ଜୈଶ୍ କମାଣ୍ଡର ସଜ୍ଜାଦ ଆଫଗାନୀ ନିହତ, ଯବାନଙ୍କୁ ଶୁଭେଚ୍ଛା ଜଣାଇଲେ ଆଇଜି

ଜାମ୍ମୁ: ଜାମ୍ମୁ-କାଶ୍ମୀରର ସୋପିଆନ୍‌ରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ଗତ ୩ ଦିନ ଧରି ଜାରି ରହିଛି। ସୋମବାର ଏନକାଉଣ୍ଟରର ୩ୟ ଦିନରେ ଯବାନଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଛି। ସେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର କମାଣ୍ଡର ସଜ୍ଜାଦ ଆଫଗାନୀ ବୋଲି ଜଣାପଡ଼ିଛି। ସେନାର ଏହି ସଫଳତା ପାଇଁ କାଶ୍ମୀର ଆଇଜି ବିଜୟ କୁମାର ଶୁଭେଚ୍ଛା ଜଣାଇଛନ୍ତି।

ଆଇଜି କହିଛନ୍ତି, ସଜ୍ଜାଦ ନିହତ ହେବା ସେନା ପାଇଁ ବଡ଼ ସଫଳତା। ଏହା ପୂର୍ବରୁ ଗତ ରବିବାର ଅନ୍ୟ ଏକ ଜୈଶ ଆତଙ୍କୀ ଜାହାଙ୍ଗୀ ଅହମ୍ମଦ ଭାନୀକୁ ଯବାନମାନେ ନିପାତ କରିଥିଲେ। ତା’ଠାରୁ ଏମ-୪ କାରବାଇନ୍‌, ମାଗାଜିନ ଓ ୯୬୦୦ ଟଙ୍କା ଜବତ ହୋଇଥିଲା। ଏହି ଅପରେଶନ ସମୟରେ ଜଣେ ପୁଲିସ କର୍ମଚାରୀ ଓ ଜଣେ ସାଧାରଣ ନାଗରିକ ଆହତ ହୋଇଥିବାବେଳେ ୩ଟି ଘର କ୍ଷତିଗ୍ରସ୍ତ ହୋଇଛି।

ସୂଚନାଯୋଗ୍ୟ, ଗତ ଶନିବାର ସନ୍ଧ୍ୟାରେ ସୋପିଆନର ରାଭଲପୋରା ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଖବର ମିଳିଥିଲା। ଏହା ପରେ ସେନା, ସିଆରପିଏଫ ଏବଂ ପୁଲିସ ପକ୍ଷରୁ ମିଳିତ ଭାବେ ଉକ୍ତ ଅଞ୍ଚଳକୁ ସିଲ୍‌ କରାଯାଇ ସ୍ବତନ୍ତ୍ର ଅପରେଶନ ଆରମ୍ଭ ହୋଇଥିଲା। ରାତି ପ୍ରାୟ ୮ଟାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷା କର୍ମୀମାନେ ବି ଏହାର ଜବାବ ଦେଇଥିଲେ। ତେବେ ଏହି ସମୟରେ ଆତଙ୍କବାଦୀମାନେ ୬ ନାଗରିକଙ୍କୁ ପଣବନ୍ଦୀ କରି ଖସିଯିବାକୁ ଉଦ୍ୟମ କରିଥିଲେ। ସୁରକ୍ଷା କର୍ମୀମାନେ ସମସ୍ତ ନାଗରିକଙ୍କୁ ଉଦ୍ଧାର କରିଥିଲେ।

Comments are closed.