୪ ଆତଙ୍କବାଦୀ ନିହତ

0

ପୁଲୱାମା : ଜାମ୍ମୁ-କାଶ୍ମୀର ଅନ୍ତର୍ଗତ କୁପୱାଡ଼ାରେ ଶୁକ୍ରବାର ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ପୁଲୱାମାର ଛଟପଡ଼ାଠାରେ ଅପରାହ୍ଣରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଛି। ସନ୍ଧ୍ୟାସୁଦ୍ଧା ସୁରକ୍ଷା କର୍ମୀଙ୍କ ଗୁଳିରେ ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲାବେଳେ ରାତି ପର୍ଯ୍ୟନ୍ତ ଏହି ଗୁଳି ବିନିୟମ ଜାରି ରହିଥିଲା। ଆତଙ୍କବାଦୀମାନେ ଏକ ଘର ଭିତରେ ଲୁଚିରହିଥିବାବେଳେ ବାହାରୁ ସୁରକ୍ଷା କର୍ମୀ ସେମାନଙ୍କ ଉପରେ ଆକ୍ରମଣ ଚଳାଇଥିଲେ।
ପୂର୍ବାହ୍ଣରେ କୁପୱାଡ଼ାର ତ୍ରେହଗାଁସ୍ଥିତ ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ସହିତ ଗୁଳି ବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିଲା। ଏହି ଆତଙ୍କବାଦୀର ପରିଚୟ ମିଳି ନଥିବାବେଳେ ଜଙ୍ଗଲରେ ଅଧିକ ଅନୁସନ୍ଧାନ ଜାରି ରହିଛି। ଅପରପକ୍ଷରେ ଅପରାହ୍ଣରେ ପୁଲୱାମା ଅନ୍ତର୍ଗତ ଛଟପଡ଼ାଠରେ ଥିବା ଏକ ବାସଗୃହରେ ତିନି ଜଣ ଆତଙ୍କବାଦୀ ଲୁଚିଥିବା ସୁରକ୍ଷା କର୍ମୀଙ୍କ ଖବର ମିଳିଥିଲା। ଏହି ଘର ଉପରେ ଚଢ଼ଉବେଳେ ଆତଙ୍କବାଦୀମାନେ ଭିତରେ ରହି ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷା କର୍ମୀ ବାହାରପଟୁ ସମ୍ପୃକ୍ତ ଘରକୁ ଘେରିଯାଇ ଏହା ଉପରକୁ ଗୁଳିଗୋଳା ବର୍ଷଣ କରିଥିଲେ। ଫଳରେ ଘର ଭିତରେ ଥିବା ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ଦୀର୍ଘ ସମୟ ଧରି ଏହି ଗୁଳି ବିନିମୟ ଚାଲିଥିଲା। ଅଧିକ ଆତଙ୍କବାଦୀଙ୍କ ଉପସ୍ଥିତି ସନ୍ଦେହରେ ସୁରକ୍ଷା ବାହିନୀ ସମ୍ପୃକ୍ତ ଅଞ୍ଚଳରେ ଅନୁସନ୍ଧାନ ଜାରି ରଖିଛନ୍ତି।
ଏହି ପରିପ୍ରେକ୍ଷୀରେ ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ ଚେତାବନୀ ଦେଇ କହିଛନ୍ତି ଯେ ଯବାନମାନେ ସେମାନଙ୍କ ଆତଙ୍କବାଦୀ ଦମନ ଅଭିଯାନ ଜାରି ରଖିବେ। ଏଥିରେ ଆଦୌ ଢ଼ିଲା ଦିଆଯିବ ନାହିଁ। ତେବେ ସେନା କାର୍ଯ୍ୟାନୁଷ୍ଠାନରେ ଯେମିତି ସାଧାରଣ ଲୋକଙ୍କର ସାମାନ୍ୟ କ୍ଷତି ନହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯିବ। ରାଜ୍ୟରେ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀମାନେ ହିଂସାର ବାତାବରଣ ସୃଷ୍ଟି କରୁଥିବାରୁ ସେମାନଙ୍କୁ କୌଣସି ପରିସ୍ଥିତିରେ ଛାଡ଼ାଯିବ ନାହିଁ।

Leave A Reply