ଆତଙ୍କବାଦ ଉପରେ ନଜର ରଖିବ ୮ ଜଣିଆ ଗୋଷ୍ଠୀ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ତଦାରଖ ଓ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ‘ଟେରର ମନିଟରିଂ ଗ୍ରୁପ୍‌’ ବା ଆତଙ୍କବାଦ ପରିଚାଳନା ଗୋଷ୍ଠୀ (ଟିଏମ୍‌ଜି)ଗଠନ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗଠିତ ଏହି ଗ୍ରୁପ୍‌ରେ ମୋଟ ୮ଜଣ ସଦସ୍ୟ ରହିଛନ୍ତି। ଜାମ୍ମୁ-କାଶ୍ମୀର ପୁଲିସର ଅତିରିକ୍ତ ମହାନିର୍ଦେଶକ (ଗୁଇନ୍ଦା) ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କ ବ୍ୟତୀତ ରାଜ୍ୟ ପୁଲିସର ଆଇଜି ପାହ୍ୟାର ଜଣେ ଅଧିକାରୀ, ଗୁଇନ୍ଦା ବ୍ୟୁରୋ (ଆଇବି), ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ), କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି), କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଆଦିର ଜଣେ ଜଣେ ବରିଷ୍ଠ ଅଧିକାରୀ ଉକ୍ତ ଗ୍ରୁପ୍‌ର ସଦସ୍ୟ ରହିଛନ୍ତି।
ଏହି ଗ୍ରୁପ୍‌ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣଠାରୁ ଆରମ୍ଭ କରି ଆତଙ୍କବାଦ ସମ୍ପର୍କିତ ସମସ୍ତ ପଦକ୍ଷେପ ଉପରେ ସମ୍ମିଳିତ ନିଷ୍ପତ୍ତି ନେ​ବେ। ‌ଆତଙ୍କବାଦକୁ ଯେକୌଣସି ଭାବରେ ସମର୍ଥନ କରୁଥିବା ନେତା, ସରକାରୀ କର୍ମଚାରୀଙ୍କ ଭଳି ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ପାଣ୍ଠିଯୋଗାଣକୁ ରୋକିବା ପାଇଁ ପଦକ୍ଷେପ ନେବେ। ପ୍ରତି ସପ୍ତାହରେ ଏହି ଗ୍ରୁପ୍‌ର ବୈଠକ ବସିବ ଏବଂ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହାର ରିପୋର୍ଟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପ୍ରଦାନ କରାଯିବ। ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ମୂଳୋତ୍ପାଟନ କରିବା ଓ ଏଥିପାଇଁ ବିଭିନ୍ନ ସୂତ୍ରରୁ ମିଳୁଥିବା ଆର୍ଥିକ ସହାୟତାକୁ ବନ୍ଦ କରିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରମୁଖତା ଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ମାମଲାରେ ସରକାର ଇତିମଧ୍ୟ​‌େ​‌ର ୧୩ଜଣଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିଛନ୍ତି।

Comments are closed.