତି। ଏହି ଆତଙ୍କବାଦୀଙ୍କ କଲ୍‍ ଟ୍ରାପ୍‍ କରାଯିବା ପରେ ଅମରନାଥ ଯାତ୍ରାର କଙ୍ଗନ ନାମକ ସ୍ଥାନରେ ସେମାନେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଜାଣିବାକୁ ମିଳିଛି। ଜୁନ୍‍ ୧୦ରେ ପିଓକେ ରାସ୍ତା ଦେଇ ଆତଙ୍କବାଦୀର ଏକ ଦଳ ଜାମ୍ମୁ କାଶ୍ମୀର ମଧ୍ୟକୁ ପ୍ରବେଶ କରିଥିଲେ। ଏହାପରେ ଜୁନ୍‍ ୨୦ରେ ୬ ଜଣ ଆତଙ୍କବାଦୀ ଜାମ୍ମୁ କାଶ୍ମୀରକୁ ପ୍ରବେଶ କରିଛନ୍ତି।
ଉଲ୍ଲେଖ ଯେ ଅମରନାଥ ଯାତ୍ରାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରକୁ ଏନ୍‍ଏସ୍‍ଜି କମାଣ୍ଡୋ ପଠାଇଛି। ସେମାନଙ୍କୁ ଜାମ୍ମୁ କାଶ୍ମୀରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯାଇଛି। ଏନ୍‍ଏସ୍‍ଜିର ସ୍ୱତନ୍ତ୍ର ଅଭିଯାନ ଦଳ, ଆଣ୍ଟି ହାଇଜାକିଂ ଏବଂ ଆତଙ୍କବାଦୀ ନିରୋଧୀ ଦଳ ଏବେ କାଶ୍ମୀରରେ ମୁତୟନ ଅଛନ୍ତି। ଅମରନାଥ ଯାତ୍ରା ପଥର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଆଇଟିବିପି, ସିଆରପିଏଫ ଏବଂ ସେନା ଯବାନଙ୍କୁ ମୁତୟନ କରାଯାଇଛି। ଆକାଶ ଏବଂ ଭୂପୃଷ୍ଠରୁ ସମ୍ପୂର୍ଣ୍ଣ ଯାତ୍ରା ପଥ ଉପରେ ନଜର ରଖାଯାଇଛି ବୋଲି ସୂଚନା ଦିଆଯାଇଛି।

Leave A Reply