ପୁଣି ଆତଙ୍କବାଦୀ ଆକ୍ରମଣ ; ୨ ପୁଲିସ ମୃତ, ୧୧ ଆହତ

ଶ୍ରୀନଗର :  କାଶ୍ମୀରରେ ପୁଣି ପୁଲିସ ବାହିନୀ ଉପରେ ଜୋର୍‌ଦାର ଆତଙ୍କବାଦୀ ଆକ୍ରମଣ ହୋଇଛି । ସୋମବାର ସନ୍ଧ୍ୟାରେ କର୍ତ୍ତବ୍ୟ ଶେଷ କରି ଶିବିରକୁ ବସ୍‌ ଯୋଗେ ଫେରୁଥିବା ପୁଲିସ କର୍ମଚାରୀଙ୍କ ଉପରେ ଏହି ଆକ୍ରମଣ ହୋଇଛି। ଶ୍ରୀନଗର ପାଟନା ଚୌକ୍‌ର ଜିୱାନ୍‌ ପୁଲିସ ଶିବିର ନିକଟରେ ପୁଲିସବାହିନୀ ପହଞ୍ଚିବା ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏଥିରେ ଦୁଇ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଓ ୧୨ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ସମ୍ପୃକ୍ତ ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରାଉ କରି ଆତଙ୍କବାଦୀଙ୍କ ସନ୍ଧାନ ଚଳାଇଛନ୍ତି । ଏହି ବସ୍‌ ଗୁଳି ନିରୋଧକ (ବୁଲେଟ୍‌ ପ୍ରୁଫ୍‌) ନ ଥିଲା କିମ୍ବା ସେଥିରେ ଥିବା ପୁଲିସ ବନ୍ଧୁକ ଧରି ନ ଥିଲେ; ବରଂ ସେମାନଙ୍କ ପାଖରେ କେବଳ ଠେଙ୍ଗା ଓ ସାଞ୍ଜୁ ଥିଲା ବୋଲି ଜଣାପଡ଼ିଛି। ମୃତ ଦୁଇ ଜଣ ହେଉଛନ୍ତି ଜଣେ ଏଏସ୍‌ଆଇ ଓ ଜଣେ କନ୍‌ଷ୍ଟେବଳ। ଅପରପକ୍ଷରେ ଆକ୍ରମଣରେ ଦୁଇ ଆତଙ୍କବାଦୀ ସାମିଲ ଥିବା ପ୍ରକାଶ। ଜୱାନଠାରେ ଅଧିକାଂଶ ସୁରକ୍ଷାକର୍ମୀଙ୍କ ଶିବିର ରହିଥିବାବେଳେ ଏହି ଅଞ୍ଚଳ ସର୍ବଦା ସୁରକ୍ଷା ବଳୟ ମଧ୍ୟରେ ରହିଛି। ଏହା ସତ୍ତ୍ବେ ସେଠାରେ ଆତଙ୍କବାଦୀଙ୍କ ସଂହାର ଲୀଳା ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ ୧୦, ଶୁକ୍ରବାର ବନ୍ଦିପଡ଼ାର ଗୁଲଶନ ଚୌକ୍‌ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇ ପୁଲିସ କର୍ମଚାରୀ ମହମ୍ମଦ ସୁଲତାନ ଓ ଫୟଜ ଅହମ୍ମଦ ଲୋନ୍‌ ନିହତ ହୋଇଥିଲେ। ଏତଦ୍‌ ବ୍ୟତୀତ ଗତ କାଲି ରବିବାର ଶ୍ରୀନଗର ନିକଟରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା ।

ଦୁଇ ଆତଙ୍କବାଦୀ ନିପାତ

ଜାମ୍ମୁ-କାଶ୍ମୀରର ରାଜଧାନୀ ଶ୍ରୀନଗର ଉପକଣ୍ଠ ରାନ୍‌ଗ୍ରେଟ୍‌ଠାରେ ସୁରକ୍ଷାକର୍ମୀଙ୍କ ସହିତ ଗୁଳିବିନିମୟରେ ୨ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସୋମବାର ରାନ୍‌ଗ୍ରେଟ୍‌ଠାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ତଲାସ ଅଭିଯାନ ଆରମ୍ଭ ହୋଇଥିଲା। ତଲାସ ଅଭିଯାନ ସମୟରେ ଆତଙ୍କବାଦଙ୍କ ସହିତ ଗୁଳିବିନିମୟ ହୋଇଥିଲା। ଜାମ୍ମୁ-କାଶ୍ମୀର ପୁଲିସର କହିବା ଅନୁଯାୟୀ ମୃତ ଆତଙ୍କବାଦୀ ଦ୍ବୟଙ୍କ ପରିଚୟ ମିଳିପାରି ନାହିଁ। ସେମାନଙ୍କ ପରିଚୟ ଜାଣିବା ନିମନ୍ତେ ଅନୁସନ୍ଧାନ ଜାରି ରହିଛି।

Comments are closed.